Latest Odisha News

BREAKING NEWS

E-Passport: ଭାରତରେ ଇ-ପାସପୋର୍ଟ ସେବା ଆରମ୍ଭ…ଜାଣନ୍ତୁ ଯୋଗ୍ୟତା, ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ:ଭାରତ ଆନୁଷ୍ଠାନିକ ଭାବରେ ଇ-ପାସପୋର୍ଟ ସେବା ଆରମ୍ଭ କରିଛି । ଭାରତ ଏବେ ଇ-ପାସପୋର୍ଟ ପ୍ରଦାନ କରୁଛି। ଏହା ପାସପୋର୍ଟର ଏକ ନୂତନ ଏବଂ ଉନ୍ନତ ସଂସ୍କରଣ, ଯାହାକୁ ଲୋକମାନେ ସାରା ଦେଶରେ ଆବେଦନ କରିପାରିବେ। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍ ପ୍ରୋଜେକ୍ଟ ଭାବରେ ୧ ଏପ୍ରିଲ୍ ୨୦୨୪ରେ ଇ-ପାସପୋର୍ଟ ପ୍ରଥମେ ଆରମ୍ଭ କରାଯାଇଥିଲା।

ଇ-ପାସପୋର୍ଟ କ’ଣ?

ଏହି ଇ-ପାସପୋର୍ଟଟି ଏକ ସାଧାରଣ ଭାରତୀୟ ପାସପୋର୍ଟ ପରି ଦେଖାଯାଏ । କିନ୍ତୁ ଏଥିରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଯୋଡା ଯାଇଛି । ଏହାର କଭରରେ ଏକ(Radio Frequency Identification – RFID) ଚିପ୍ ଏବଂ ଆଣ୍ଟେନା ରହିଛି, ଯାହା ଧାରକଙ୍କ ବାୟୋମେଟ୍ରିକ୍ ସୂଚନା, ଯେପରିକି ଆଙ୍ଗୁଠି ଛାପ ଏବଂ ଏକ ଡିଜିଟାଲ୍ ଫଟୋ ସଂରକ୍ଷଣ କରିଥାଏ। ଏହି ପାସପୋର୍ଟକୁ ନକଲି କରିବା ପ୍ରାୟ ଅସମ୍ଭବ । ଏହାର କଭରରେ “ପାସପୋର୍ଟ” ଶବ୍ଦ ତଳେ ଥିବା ଏକ ଗୋଲ୍ଡେନ ରଙ୍ଗର ଚିହ୍ନ ଥାଏ  ; ଫଳରେ ଏହାକୁ ସହଜରେ ଚିହ୍ନଟ କରାଯାଇ ପାରିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପାସପୋର୍ଟ ଅନ୍ତର୍ଜାତୀୟ (ICAO-International Civil Aviation Organisation) ମାନଦଣ୍ଡ ଅନୁଯାୟୀ ହୋଇଛି, ତେଣୁ ଏହାକୁ ବିଶ୍ୱବ୍ୟାପୀ ସ୍ୱୀକୃତି ମିଳିଛି।

ଏହାକୁ କେଉଁଠାରେ ପାଇବେ?

ପ୍ରାରମ୍ଭରେ ଏହି ସୁବିଧା କେବଳ ଚେନ୍ନାଇ, ହାଇଦ୍ରାବାଦ, ଭୁବନେଶ୍ୱର, ସୁରଟ, ନାଗପୁର, ଗୋଆ, ଜମ୍ମୁ, ସିମଲା, ରାୟପୁର, ଅମୃତସର, ଜୟପୁର, ରାଞ୍ଚି ଏବଂ ଦିଲ୍ଲୀର ପାସପୋର୍ଟ ସେବା କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ଥିଲା। କିନ୍ତୁ ଏବେ ପାସପୋର୍ଟ ସେବା କାର୍ଯ୍ୟକ୍ରମ 2.0 ଅଧୀନରେ ଏହାକୁ ସାରା ଦେଶରେ କାର୍ଯ୍ୟକାରୀ କରାଯାଇଛି।

ଏହି ସେବା ଏକକାଳୀନ ସମସ୍ତ କେନ୍ଦ୍ରରେ ଉପଲବ୍ଧ ହେବ ନାହିଁ, କିନ୍ତୁ ନାଗରିକମାନେ ଆବେଦନ କରିପାରିବେ। ଯେଉଁମାନଙ୍କ ପାଖରେ ବର୍ତ୍ତମାନ ବୈଧ ସାଧାରଣ ପାସପୋର୍ଟ ରହିଛି, ସେମାନଙ୍କୁ ତୁରନ୍ତ ସେଗୁଡ଼ିକୁ ବଦଳାଇବା ଜରୁରୀ ନୁହେଁ ।

ଯେକୌଣସି ଭାରତୀୟ ନାଗରିକ ଆବେଦନ କରିପାରିବେ। ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ : ପରିଚୟ ପ୍ରମାଣ, ଠିକଣା ପ୍ରମାଣ ଏବଂ ଜନ୍ମ ତାରିଖ ପ୍ରମାଣ। ପାସପୋର୍ଟ ସେବା କେନ୍ଦ୍ରରେ ବାୟୋମେଟ୍ରିକ୍ ଯାଞ୍ଚ ମଧ୍ୟ ବାଧ୍ୟତାମୂଳକ।

ପାସପୋର୍ଟ ସେବା ପୋର୍ଟାଲରେ ପଞ୍ଜୀକରଣ/ଲଗଇନ୍ କରନ୍ତୁ। ଅନଲାଇନ୍ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ନିକଟସ୍ଥ ପାସପୋର୍ଟ ସେବା କେନ୍ଦ୍ର ଚୟନ କରନ୍ତୁ। ନିର୍ଦ୍ଧାରିତ ଫି ଅନଲାଇନ୍ ରେ ଫିସ୍ କରନ୍ତୁ ଏବଂ ତାରିଖ ବୁକ୍ କରନ୍ତୁ। ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ନିର୍ଦ୍ଧାରିତ ତାରିଖରେ କେନ୍ଦ୍ରରେ ପହଞ୍ଚନ୍ତୁ। ସେଠାରେ ଯାଞ୍ଚ ଏବଂ ବାୟୋମେଟ୍ରିକ୍ କ୍ୟାପଚର ପରେ ଇ-ପାସପୋର୍ଟ ପ୍ରଦାନ କରାଯିବ।

କ’ଣ ଲାଭ ମିଳିବ?

ସରକାରଙ୍କ ଅନୁଯାୟୀ, ଇ-ପାସପୋର୍ଟ ଯାତ୍ରୀମାନଙ୍କୁ ଅନେକ ସୁବିଧା ପ୍ରଦାନ କରିବ।

ସୁରକ୍ଷା: ଚିପ୍‌ରେ ଥିବା ତଥ୍ୟକୁ ପରିବର୍ତ୍ତନ କରିବା କିମ୍ବା ନକଲି କରିବା ଅତ୍ୟନ୍ତ କଷ୍ଟକର ହେବ।
ଦ୍ରୁତ ଯାଞ୍ଚ: ବିମାନବନ୍ଦରଗୁଡ଼ିକରେ ଇମିଗ୍ରେସନ ପ୍ରକ୍ରିୟା ଦ୍ରୁତ ହେବ, ବିଶେଷକରି ସ୍ୱୟଂଚାଳିତ ଇ-ଗେଟ୍ ଥିବା ଦେଶଗୁଡ଼ିକରେ।
ଆନ୍ତର୍ଜାତୀୟ ମାନ୍ୟତା: ICAO (ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ) ନିର୍ଦ୍ଦେଶାବଳୀ ଅନୁସାରେ ଡିଜାଇନ୍ କରାଯାଇଛି।
ପରିଚୟ ସୁରକ୍ଷା: ଇଲେକ୍ଟ୍ରୋନିକ୍ ଏବଂ ବାୟୋମେଟ୍ରିକ୍ ଫିଚର ନାଗରିକମାନଙ୍କୁ ପରିଚୟ ଚୋରିରୁ ସୁରକ୍ଷା ଦେବ ।

Comments are closed.