Latest Odisha News

BREAKING NEWS

ଦୂଷିତ ପରିବେଶ ଓ ଉତ୍ତପ୍ତ ବାୟୁମଣ୍ଡଳ ପ୍ରକୋପରେ ଜୀବଜଗତ ଧ୍ଵଂସାଭିମୁଖୀ

 ବିଶ୍ୱ ପରିବେଶ ଦିବସ 

ଦୂଷିତ ପରିବେଶ ଓ ଉତ୍ତପ୍ତ ବାୟୁମଣ୍ଡଳ ପ୍ରକୋପରେ ଜୀବଜଗତ ଧ୍ଵଂସାଭିମୁଖୀ
ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ଜେନା

ଏହି ଉତ୍ତମ ପୃଥିବୀ ପୃଷ୍ଠରେ ଯେତେବେଳେ ପ୍ରଥମ କରି ଜୀବଜଗତ ଓ ତା’ର ବହୁଯୁଗ ପରେ ମନୁଷ୍ୟ ବସବାସ କଲେ, ସେତେବେଳର ଜୀବନଯାପନ, ପ୍ରାଚୁର୍ଯ୍ୟ ସମ୍ପଦ ଓ ସ୍ୱାସ୍ଥ୍ୟକର ପରିବେଶରେ ସୁଖମୟ ଥିଲା । କାଳକ୍ରମେ ମନୁଷ୍ୟ ଉତ୍ତମ ଜୀବନଯାପନ କରିବା ଲାଳସାରେ ବିଭିନ୍ନ ପ୍ରାକୃତିକ ସମ୍ପଦକୁ ଖାମଖିଆଲି ଭାବରେ ବ୍ୟବହାର କରିବାକୁ ଲାଗିଲା । ୧୭୬୦ ମସିହା ଶିଳ୍ପ ବିପ୍ଲବ ପରେ ପୃଥିବୀର ବିଭିନ୍ନ ଦେଶମାନଙ୍କରେ ନା ନା ପ୍ରକାରର ଶିଳ୍ପ କାରଖାନା, ରାସ୍ତାଘାଟ ଓ ସହର ବଜାରମାନ ଗଢିଉଠିଲା । ଆଧୁନିକ ପ୍ରଣାଳୀରେ ଚାଷବାସ କରାଗଲା । ବହୁପରିମାଣର କୋଇଲା, ପେଟ୍ରୋଲ, ଡିଜେଲ୍ ଇତ୍ୟାଦି ବ୍ୟବହାର କରି ଅସଂଖ୍ୟ କାର, ରେଳଗାଡି, ଉଡାଜାହାଜ, ଜଳ ଜାହାଜ ଇତ୍ୟାଦି ଚଳାଚଳ କରାଗଲା । ବହୁ ପ୍ରକାର ଖଣିଜ ସମ୍ପଦ ଭୂଗର୍ଭରୁ ଉତ୍ତୋଳନ କରାଯାଇ ସେଗୁଡିକରୁ ଶିଳ୍ପ କାରଖାନାମାନଙ୍କରେ ଲକ୍ଷ ଲକ୍ଷ ଟନ୍ର ଇସ୍ପାତ,ଆଲୁମୁନିୟମ୍, ତମ୍ବା ଇତ୍ୟାଦି ଧାତୁ ଓ ମିଶ୍ର ଧାତୁମାନ ଉତ୍ପନ୍ନ କରାଗଲା । ଏହି ସବୁରୁ ଓ ବସବାସ କରୁଥିବା ଅଞ୍ଚଳରୁ ବିଭିନ୍ନ ପ୍ରକାର ତେଜ୍ୟ ପଦାର୍ଥ ମାନ ନିର୍ଗତ ହୋଇ ଜଳ, ସ୍ଥଳ ଓ ବାୟୁମଣ୍ଡଳକୁ ଦୂଷିତ କରିବାକୁ ଲାଗିଲା । ମନୁଷ୍ୟ ଉତ୍ତମ ଜୀବନଯାପନ ଲାଳସାରେ ମାତି ପରିବେଶର ସୁରକ୍ଷାପ୍ରତି ନଜର ନ ଦେବା ଫଳରେ ଆଜି ଏ ପୃଥିବୀ ବହୁ ପରିମାଣରେ ପ୍ରଦୂଷିତ ଓ ତା’ର ବାୟୁମଣ୍ଡଳ ଉତ୍ତପ୍ତ ହେବାରେ ଲଗିଛି ।

ଖାମଖିଆଲି ଭାବେ ବିଭିନ୍ନ ପ୍ରାକୃତିକ ସମ୍ପଦ ବ୍ୟବହାର କରିବା ଯୋଗୁଁ ପୃଥିବୀର ଅନେକ ବଣ, ଜଙ୍ଗଲ ନଷ୍ଟ ହେଉଛି । ବହୁ ଅଞ୍ଚଳରେ ଆଦ୍ର ଜଳ ଜମିଗୁଡିକ ପୋତାହୋଇ କଳକାରଖାନା, ରାସ୍ତାଘାଟ ତିଆରି ହେବାରେ ଲାଗିଛି । ନଈନାଳଗୁଡିକ ନିଜ ପାର୍ଶ୍ୱବର୍ତ୍ତୀ ଗଛଲତାଗୁଡିକୁ ହରାଇ ପୋତିହେବାରେ ଲାଗିଛନ୍ତି ଓ ତେଜ୍ୟ ପଦାର୍ଥଗୁଡିକ ଦ୍ୱାରା ସେଗୁଡିକର ଜଳ ଦୂଷିତ ହେଉଛି । ବିଭିନ୍ନ କାରଖାନା ଓ ଗାଡିମଟରରୁ ବିଷାକ୍ତ ଗ୍ରୀନ୍ ହାଉସ୍ ଗ୍ୟାସ୍ ଯଥା – କାର୍ବନ୍ ଡାଇଅକ୍ସାଇଡ୍, ମିଥେନ୍, ନାଇଟୋ୍ରଜେନ୍ ଓ ସଲ୍ଫର ଅକ୍ସାଇଡ୍, କ୍ଲୋରୋ ଫ୍ଲୋରୋ କାର୍ବନ୍ ଓ କ୍ଷୁଦ୍ର ଧୂଳିକଣା ଗୁଡିକ ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ନିର୍ଗତ ହୋଇ ବାୟୁମଣ୍ଡଳର ଉତ୍ତାପ (ଗ୍ଲୋବାଲ୍ ୱାର୍ମିଙ୍ଗ୍) ବଢାଇବାରେ ଲାଗିଛି । ଏହାଫଳରେ ବାୟୁଚଳାଚଳ, ଅସମୟ ବୃଷ୍ଟିପାତ, କୃଷି ଉତ୍ପାଦନ, ଜଙ୍ଗଲର ବୃଦ୍ଧିକରଣ ଇତ୍ୟାଦି ଦିଗରେ ବହୁ ପରିମାଣରେ ପରିବର୍ତ୍ତନ ଘଟୁଛି । ବାୟୁୂମଣ୍ଡଳର ଉତ୍ତାପ ୧ ଡିଗ୍ରୀ ସେଣ୍ଟିଗ୍ରେଡ୍ ବଢିବାଯୋଗୁ ଉଦ୍ଭିଦ ବଳୟ ମେରୁଆଡକୁ ୨୦୦ କି.ମି. ପର୍ଯ୍ୟନ୍ତ ସ୍ଥାନାନ୍ତର ହେଉଛି ଓ ତା’ ସଙ୍ଗେ ସମୁଦ୍ରର ଜଳପତ୍ତନର ବୃଦ୍ଧି ଘଟି ସମୁଦ୍ର କୂଳିଆ ବହୁ ବସବାସ ଅଞ୍ଚଳକୁ ଜଳମଗ୍ନ କରୁଛି । ଏହାଫଳରେ ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହେଉଛନ୍ତି ଏବଂ ଜିବୀକା ଓ ଧନସମ୍ପଦ ହରାଉଛନ୍ତି ।

ଏହି ‘ଗ୍ଲୋବାଲ୍ ୱାର୍ମିଙ୍ଗ’ ଯୋଗୁଁ ଗତ ଶତାବ୍ଦୀ ମଧ୍ୟରେ ସମୁଦ୍ରର ଜଳପତ୍ତନ ୧୫ ରୁ ୨୦ ସେମି ବଢିଛି । ଆଶଙ୍କା କରାଯାଉଛି, ଏହି ଶତାବ୍ଦୀର ଶେଷବେଳକୁ ଏହା ୧୦୦ ସେମିକୁ ବୃଦ୍ଧିପାଇବ। ଏଥିଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ଘଟିବ ଏବଂ ଲକ୍ଷ ଲକ୍ଷ ବସବାସ ଓ ଚାଷଜମିଗୁଡିକ ଲୋପ ପାଇଯିବ । ପୁନଶ୍ଚ, ଏହାସାଙ୍ଗକୁ ଦୂଷିତ ପରିବେଶ ଯୋଗୁଁ କୋଟି କୋଟି ଲୋକ ବିଭିନ୍ନ ପ୍ରକାର ମାରାତ୍ମକ ରୋଗବ୍ୟାଧି ଯଥା – ଆଜମା, କ୍ୟାନସର, କଲେରା, ଡିସେଣ୍ଟ୍ରି, ଡାଇରିଆ, ଡେଙ୍ଗୁ ପ୍ରଭୃତିରେ ବହୁ ପରିମାଣରେ ଭୋଗିବାରେ ଲାଗିଲେଣି । ଉଦାହରଣ ସ୍ୱରୂପ, ୱାଲର୍ଡ ହେଲଥ୍ ଅର୍ଗାନାଇଜେସନ୍ର (ଡବ୍ଲୁ. ଏଚ୍.ଓ) ସୂଚନା ଅନୁସାରେ ୨୦୧୨ ମସିହାରେ ପୃଥିବୀର ଏହି ଦୂଷିତ ପରିବେଶ ଯୋଗୁଁ ୧୬ ବର୍ଷରୁ କମ୍ ୩୭ ଲକ୍ଷ ଲୋକ ବିଭିନ୍ନ ପ୍ରକାର ରୋଗରେ ଅକାଳ ମୃତ୍ୟୁବରଣ କରିଛନ୍ତି ।

‘ଗ୍ଲୋବାଲ୍ ୱାର୍ମିଙ୍ଗ୍’ ଯୋଗୁଁ ଅଧିକ ପରିମାଣରେ ଓ ଅସମୟରେ ପୃଥିବୀର ବିଭିନ୍ନ ଆଡେ ପ୍ରଳୟଙ୍କାରି ବାତ୍ୟା ସୃଷ୍ଟି ହେଉଛି । ୨୦୧୯ ମସିହାର ‘ମେ’ ମାସର ପ୍ରଥମ ଭାଗରେ ଫଣି ବାତ୍ୟା ଭୟଙ୍କର ରୂପଧରି ଓଡିଶାର ଉପକୂଳ ଅଞ୍ଚଳରେ ପ୍ରଳୟ ସୃଷ୍ଟି କରିଥିଲା । ଉତପ୍ତ ବାୟୁମଣ୍ଡଳ ପ୍ରକୋପରେ ମଧ୍ୟ ଭାରତ ଓ ପୃଥିବୀର ବିଭିନ୍ନ ସ୍ଥାନରେ ଭୟଙ୍କର ନଈବଢି ଓ ମରୁଡି ଘଟିବାରେ ଲାଗିଛି । ଏହି ପ୍ରକାର ବାତ୍ୟା, ବଢି, ମରୁଡି ଯୋଗୁଁ ପୃଥିବୀର ବିଭିନ୍ନ ଅଞ୍ଚଳରେ ପ୍ରତିବର୍ଷ ବହୁ ମନୁଷ୍ୟ, ପଶୁପକ୍ଷୀ, ବଣଜଙ୍ଗଲ ଓ ଧନସମ୍ପଦ ନଷ୍ଟ ହେଉଛି । ଜାତିସଂଘର ‘ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ’ (ଆଇ. ପି.ସି.ସି) ସତର୍କ କରିଦେଇଛନ୍ତି ଯେ, ବାୟୁମଣ୍ଡଳର ଉତ୍ତାପର କ୍ରମବର୍ଦ୍ଧନ ଯୋଗୁଁ ପୃଥିବୀ ର ବିଭିନ୍ନ ସ୍ଥାନରେ ମୁଖ୍ୟତଃ ଭାରତର ଜଳବାୟୁର ଏକ ବଡ ଧରଣର ପରିବର୍ତ୍ତନ ହେବ । ଏଥିଯୋଗୁଁ ଲୋକମାନେ ବନ୍ୟା, ବାତ୍ୟା, ତାତି (ହିଟ୍ ୱେଭ) ଇତ୍ୟାଦିର ସମ୍ମୁଖୀନ ହେବେ ଏବଂ ବହୁ ପରିମାଣର ଧନ ଜୀବନ ନଷ୍ଟ ହେବ ଏବଂ ଦେଶର ଉତ୍ପାଦନ କ୍ଷେତ୍ରରେ ବହୁ ବାଧା ସୃଷ୍ଟି ହେବ । ପୁଣି ଆକଳନ କରାଯାଇଛି ଯେ, ଅଧିକ ପରିମାଣର ଗ୍ରୀନ ହାଉସ ପ୍ରକୋପରୁ ୨୦୩୦ ଓ ୨୦୫୨ ମସିହା ମଧ୍ୟରେ ବାୟୁମଣ୍ଡଳର ତାପମାତ୍ରା ପ୍ରାୟ ୧.୫ ଡିଗ୍ରୀକୁ ବୃଦ୍ଧି ଘଟି ଆହୁରି ଅଧିକ କ୍ଷତି ଘଟାଇବ ।

ପୃଥିବୀର ବିଭିନ୍ନ ଦେଶରେ ବିଶେଷତଃ ଭାରତରେ ଶିଳ୍ପ, ସହର ବଜାର ଓ ବସବାସ ଅଞ୍ଚଳର ତେଜ୍ୟ ପଦାର୍ଥଗୁଡିକ ଜଳ, ସ୍ଥଳ ଓ ବାୟୁମଣ୍ଡଳକୁ ଦ୍ରୁତଗତିରେ ଦୂଷିତ କରିବାରେ ଲାଗିଛି । ୨୦୧୪ ମସିହାରେ ‘ୱାଲର୍ଡ ହେଲଥ୍ ଅରଗାନାଇଜେସନ୍’ ସୂଚନା ଅନୁଯାୟୀ ପୃଥିବୀର ୧୬୦୦ ସହର ମଧ୍ୟରୁ ଦିଲ୍ଲୀ ସହରର ପରିବେଶ ସବୁଠାରୁ ନିକୃଷ୍ଟ ଏବଂ ଭାରତର ଆଉ ୧୩ଟି ସହରର ଅବସ୍ଥା ମଧ୍ୟ ତଦ୍ରୁପ । ତା’ଛଡା ଦିଲ୍ଲୀ ସହରକୁ ‘’ ଆଜମା ରୋଗର ରାଜଧାନୀ’’ ବୋଲି ଆଖ୍ୟା ଦିଆଯାଇଛି ।

ଏସବୁୂ ଦୃଷ୍ଟିରୁ ଆମ ଦେଶରେ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ ଓ ଜୀବନଶୈଳୀକୁ ପରିବେଶଜନିତ ଦୁଃଖ ଦୁର୍ଦଶାରୁ ରକ୍ଷା କରିବା ପାଇଁ ନିମ୍ନଲିଖିତ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ଉଚିତ୍ ।

୧) ଶିଳ୍ପ, ଗମନାଗମନ ପାଇଁ କମ୍ ପରିମାଣର କୋଇଲା, ଡିଜେଲ୍, ପେଟୋ୍ରଲ୍ ଇତ୍ୟାଦି ବ୍ୟବହାର କରିବା ଦରକାର,
୨) ସୂର୍ଯ୍ୟ, ପବନ, ଜୈବିକ ବର୍ଜ୍ୟ ପଦାର୍ଥ ଓ ଜଳଶକ୍ତିରୁ ନିର୍ମଳ ଶକ୍ତି ବହୁ ପରିମାଣରେ ଉପାଦାନ କରାଇ ସେସବୁକୁ ବିଭିନ୍ନ କ୍ଷେତ୍ରରେ ଅଧିକ ପରିମାଣରେ ବ୍ୟବହାର କରାଇବା,
୩) ଅଧିକ ପରିମାଣର ବିଦ୍ୟୁତ ଚାଳିତ ଯାନବାହନ ବ୍ୟବହାର କରି କମ୍ ପରିମାଣର ‘ଗ୍ରୀନ ହାଉସ୍ ଗ୍ୟାସ୍ ବାୟୁମଣ୍ଡଳକୁ ଛାଡିବା,
୪) କୃଷି, ଶିଳ୍ପ ଓ ଘରୋଇ ଆବର୍ଜନା ଗୁଡିକୁ ବାହାରେ ନ ଜାଳି, ଏଥିରୁ ବାୟୋଗ୍ୟାସ୍ ଉତ୍ପନ୍ନ କରାଇ ବ୍ୟବହାର କରିବା ଏବଂ
୫) ମୁକ୍ତ ଆକାଶରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବା ଏବଂ ତେଜ୍ୟ ମଳଗୁଡିକୁ ସାରରେ ପରିଣତ କରାଇବା ।
୬) ବିଭିନ୍ନ କ୍ଷେତ୍ରରେ ନିର୍ଗତ ଜୈବିକ ତେଜ୍ୟ ପଦାର୍ଥଗୁଡିକୁ ଜଳ, ସ୍ଥଳ ଓ ବାୟୁମଣ୍ଡଳକୁ ନଛାଡି ସେଗୁଡିକୁ ବାୟୋଗ୍ୟାସ୍ ଓ ସାରରେ ପରିଣତ କରାଇ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିବା ।

ଏଦିଗରେ ସମସ୍ତ ଦେଶବାସୀଙ୍କ ସହଯୋଗରେ ରାଜ୍ୟ ଓ କେନ୍ଦ୍ର ସରକାର ଉପରଲିଖିତ ଯୋଜନାମାନ କାର୍ଯ୍ୟକାରୀ କରାଇଲେ ଦେଶବାସୀଙ୍କର ‘ସ୍ୱଚ୍ଚ ଭାରତ’ର ସ୍ୱପ୍ନ ଶାକାର ହେବ ।

ପ୍ରତିବର୍ଷ ଜୁନ୍ ମାସ ୫ ତାରିଖକୁ ‘ପୃଥିବୀ ପରିବେଶ ଦିବସ’ ରୂପେ ପାଳନ କରାଯାଉଛି । ସେଦିନ ଆମେ ଏଠି ସେଠି ସଭାସମିତି କରି, ରାସ୍ତାଘାଟରେ ସ୍ଲୋଗାନ୍, ପଦଯାତ୍ରା କରି ଓ ନଈନାଳ କଡରେ ଗଛ କେତୋଟି ରୋପଣ କରି ବର୍ଷର ଆଉସବୁ ଦିନ ପରିବେଶ କଥା ଭୁଲିଗଲେ ‘ଉତ୍ତମ ପରିବେଶ’ କରିବା ସ୍ୱପ୍ନରେ ରହିଯିବ । ସେଥିପାଇଁ ଆମେ ସମସ୍ତେ ରାଜ୍ୟ ଓ ପ୍ରାଦେଶିକ ସରକାରଙ୍କ ସହିତ ମିଶି ଉପର ଲିଖିତ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଇଲେ ଆମର ଜଳ, ସ୍ଥଳ ଓ ବାୟୁମଣ୍ଡଳ ସ୍ୱାସ୍ଥ୍ୟ ଉପଯୋଗୀ ହେବ । ଆମେ ଏହି ସ୍ୱାସ୍ଥ୍ୟକର ପରିବେଶକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ବଂଶଧରଙ୍କୁ ମଧ୍ୟ ସ୍ୱାସ୍ଥ୍ୟକର ପରିବେଶରେ ରହିବା ପାଇଁ ସୁଯୋଗ ଦେଇ ପାରିବା ।

(ପୂର୍ବତନ ଡାଇରେକ୍ଟର ଜେନେରାଲ, କାଉଁସିଲ୍ ଅଫ୍ ସାଇଁଣ୍ଟିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ)
(ପୂର୍ବତନ ପ୍ଲାନିଙ୍ଗ୍ ବୋର୍ଡ ସଭ୍ୟ, ଓଡିଶା ସରକାର)
ଚେୟାରମ୍ୟାନ୍, ଇନ୍ସଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି ଆଣ୍ଡ ଏନଭାଇରନ୍ମେଣ୍ଟାଲ ଷ୍ଟଡିଜ୍
୮୦ଏ – ୮୧ଏ, ଲୁଇସ୍ ରୋଡ୍, ଭୁବନେଶ୍ୱର – ୭୫୧୦୦୨

Comments are closed.