ଚଣ୍ଡିଗଡ଼: ହରିୟାଣାର ପାନିପତରେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସ୍ଥାନୀୟ ଏକ କାରଖାନାରେ ଜଗୁଆଳି ଭାବେ କାମ କରୁଥିବା ଜଣେ ଯୁବକ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଧରାପଡ଼ିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଯୁବକ ପାକିସ୍ତାନୀ ଆତଙ୍କବାଦୀ ଇକବାଲଙ୍କ ସହ ଯୋଗାଯୋଗରେ ଥିଲା ଏବଂ ଭାରତର ଗୁପ୍ତ ତଥ୍ୟ ସୋସିଆଲ ମିଡିଆ ଓ ହ୍ୱାଟସଆପ ଜରିଆରେ ପାକିସ୍ତାନକୁ ପଠାଉଥିଲା।
ପାନିପତ ପୁଲିସ ଏହି ଯୁବକଙ୍କ ମୋବାଇଲ ନମ୍ବରରୁ ସନ୍ଦେହଜନକ ଗତିବିଧି ଚିହ୍ନଟ କରି ତୁରନ୍ତ ତାଙ୍କୁ ହେପାଜତରେ ନେଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତଙ୍କ ନାମ ନୌମାନ ଇଲାହୀ (୨୪ ବର୍ଷ), ଯିଏ ଉତ୍ତର ପ୍ରଦେଶର ଶାମଲୀ ଜିଲ୍ଲାର କୈରାନା ଅଞ୍ଚଳର ବାସିନ୍ଦା। ସେ କିଛି ମାସ ପୂର୍ବେ ତାଙ୍କ ବଡ଼ ଭଉଣୀଙ୍କ ପାଖକୁ ପାନିପତ ଆସିଥିଲେ ଓ ଏକ କାରଖାନାରେ ଜଗୁଆଳୀ ଭାବେ କାମ କରୁଥିଲେ।
ମେ ୬-୭ ତାରିଖ ରାତିରେ ଭାରତର ‘ଅପରେସନ୍ ସିନ୍ଦୁର’ ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଅଧିକ ସତର୍କ ହୋଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲେ। ଏହି ସମୟରେ ନୌମାନଙ୍କ ମୋବାଇଲରୁ ପାକିସ୍ତାନ ସହ ଯୋଗାଯୋଗର ସୂଚନା ମିଳିଥିଲା। ତାଙ୍କ ଫୋନକୁ ତଦନ୍ତ କରିବାରୁ ଜଣାପଡ଼ିଛି ଯେ, ସେ ଆତଙ୍କବାଦୀ ଇକବାଲଙ୍କ ସହ ନିୟମିତ ଯୋଗାଯୋଗ ରଖୁଥିଲେ ଓ ଦେଶର ସୁରକ୍ଷା ସହ ଜଡ଼ିତ ଗୁପ୍ତ ତଥ୍ୟ ପଠାଉଥିଲେ।
ପୁଲିସର ସନ୍ଦେହ, ନୌମାନକୁ ଜଗୁଆଳି ଭାବେ ଚାକିରି କେବଳ ଏକ ବାହାନା ଥିଲା। ଏହି ଆଳରେ ସେ ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖୁଥିଲେ ଏବଂ ସେହି ସୂଚନା ପାକିସ୍ତାନକୁ ପହଞ୍ଚାଉଥିଲେ। ପଚରାଉଚରା ସମୟରେ ନୌମାନ କହିଛି ଯେ, ତାଙ୍କୁ ଏହି ଚାକିରି ପ୍ରୟାଗରାଜର ରଜନୀଶ ତିୱାରୀ ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ମିଳିଥିଲା, ଯିଏ ଏକ ସୁରକ୍ଷା ଏଜେନ୍ସି ଚଳାନ୍ତି।
ତଦନ୍ତ ପରେ ନୌମାନର ପୃଷ୍ଠଭୂମି ଜଣାପଡ଼ିଛି ଯେ, ତାଙ୍କ ବାପା ମାଙ୍କର ପାଞ୍ଚ ବର୍ଷ ପୂର୍ବେ ମୃତ୍ୟୁ ହୋଇଛି। ତାଙ୍କ ବଡ଼ ଭଉଣୀଙ୍କ ବିବାହ ପାନିପତରେ ହୋଇଛି ଏବଂ ସେ ଗତ ଚାରି ମାସ ହେଲା ତାଙ୍କ ସହ ରହୁଛନ୍ତି। ଏତେ କମ ସମୟ ମଧ୍ୟରେ ସେ କିପରି ଆତଙ୍କବାଦୀ ନେଟୱାର୍କ ସହ ଜଡ଼ିତ ହେଲେ, ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି।
ବର୍ତ୍ତମାନ ପାନିପତ ପୁଲିସର ଗୁଇନ୍ଦା ବିଭାଗ ନୌମାନକୁ ପଚରାଉଚରା କରୁଛି। ସେ ଠିକ୍ କେଉଁ ପ୍ରକାରର ତଥ୍ୟ ପାକିସ୍ତାନକୁ ପଠାଇଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ, ସେ ଦୀର୍ଘ ସମୟ ଧରି ଏକ ଆତଙ୍କବାଦୀ ନେଟୱାର୍କର ଅଂଶ ଥାଇପାରେ।
Comments are closed.