ନୂଆଦିଲ୍ଲୀ: ଦୁବାଇ-ନୂଆଦିଲ୍ଲୀ-ଦୋସ୍ତି । ଭାରତ ସହ ବଦଳୁଛି ଆରବ ଦେଶର ସଂପର୍କ । ନୂଆ ନେତୃତ୍ବ ସହ ନୂଆ ସମୀକରଣ । ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ ହମଦାନ ହୁଅନ୍ତୁ କି ସାଉଦି ଆରବର ପ୍ରିନ୍ସ ସଲମାନ କିମ୍ବା ଆବୁଧାବିର ଶେଖ୍ ଖାଲିଦ, ଏବେ ଆରବ ଦେଶର ପ୍ରତିନିଧିତ୍ବ କରୁଛନ୍ତି ନୂଆ ପୀଢି । ଆଧୁନିକତା, ଟେକ୍ନୋଲୋଜି ସହ ବିଶ୍ବ ସହଯୋଗକୁ ଗୁରୁତ୍ବ ଦେଉଛନ୍ତି । ଧର୍ମୀୟ କଟ୍ଟରତା ବଦଳରେ ପ୍ରଗତିଶୀଳ ନଜରରେ ବିଶ୍ବକୁ ଦେଖୁଛନ୍ତି। ବର୍ତ୍ତମାନ ସମୟର ଆବଶ୍ୟକତାକୁ ଆଖିରେ ରଖି ନୂଆ ନୀତି ପ୍ରସ୍ତୁତ କରୁଛନ୍ତି । ପାରମ୍ପରିକ ଶାସନ ଓ ତୈଳ ଅର୍ଥବ୍ୟବସ୍ଥାରୁ ହଟି ଦେଶକୁ ଏକବିଂଶ ଶତାବ୍ଦୀର ବିଭିନ୍ନ ଚ୍ୟାଲେଞ୍ଜ ପାଇଁ ଦଳକୁ ପ୍ରସ୍ତୁତ କରୁଛନ୍ତି । ବିକାଶ ଓ ବନ୍ଧୁତା ଦିଗରେ ଆଉ ପାଦେ ଆଗେଇବାକୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଦୁବାଇର କ୍ରାଉନ୍ ପ୍ରିନ୍ସ ଶେଖ ହମଦାନ ବିନ୍ ମୋହମ୍ମଦ ଅଲ ମକତୁମ ।
ଦିଲ୍ଲୀ-ଦୁବାଇ ଦୋସ୍ତି
ଦୁବାଇର କ୍ରାଉନ ପ୍ରିନ୍ସ ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତରେ ଆସିଛନ୍ତି । ପାରମ୍ପରିକ ଭାବେ ୟୁଏଇ ସହ ଭାରତର ବାଣିଜ୍ୟିକ, ସାଂସ୍କୃତିକ ସଂପର୍କରେ ଦୁବାଇ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ୟୁଏଇରେ ରହୁଥିବା ୪୩ଲକ୍ଷ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ଦୁବାଇରେ ରୁହନ୍ତି । ଦୁବାଇ କ୍ରାଉନ୍ ପ୍ରିନ୍ସଙ୍କ ଗସ୍ତ ଭାରତ-ୟୁଏଇ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଭାରତ ଓ ୟୁଏଇ ମଧ୍ୟରୁ ପୂର୍ବରୁ ବ୍ୟାପାର ଓ ନିବେଶ କ୍ଷେତ୍ରରେ ମଜବୁତ ସଂପର୍କ ରହିଛି । ୨୦୨୨-୨୩ରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବ୍ୟାପାର ପ୍ରାୟ ୮୫ବିଲିୟମ ଡଲାର ରହିଥିଲା । ଶେଖ ହମଦାନ ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ରହିଛନ୍ତି । ତେଣୁ ତାଙ୍କ ଗସ୍ତ ପ୍ରତିରକ୍ଷା ସହଯୋଗ ଦୃଷ୍ଟିରୁ ବି ଗୁରୁତ୍ବପୂର୍ଣ୍ଣ ।
ଝିଅର ନାଁ ହିନ୍ଦ କାହିଁକି?
ନିକଟରେ ବାପା ହୋଇଛନ୍ତି ଶେଖ ହମଦାନ । ତାଙ୍କ ଝିଅର ନାଁ ହିନ୍ଦ ରଖାଯାଇଛି । ଏଥିରୁ ଭାରତ ପ୍ରତି ତାଙ୍କର ବ୍ୟକ୍ତିଗତ ସମ୍ମାନ ଓ ସାଂସ୍କୃତିକ ଘନିଷ୍ଠତା ସ୍ପଷ୍ଟ ବାରି ହେଉଛି । ଆରବ ଭାଷାରେ ହିନ୍ଦ ଶବ୍ଦର ପ୍ରୟୋଗ ଭାରତୀୟ ଉପମହାଦ୍ବୀପ ବା ସିନ୍ଧୁ ନଦୀର ପୂର୍ବାଞ୍ଚଳକୁ ଦର୍ଶାଇବାକୁ କରାଯାଏ । ନିଜ ଦେଶର ସୋସିଆଲ୍ ମିଡିଆ ଷ୍ଟାର ରହିଛନ୍ତି ଶେଖ ହମଦାନ । ଏକ୍ସରେ ତାଙ୍କର ୩୪ଲକ୍ଷ ଫଲୋଅର୍ସ ରହିଥିବା ବେଳେ ଫେସବୁକରେ ତାଙ୍କ ସହ ୨୧ଲକ୍ଷ ଲୋକ ଯୋଡି ହୋଇଛନ୍ତି । ଶେଖ ହମଦାନଙ୍କ ବାପା ଶେଖ ମହମ୍ମଦ ବିନ ରାସିଦ ଅଲ୍ ମକ୍ତୁମ, ଦୁବାଇର ଶାସକ ରହିବା ସହ ୟୁଏଇର ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରହିଛନ୍ତି । ତାଙ୍କ ସହ ମଧ୍ୟ ଭାରତର ବେଶ୍ ଭଲ ସଂପର୍କ ରହିଛି ।
ଆରବ ଦେଶର ନୂଆ ପୀଢି
ଆରବ ଅନ୍ୟତମ ଯୁବ ନେତା ହେଉଛନ୍ତି ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିଲ୍ ଜାୟଦ ଅଲ୍ ନାହୟାନ । ଗତବର୍ଷ ସେପ୍ଟେମ୍ବରରେ ସେ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ଭାରତ ଓ ୟୁଏଇ ମଧ୍ୟରେ ନିବେଶ ଓ ଶକ୍ତି ସହଯୋଗକୁ ନେଇ ଚର୍ଚ୍ଚା ହୋଇଥିଲା । ତାଙ୍କ ଆଧୁନିକ ଦୃଷ୍ଟିକୋଣ ଓ ଆବୁଧାବିର ଆର୍ଥିକ ବିକାଶରେ ଭୂମିକା ଦେଖି ଭାରତ ତାଙ୍କ ସହ ଦୀର୍ଘକାଳୀନ ସହଭାଗିତା ପାଇଁ ଇଚ୍ଛାପ୍ରକାଶ କରିଥିଲା । ସେହିପରି ଆରବ ଡିପ୍ଲୋମାସିରେ ସାଉଦି ଆରବକୁ ଭାରତ ସବୁବେଳେ ପ୍ରାଥମିକତା ଦେଇ ଆସିଛି । ମହମ୍ମଦ ବିନ୍ ସଲମାନ ବିନ୍ ଅବ୍ଦୁଲ ଅଜିଜ ଅଲ ସୟଦ ହେଉଛନ୍ତି ସାଉଦି ଆରବର କ୍ରାଉନ୍ ପ୍ରିନ୍ସ । ମହମ୍ମଦ ସଲମାନ ୨୦୧୯ ଓ ୨୦୨୨ରେ ଭାରତ ଗସ୍ତ କରିଥିଲେ । ଭାରତ ତାଙ୍କ ଭିଜନ୍-୨୦୩୦ରେ ଶକ୍ତି, ଟେକ୍ନୋଲୋଜି ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଦ୍ୟମ କରୁଛି । ସାଉଦି ଆରବ ଓ ଭାରତ ମଧ୍ୟରେ ବାଣିଜ୍ୟିକ ସଂପର୍କ ସୁଦୃଢ ରହିଛି ।
ଆରବ ଦେଶର ନୂଆ ପୀଢି ଭାବେ ନେତୃତ୍ବ ନେଉଥିବା ଶେଖ ହମଦାନ, ଶେଖ ଖାଲିଦ ଓ ପ୍ରିନ୍ସ ସଲମାନ, ଭାରତ ସହ କୁଟନୈତିକ, ଆର୍ଥିକ ଓ ସାଂସ୍କୃତିକ ସଂପର୍କ ସୁଦୃଢ କରିବା ଦିଗରେ କାମ କରୁଛନ୍ତି ।
Comments are closed.