Latest Odisha News

BREAKING NEWS

ରାଜ୍ୟରେ ଚାଲିବ ଇ-ବସ୍

ଭୁବନେଶ୍ୱର: ରାଜ୍ୟରେ ଖୁବ୍‍ ଶୀଘ୍ର ଚାଲିବ ଇ-ବସ୍ । ଏ ନେଇ ପରିବହନ ବିଭାଗ ଅଧିକାରୀ ଓ କ୍ରୁଟ୍ କୁ ପରାମର୍ଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏ ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଗୁରୁବାର ଲୋକସେବା ଭବନ ରେ ‘ମୋ ବସ୍’ ପରିଚାଳନା ସମୀକ୍ଷା ସମୟରେ ଏହି ନିର୍ଦ୍ଦେଶ ଆସିଛି ।

ବର୍ତ୍ତମାନ ୩୨ ଟି ରୁଟ୍‌ରେ ଚଳାଚଳ କରୁଥିବା ୨୨୫ ଟି ବସ୍‌ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା , ପିପିଲି , କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି ।

ଏହି ସବୁ ବସ୍ ଗୁଡିକ ସୁ-ବ୍ୟବସ୍ଥିତ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଛି । ତେବେ ପରିବର୍ତିତ ପରିସ୍ଥିତିରେ ଏଥିରେ ଖୁବ୍ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।

ସମୀକ୍ଷାରୁ ପ୍ରକାଶ ଯେ ୨୦୧୯ ମସିହାରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇ-ରିକ୍ସା ସେବା ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଲୋକମାନେ ମୋ ବସ୍ ଷ୍ଟାଣ୍ଡ ପର୍ୟ୍ୟନ୍ତ ଆସି ବସ୍ ଧରି ନିଜ ଗନ୍ତବ୍ୟ ସ୍ଥଳିକୁ ଯାଇ ପାରୁଛନ୍ତି।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟ ସ୍ଥଳ ନିର୍ମାଣ କରାଯାଇଛି । ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡକଣ, ପୋଖରିପୁଟ ଓ ନରାଜ ଠାରେ ଡିପୋ କମ୍ ଅଫିସ ନିର୍ମାଣ ଚଲିିଛି । କ୍ୟାପିଟାଲ ରିଜିଅନର ବିଭିନ୍ନ ଅଂଚଳରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି ।

ଆଗାମୀ ଦିନରେ କିପରି ଏହାକୁ ଆହୁରି ଅଧିକ ବ୍ୟାପକ ଓ ସୁଦୃଢ କରାଯାଇ ପାରିବ ସେ ନେଇ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ବୈଠକରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂହ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.