ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଦ୍ଵାରଶୁଣି ଘାଟି ରାସ୍ତାର ହେବ ନବକଳେବର। ନିର୍ମାଣ ହେବ ୪ ଥାକିଆ ରାସ୍ତା। ବହୁଳ ଦୁର୍ଘଟଣା ହେଉଥିବା ଅଞ୍ଚଳରେ ଦୁର୍ଘଟଣାରୁ ମୁକ୍ତି ପାଇବେ ଅଞ୍ଚଳବାସୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଙ୍ଗିରିପୋଷି ଗସ୍ତ କାଳରେ ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ପୁଣି ଦ୍ଵାରଶୁଣି ଘାଟି ରାସ୍ତା ଚାରି ଥାକିଆ ହେବା ଖବର ଆସିଛି। ଏହି ଘାଟି ରାସ୍ତାରେ ବର୍ଷର ପ୍ରାୟ ଅଧିକାଂଶ ସମୟରେ ବଡ଼ବଡ଼ ସଡ଼କ ଦୁର୍ଘଟଣା ଘଟିଥାଏ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ଵାରଶୁଣି ଘାଟିରେ ଦୁର୍ଘଟଣା ହ୍ରାସ ପାଇବାର ଆଶଙ୍କା ଦେଖାଯାଉଛି।
ସୂଚନା ଅନୁଯାୟୀ, ଦ୍ଵାରଶୁଣି ଘାଟି ରାସ୍ତାର ୯.୧୯୮କିମି ରାସ୍ତା ବେଶୀ ଚିନ୍ତାଜନକ ଥିବା ବେଳେ ଏହାକୁ ୪ ଥାକିଆ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ବିଧିବଦ୍ଧ ଭାବେ ଜାତୀୟ ରାଜପଥ ପ୍ରାଧିକରଣ ମାଧ୍ୟମରେ ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ୧୯୬.୧୫ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ରାସ୍ତା ନିର୍ମାଣ କାମ ୨ ବର୍ଷ ୫ ମାସ ଭିତରେ ସାରିବା ବୋଲି ଜାଣିବାକୁ ମିଳିଛି।
ଦୀର୍ଘ ବର୍ଷ ଧରି ବିପଦପୂର୍ଣ୍ଣ ଭାବରେ ଥିବା ଏହି ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ବାରମ୍ୱାର ଦାବି ହେଉଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ଵତନ୍ତ୍ର ଦୃଷ୍ଟି ତଥା ଓଡ଼ିଶା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ, ବିଜେପି ବଶିଷ୍ଠ ନେତା ସଂଜୀବ ମହାନ୍ତିଙ୍କ ପ୍ରଚେଷ୍ଟା ଫଳରେ ଏହି ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ପୂର୍ବତନ ସାଂସଦ ବିଶେଶ୍ୱର ଟୁଡୁଙ୍କ ଉଦ୍ୟମକୁ ମଧ୍ୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ଅନ୍ୟପକ୍ଷେ ବାଙ୍ଗିରିପୋଷି ଦ୍ୱାରଶୁଣୀ ଘାଟି ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ ପାଇଁ ନିଜର ଅନୁରୋଧ ରକ୍ଷା କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଧନ୍ୟବାଦ ଜଣାଇଛନ୍ତି।