Latest Odisha News

BREAKING NEWS

ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ଗିରଫ ହେଲେ ୨୬୮ ଜଣ

ଭୁବନେଶ୍ୱର: ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କୁ ଧରିବା ପାଇଁ ଗୁରୁବାରଠୁ ଓଡିଶା ପରିବହନ ବିଭାଗ ପକ୍ଷରୁ ଧରପଗଡ ଆରମ୍ଭ ହୋଇଛି। ଗୁରୁବାର ପ୍ରଥମ ଦିନରେ ୨୬୮ ଜଣ ସାରା ଓଡ଼ିଶାରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ପରିବହନ ବିଭାଗର ଅତିରିକ୍ତ କମିସନର ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ଅପରାହ୍ନ ୩ଟାରୁ ରାତି ୧୨ଟା ଯାଏ ଚେକିଂ କରାଯାଉଛି। ଯେଉଁ ଗାଡି ଚାଳକଙ୍କ ଉପରେ ସନ୍ଦେହ ହେଉଛି ଚେକିଂ ଦାୟିତ୍ୱରେ ନିୟୋଜିତ ଥିବା ଅଧିକାରୀ ଚେକିଂ କରୁଛନ୍ତି। ଶନିବାର ଏହି ଚେକିଂର ଶେଷ ତାରିଖ ରହିଛି।

ଉଲ୍ଲେଖଯୋଗ୍ୟ, ଏବେ ଅଧିକାଂଶ ଯୁବକ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଛନ୍ତି। ଏହାଦ୍ୱାରା ରାସ୍ତାରେ ଦୁର୍ଘଟଣା ଘଟୁଛି। ଅନେକ ରକ୍ତାକ୍ତ ହୋଇ ପ୍ରାଣ ହରାଉଛନ୍ତି ତ ଆଉ କିଛି ଆହତ ହୋଇ ପଙ୍ଗୁ ହୋଇଯାଉଛନ୍ତି। ଅଧିକାଂଶ ଦୁର୍ଘଟଣା ପଛର କାରଣ ନିଶା ଖାଇ ବେପରୁଆ ଗାଡି ଚାଳଣା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଯୁବକ।

Comments are closed.