Latest Odisha News

ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ଦୂତୀ ଚାନ୍ଦ…

ଦୋହା: ଭାରତର ଦ୍ରୁତତମ ମହିଳା ତଥା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ନେଇ ଏବେ ଚାଲିଛି ଭାରତୀୟ କ୍ରିଡ଼ାଜଗତରେ ଚର୍ଚ୍ଚା । ଭାରତୀୟ ଆଥଲେଟ ଭାବେ ୧୦୦ ମିଟର୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛନ୍ତି ଦୂତୀ ଚାନ୍ଦ ।

ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ଦୋହାରେ ଅନୁଷ୍ଠିତ ହେଉଛି ‘ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା’ । ଏହି ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗନେବାକୁ ଦୂତୀ କାତାରର ଦୋହାରେ ପହଞ୍ଚିଗଲେଣି । ଆସନ୍ତା ଶନିବାର ଦିନ ଦୂତୀ ଏହି ଦୌଡ଼କୁଦର ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ୍ ହେବେ ।

ଏହି ପ୍ରତିଯୋଗିତାରେ ଭାରତର ବଛା ବଛା ୩୦ ଜଣ ଶ୍ରେଷ୍ଠ ଆଥଲେଟ ଅଂଶଗ୍ରହଣ କରୁଥିଲେ ମଧ୍ୟ ଭାରତୀୟ କ୍ରୀଡ଼ାପ୍ରେମୀମାନଙ୍କ ନଜର୍ ରହିଛି ସ୍ପ୍ରିଣ୍ଟ୍ କୁଇନ୍ ଦୂତୀଙ୍କ ଉପରେ ।

ପୂର୍ବରୁ ଦୂତୀ ଏସୀୟ ଦୌଡ଼କୁଦରେ ବ୍ରୋଞ୍ଜ୍ ପଦକ ହାସଲ କରିପାରିଛନ୍ତି । ମାତ୍ର, ଦୂତୀ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ଜାହିର କରି ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରନ୍ତୁ ଏହା ଚାହୁଁଛନ୍ତି କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀ ।

ଇତିମଧ୍ୟରେ ଦୂତୀ ଏହି ବିଶ୍ୱ ଚାମ୍ପିୟନସିପ ଲାଗି ନିଜର ଦୌଡ଼ ତାଲିମ ସଫଳତାର ସହିତ ସମାପ୍ତ କରିପାରିଛନ୍ତି ବୋଲି ଟ୍ୱିଟ୍ କରି ଦୂତି ନିଜର ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତାରେ ସଫଳତା ହାସଲ ଲାଗି ଦୂତୀ କଠିନ ପରିଶ୍ରମ କରିଛନ୍ତି । ଦିନରେ ପ୍ରାକ୍ଟିସ କରିବା ବ୍ୟତୀତ ରାତିରେ ମଧ୍ୟ ଦୂତି ଅଭ୍ୟାସ କରିଛନ୍ତି । ଦୋହାର ଜଳବାୟୁ ସହିତ ପରିଚିତ ହୋଇ ସେଠାରେ ବିଶ୍ୱସ୍ତରୀୟ ପ୍ରତିଯୋଗୀମାନଙ୍କୁ ଟକ୍କର ଦେବା ଲକ୍ଷ୍ୟରେ ରହିଛନ୍ତି ଏହି ଚର୍ଚ୍ଚିତ ମହିଳା ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ।

ଦୂତୀ ଚାନ୍ଦ ୨୦୨୦ରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ କରିବା ଲାଗି ଚେଷ୍ଟା କରିବେ ।

Comments are closed.