Latest Odisha News

BREAKING NEWS

ପ୍ରବଳ ଖରା: ଅସୁସ୍ଥ ହୋଇପଡ଼ିଲେ ୩୨ ଛାତ୍ରୀ

ସୁନ୍ଦରଗଡ: ୩୨ ଜଣ ଛାତ୍ରୀ ଅସୁସ୍ଥ। ସୁନ୍ଦରଗଡ ଜିଲ୍ଲା କୋଇଡା ସୋୟେମ୍ବା ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ହଷ୍ଟେଲର ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ସେମାନେ ସ୍ଥାନୀୟ କେ ବଲାଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତକାଲି ପ୍ରଥମେ ୨୫ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ବେଳେ ଆଜି ସକାଳୁ ୭ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ଘଟଣା ସାମ୍ନାକୁ ଆସିଛି। ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଡାକ୍ତରଙ୍କ କହିବା ଅନୁସାରେ ପ୍ରବଳ ଖରା ଯୋଗୁଁ ଛାତ୍ରୀଙ୍କର ଖାଇବା ପିଇବାରେ ଅସୁବିଧା ହୋଇଛି। ଖରାର ପ୍ରକୋପ ଅଧିକ ରହିଥିଲେ ମଧ୍ଯ ଛାତ୍ରୀମାନେ ଆବଶ୍ୟକ ଅନୁଯାୟୀ ପାଣି ପିଇନଥିଲେ। ତେଣୁ ଶରୀରରେ ଜଳୀୟ ଅଂଶ କମିଯିବାରୁ ଅସୁସ୍ଥ ହୋଇପଡ଼ିଥିଲେ। ପରିଣାମସ୍ୱରୂପ ଛାତ୍ରୀମାନଙ୍କ ନିକଟରେ ଝାଡା ଓ ବାନ୍ତି ଭଳି ସମସ୍ୟା ଦେଖାଦେଇଛି।

ଡାକ୍ତର କଳାକାନ୍ତ ମହାନ୍ତ କହିଛନ୍ତି, ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଠିକ୍ ରହିଛି। ତଥାପି ଏବେ ଅବଜରେଭେସନରେ ରଖାଯାଇଛି। ଆସନ୍ତାକାଲି ଡିସଚାର୍ଜ କରାଯିବ। ଯେପରି ଚିକିତ୍ସା ହେବା କଥା ସେହିପରି ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବା ହିଟ୍ ଓ୍ୱେଭ୍ ଜାରି ରହିଛି। ଗତକାଲି ସୁନ୍ଦରଗଡରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ପୂର୍ବଦିନ ତୁଳନାରେ ଗତକାଲି ୨ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଥିଲା।

ହିଟ୍ ଓ୍ବେଭ୍ ଜାରି ରହିଥିବାରୁ ଅଂଶୁଘାତର ସମ୍ଭାବନା ରହିଛି। ତେଣୁ ପ୍ରଚୁର ପାଣି ସାଙ୍ଗକୁ ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ଫ୍ୟାନ ତଳେ କିମ୍ବା ପବନ ହେଉଥିବା ସ୍ଥାନରେ ରହିବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ଖରା ବେଳେ ମୁଖ୍ୟତଃ ଦିନ ୧୧ଟାରୁ ୩ଟା ଯାଏ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି ସରକାର।

Comments are closed.