Latest Odisha News

BREAKING NEWS

ମାଓ ଏନକାଉଣ୍ଟର ବେଳେ ଆହତ ଡିଏସପିଙ୍କର ହେଲା ଅସ୍ତ୍ରୋପଚାର

ଭୁବନେଶ୍ୱର: ଗତକାଲି କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଡିଏସପି ପାହ୍ୟାର ଅଧିକାରୀ ରହିଛନ୍ତି। ଆହତ ଡିଏସପି ଅତୁଲ କୃଷ୍ଣ ଦାସଙ୍କର ଭୁବନେଶ୍ୱର ଏମସରେ ଅସ୍ତ୍ରୋପଚାର କରାଯାଇଛି ଏବଂ ତାଙ୍କ ଦେହରେ ପଶିଥିବା ଗୁଳିକୁ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି ବୋଲି ପୋଲିସ ମହାନିର୍ଦ୍ଦେଶକ (ଡିଜି) ସୁନୀଲ ବଂଶଲ ଭେଟିବା ପରେ ସୂଚନା ଦେଇଛନ୍ତି। ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ ଅମିତାଭ ଠାକୁର ମଧ୍ୟ ଆହତ ଡିସିପିଙ୍କୁ ଭେଟିଥିଲେ।

ଅସ୍ତ୍ରୋପଚାର ପରେ ଡିଏସପି ଏବେ ସୁସ୍ଥ ଅଛନ୍ତି। ଗୋଟିଏ ଗୁଳି ଗୋଡ଼ରେ ବାଜି ବାହାରି ଯାଇଥିବା ବେଳେ, ଅନ୍ୟ ଗୁଳି ଗୋଡ଼ ଭିତରେ ରହିଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଆଘାତ ସମ୍ପୂର୍ଣ୍ଣ ଭଲ ହେବାକୁ ପାଖାପାଖି ଦୁଇ ମାସ ସମୟ ଲାଗିବ ବୋଲି ଡାକ୍ତର ସରୋଜ ପାତ୍ର କହିଛନ୍ତି।

ଡିଜିପି ସୁନୀଲ ବଂଶଲ କହିଛନ୍ତି ଯେ, ଡିଏସପିଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ଏନକାଉଣ୍ଟର ପରେ ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି ଏବଂ ସ୍ୱତନ୍ତ୍ର ଅପରେସନ୍ ଜାରି ରହିଛି ବୋଲି ସେ କହିଛନ୍ତି।

ଗତକାଲି ଆମେ ଗୋଟିଏ ଏକେ୪୭ ଜବତ କରିଥିଲୁ ଏବଂ ଆଜି ଆଉ ଦୁଇଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତ ମାଓବାଦୀଙ୍କ ପରିଚୟ ଏଯାଏ ମିଳିପାରିନାହିଁ। ଏ ନେଇ ପଡ଼ୋଶୀ ରାଜ୍ୟ ଛତିଶଗଡ ପୁଲିସ ଅଧିକାରୀଙ୍କ ସହ ଯୋଗାୟୋଗ କରାଯାଉଛି ବୋଲି ବଂଶଲ କହିଛନ୍ତି।

ସୂଚନାଯୋଗ୍ୟ, ତିନି ଜଣ ମାଓବାଦୀ ଯେଉଁଥିରେ ଜଣେ ବରିଷ୍ଠ କ୍ୟାଡର ମଧ୍ୟ ସାମିଲ ଅଛନ୍ତି, ମଙ୍ଗଳବାର କଳାହାଣ୍ଡିର ମଦନପୁର ରାମପୁର ଥାନା ଅନ୍ତର୍ଗତ ତାପରଙ୍ଗ ଜଙ୍ଗଲରେ ରାଜ୍ୟ ଗୁଇନ୍ଦା ବିଭାଗର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ନିହତ ହୋଇଛନ୍ତି।

Leave A Reply

Your email address will not be published.