ଭବାନୀପାଟଣା: ବୁଧବାର ସନ୍ଧ୍ୟାରେ ହଠାତ୍ ଓଡ଼ିଶାର ଏକାଧିକ ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି, ଯାହାକି ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ଖେଳାଇ ଦେଇଛି। ସନ୍ଧ୍ୟା ପ୍ରାୟ ୭.୪୦ ମିନିଟ୍ ସମୟରେ କଳାହାଣ୍ଡି, ନବରଙ୍ଗପୁର ଏବଂ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକେ ଏହି ଭୂକମ୍ପ ଅନୁଭବ କରିଥିଲେ। ମାଟି ତଳୁ ଏକ ଅଜବ ତଥା ଭୟଙ୍କର ଶବ୍ଦ ଆସିବା ସହ କିଛି ସେକେଣ୍ଡ ପାଇଁ ଘରର ଆସବାବପତ୍ର ଦୋହଲି ଯାଇଥିଲା। ଭୟଭୀତ ହୋଇ ଲୋକେ ନିଜ ଘର ଭିତରୁ ବାହାରି ଖୋଲା ସ୍ଥାନକୁ ଦୌଡ଼ି ଆସିଥିଲେ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର କଲମପୁର, ଜୁନାଗଡ଼, ଧର୍ମଗଡ଼ ଏବଂ କୋକସରା ବ୍ଲକରେ ଏହାର ପ୍ରଭାବ ସବୁଠାରୁ ଅଧିକ ଜଣାପଡ଼ିଥିଲା। ସେହିପରି ନବରଙ୍ଗପୁର ଜିଲ୍ଲାର କିଛି ଅଂଶ ଏବଂ ନୂଆପଡ଼ା ଜିଲ୍ଲାର ସିନାପାଲି ତଥା ବୋଡେନ ବ୍ଲକରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା।
କଳାହାଣ୍ଡିର ଜଣେ ସ୍ଥାନୀୟ ବାସିନ୍ଦା ଏହି ଭୟାନକ ଅନୁଭୂତି ବର୍ଣ୍ଣନା କରି କହିଛନ୍ତି, “ଠିକ୍ ସଂଧ୍ୟା ୭ଟା ୪୦ ବେଳକୁ ଆମେ ଘରେ ବସିଥିଲୁ। ହଠାତ୍ ଏକ ବିକଟାଳ ଶବ୍ଦ ସହ ଘରର ଚଟାଣ ଥରିବାକୁ ଲାଗିଲା। ଆମେ ଭୟରେ ବାହାରକୁ ପଳାଇ ଆସିଲୁ। ପରେ ଆମେ ଜାଣିବାକୁ ପାଇଲୁ ଯେ ଆଖପାଖ ଅଞ୍ଚଳର ବହୁ ଲୋକ ମଧ୍ୟ ସମାନ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। କମ୍ପନର ତୀବ୍ରତା ବେଶ୍ ଅଧିକ ଥିଲା।”
ଯଦିଓ ଏହି ଘଟଣାକୁ ନେଇ ଲୋକଙ୍କ ମନରେ ବ୍ୟାପକ ଭୟ ସୃଷ୍ଟି ହୋଇଛି, ତଥାପି ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରୁ ଜୀବନହାନି କିମ୍ବା ବଡ଼ ଧରଣର ସମ୍ପତ୍ତି ନଷ୍ଟ ହେବାର ରିପୋର୍ଟ ଆସିନାହିଁ। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ପ୍ରଭାବିତ ଅଞ୍ଚଳରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ତେବେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ (Epicentre) ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା କେତେ ଥିଲା, ସେ ନେଇ ପାଣିପାଗ ଓ ଭୂକମ୍ପ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।
Comments are closed.