Latest Odisha News

ଅନୁଗୁଳରେ ନକଲି ଔଷଧ; ମେଡିସିନ୍ ଷ୍ଟୋର ସହ ହୋଲସେଲ୍ ଦୋକାନ ସିଲ୍  

ଅନୁଗୁଳ: ଅନୁଗୁଳରେ ବିକ୍ରି ହେଉଛି ନକଲି ଔଷଧ । ନକଲି ଔଷଧ ବିକ୍ରି ଅଭିଯୋଗରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଗୋଟିଏ ମେଡିସିନ୍ ଷ୍ଟୋର ସହ ହୋଲସେଲ୍ ଦୋକାନକୁ ସିଲ୍ କରିଛି । ୨ଟି ଯାକ ଦୋକାନରେ ପାଣ୍ଟୋସିଡ ଡିଏସଆର ନାମକ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଅନୁଗୁଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମା ବୁଢ଼ୀ ମେଡିସିନ ଦୋକାନରେ ପାଣ୍ଟୋସିଡ ଡିଏସଆର ନାମକ ନକଲି ଔଷଧ ଥିବା ଅଭିଯୋଗ ହୋଇଥିଲା । ଯାହାକି ଗ୍ୟାଷ୍ଟିକ ରୋଗ ପାଇଁ ବ୍ୟବହାର ହୋଇଥାଏ । ଏହି ଅଭିଯୋଗ ଷ୍ଟେଟ ଟାସ୍କ ଫୋର୍ସ ନିକଟରେ ହେବା ପରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ତଦନ୍ତ କରିଥିଲା ।

ତଦନ୍ତ ବେଳେ ମା ବୁଢ଼ୀ ଔଷଧ ଦୋକାନରେ ଏହି ନକଲି ଔଷଧ ବିକ୍ରି ହେଉଥିବା ସ୍ପଷ୍ଟ ହୋଇଥିଲା । ସେ ଅମଲାପଡା ଠାରେ ଥିବା ଗଣପତି ଏଣ୍ଟରପ୍ରାଇଜେସରୁ ଏହି ଔଷଧ ଆଣିଥିବା ଜଣା ପଡ଼ିଥିଲା । ଜଣା ପଡ଼ିବା ପରେ ଗତକାଲି ରାତିରେ ଏସଟିଏରେ ଗୋଟିଏ ଓ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଆଉ ଗୋଟିଏ ଅଭିଯୋଗ ଅନୁଗୁଳ ଥାନାରେ ହୋଇଥିଲା । ଏହି ଅଭିଯୋଗ ଆଧାରରେ ଆଜି ଉଭୟ ଦୋକାନକୁ ସିଲ୍ କରାଯାଇଛି ।

ସବୁଠାରୁ ବଡ କଥା ହେଲା, ମା ବୁଢ଼ୀ ମେଡ଼ିସିନ ଷ୍ଟୋର ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକଙ୍କ ବୋଲି ଜଣା ପଡ଼ିଛି । ନେତାଙ୍କ ମେଡିସିନ୍ ଷ୍ଟୋରରେ ନକଲି ମେଡିସିନ ବିକ୍ରି ଅଭିଯୋଗ ଆସିବା ପରେ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ଆଜର ସିଲ୍ ବେଳେ କଟକ ଆଡିସିନାଲ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣ, ଆଡିସିନାଲ ଡ୍ରଗ୍ସ କଣ୍ଟ୍ରୋଲର  ତୁଷାର ରଂଜନ ପାଣିଗ୍ରାହୀ, କଟକ ଡ୍ରଗ୍ସ ଇନ୍ସପେକ୍ଟର ହରିପ୍ରିୟା ମଲ୍ଲିକ, ଅନୁଗୋଳ ଡ୍ରଗ୍ସ ଇନ୍ସପେକ୍ଟର ମୁକ୍ତିନନ୍ଦା ଶତପଥିଙ୍କ ସହ ଅନୁଗୁଳ ଅତିରିକ୍ତ ତହସିଲଦାର ପ୍ରଶାନ୍ତ ସିଂହ ଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ । ଏନେଇ ଅନୁଗୁଳ ଏସଡିଜେଏମ୍ କୋର୍ଟରେ ମାମଲା ରୁଜୁ କରାଯିବା ସହ ଅନୁଗୁଳ ଥାନାରେ ଉଭୟ ସଂସ୍ଥାର ୪ ଜଣ ପାର୍ଟନରଙ୍କ ନାମରେ ଲିଖିତ ଅଭିଯୋଗ ହୋଇ ମାମଲା ହୋଇଛି ।

Comments are closed.