ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଓଡ଼ିଶାର କିଛି ଅଞ୍ଚଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ । ଏହାର କାରଣ ହେଉଛି ଦକ୍ଷିଣ ବାଙ୍ଗଲାଦେଶ ଓ ଆଖପାଖ ଅଞ୍ଚଳରେ ଏକ ସକ୍ରିୟ ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି।
ବୁଧବାର ଓ ଗୁରୁବାର ଦିନ ପ୍ରବଳ ବର୍ଷା ହେବା ସହିତ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଜୁଳି ଓ ଘଡଘଡି ସହିତ ପବନ ଘଣ୍ଟାପ୍ରତି ୩୦ରୁ ୩୫ କି.ମି. ବେଗରେ ବୋହିପାରେ।
କେନ୍ଦୁଝର, ନୂଆପଡା, ମୟୂରଭଞ୍ଜ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାଗୁଡ଼ିକୁ ବିଶେଷ ଭାବେ ନଜରରେ ରଖାଯାଇଛି। ଏଠାରେ ୩୦-୪୦ କି.ମି./ଘଣ୍ଟା ପବନ ଓ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ସହ ୧୫ଟି ଆଖପାଖ ଜିଲ୍ଲାରେ ବିଜୁଳି ଓ ପବନ ବୋହିବାର ଆଶଙ୍କା ରହିଛି। ସେହିପରି ଗତ ୨୪ ଘଣ୍ଟାରେ କଳାହାଣ୍ଡିର ଥୁଆମୁଲ ରାମପୁରରେ ସର୍ବାଧିକ ୫୫ ମି.ମି. ବର୍ଷା ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବିଜୁଳି ଓ ପବନ ହେବାର ସମ୍ଭାବନା ରହିଛି।
Comments are closed.