Latest Odisha News

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୦ ରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ । ତାଙ୍କ ଶପଥ ଗ୍ରହଣ ସମାରୋହରେ ବିଶ୍ୱର ଅନେକ ବଡ ନେତା ଯୋଗଦେବେ । ଏଥିସହିତ ଭାରତ ପକ୍ଷରୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଯୋଗଦେବେ। ଶପଥ ଗ୍ରହଣ ସମାରୋହରେ ଭାଗ ନେବାକୁ ଟ୍ରମ୍ପ-ଭାନ୍ସ ଉଦ୍ଘାଟନୀ କମିଟି ଭାରତ ସରକାରଙ୍କୁ ଆମନ୍ତ୍ରଣ କରିଛି। ଏଥିରେ ଜୟଶଙ୍କର ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏହି ସମୟ ମଧ୍ୟରେ ସେ ଟ୍ରମ୍ପ ପ୍ରଶାସନକୁ ମଧ୍ୟ ଭେଟିବେ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଟ୍ରମ୍ପ-ଭାନ୍ସ ଉଦ୍ଘାଟନୀ କମିଟିର ନିମନ୍ତ୍ରଣ କ୍ରମେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ । ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ, ଏହି ଗସ୍ତ ସମୟରେ ଜୟଶଙ୍କର ଆମେରିକାର ନୂତନ ପ୍ରଶାସନର ସଦସ୍ୟ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଭେଟିବେ, ଯେଉଁମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ।

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୨୦ ରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। ସେ ଆମେରିକାର ୪୭ ତମ ରାଷ୍ଟ୍ରପତି ହେବେ। ଟ୍ରମ୍ପଙ୍କ ସରକାରରେ ଏଥର ଅନେକ ଭାରତୀୟ ସାମିଲ ଅଛନ୍ତି । ଜାନୁଆରୀ ୨୦ ଅପରାହ୍ନ ୧୨ ଟାରୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଆରମ୍ଭ ହେବ। ଏହି ଶପଥ ଗ୍ରହଣ ଉତ୍ସବରେ ପରେଡ ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହେବ।

Leave A Reply

Your email address will not be published.