ଭୁବନେଶ୍ବର : ଟୋକିଓ ଅଲମ୍ପିକ୍ସରୁ ଫେରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛି ଗଣମାଧ୍ୟମରେ ତାଙ୍କ ପରିବାରକୁ ନେଇ ନକରାତ୍ମକ ଖବର ପ୍ରସାରଣ ହୋଇଥିଲା । ଏହାକୁ ବିରୋଧ କରି ସମ୍ପୃକ୍ତ ଗଣମାଧ୍ୟମ ଗୁଡି଼କୁ ଲିଗାଲ ନୋଟିସ ପଠାଇବେ ବୋଲି କହିଛନ୍ତି ଦୂତୀ ଚାନ୍ଦ । ମିଥ୍ୟା ଖବର ପ୍ରସାରଣ କରିଥିବା ଲୋକଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଛନ୍ତି ଦୂତୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦୂତୀ ଚାନ୍ଦ ।
ବିଶେଷ କରି ଏକ ନିର୍ଦ୍ଧିଷ୍ଟ ୱେବ ପୋର୍ଟାଲର ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି ଦୁତୀ । ଏହାସହ ଜଣେ ସୂଚନା ଅଧିକାର କର୍ମୀଙ୍କ ନାମ ମଧ୍ୟ ସେ କହିଛନ୍ତି । ଖେଳରେ ହାରଜିତ ଲାଗି ରହିଛି, ହେଲେ ଜଣେ କ୍ରୀଡ଼ାବିତଙ୍କୁ ନିରୁତ୍ସାହିତ କରିବା କେତେ ଯୁକ୍ତିଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଦୂତୀ । ଅଲିମ୍ପିକ୍ସ ଭଳି ଏକ ମେଗା ଇଭେଣ୍ଟ ଚାଲୁଥିବା ସମୟରେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକାଇବା ଘଟଣାକୁ ଦୂତିଙ୍କ କୋଚ୍ ବିରୋଧ କରିଛନ୍ତି । ଅନ୍ୟ ରାଜ୍ୟ ପକ୍ଷରୁ ଖେଳିବା ପାଇଁ ଅଫର ଥିଲେ ଦୂତୀ ରାଜ୍ୟକୁ ଭଲ ପାଉଛନ୍ତି । ଯେଉଁଥି ପାଇଁ ସେ ଓଡ଼ିଶା ତରଫରୁ ଖେଳୁଛନ୍ତି । ଏଭଳି ସ୍ଥିତିରେ ତାଙ୍କ ଉପରେ ମାନସିକ ଚାପ ପକାଇ ତାଙ୍କୁ ବଦନାମ କରିବା ଠିକ ହେଉନାହିଁ ବୋଲି କହିଛନ୍ତି ଦୂତୀଙ୍କ କୋଚ୍ ଶିବ ପ୍ରସାଦ ମିଶ୍ର । ଅନ୍ୟପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୂତୀଙ୍କୁ ବଦନାମ କରିଥିବା ଲୋକଙ୍କ ବିରୋଧରେ ୫ କୋଟିର ମାନହାନୀ ମକଦମା ଦାୟର କରାଯାଇଛି । ଏଥିପାଇଁ ଆବଶ୍ୟକ ଆଇନଗତ ଆଶ୍ରୟ ନିଆଯିବ ବୋଲି ଦୂତୀଙ୍କ ଆଇନଗତ ଆଡଭାଇଜର କହିଛନ୍ତି ।
Comments are closed.