Latest Odisha News

BREAKING NEWS

China-India direct flights: ୫ବର୍ଷ ପରେ ସାଂଘାଇ – ନୂଆଦିଲ୍ଲୀ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ;ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ବିମାନ ସମ୍ପର୍କ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଚୀନ୍ ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ନଭେମ୍ବର ୯ ତାରିଖରୁ ସାଂଘାଇ ଏବଂ ନୂଆଦିଲ୍ଲୀ ମଧ୍ୟରେ ରାଉଣ୍ଡ-ଟ୍ରିପ୍ ବିମାନ ସେବା ଆରମ୍ଭ କରିବ। ଏହି ନିଷ୍ପତ୍ତିକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି।

ଏୟାରଲାଇନ୍ସ କହିଛି ଯେ ସାଂଘାଇ ଏବଂ ଦିଲ୍ଲୀ ମଧ୍ୟରେ ବିମାନ ପ୍ରତି ବୁଧବାର, ଶନିବାର ଏବଂ ରବିବାର ଚଳାଚଳ କରିବ। ଏହି ବିମାନ ସାଂଘାଇର ପୁଡୋଙ୍ଗ ବିମାନବନ୍ଦରରୁ ଅପରାହ୍ନ ୧୨:୫୦ରେ ଉଡ଼ାଣ କରିବ ଏବଂ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସନ୍ଧ୍ୟା ୫:୪୫ରେ ପହଞ୍ଚିବ।

ସେହିପରି ବିମାନଟି ସନ୍ଧ୍ୟା ୭:୫୫ ରେ ଦିଲ୍ଲୀରୁ ଉଡ଼ାଣ କରିବ ଏବଂ ପରଦିନ ସକାଳ ୪:୧୦ ରେ ସାଂଘାଇ ପୁଡୋଙ୍ଗ ବିମାନବନ୍ଦରରେ ପହଞ୍ଚିବ। ଏହି ରୁଟ୍ ପାଇଁ ଟିକେଟ୍ ବିକ୍ରି ମଧ୍ୟ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଦୁଇ ଦେଶ ପାଞ୍ଚ ବର୍ଷ ପରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ।

ଅଗଷ୍ଟ ମାସରେ ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଇଣ୍ଡିଗୋ ଏୟାରଲାଇନ୍ସ ଅକ୍ଟୋବର ୨୬ରୁ କୋଲକାତାରୁ ଚୀନର ଗ୍ୱାଙ୍ଗଝୁକୁ ଦୈନିକ ବିମାନ ଉଡ଼ାଣ ଘୋଷଣା କରିଛି। ଇଣ୍ଡିଗୋ ଖୁବ୍ ଶୀଘ୍ର ଦିଲ୍ଲୀ-ଗ୍ୱାଙ୍ଗଝୁ ରୁଟରେ ମଧ୍ୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।

ସୂଚନାଥାଉକି, ୨୦୨୦ ମସିହାରେ କୋଭିଡ-୧୯ ମହାମାରୀ ସମୟରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବନ୍ଦ କରାଯାଇଥିଲା। ସେହି ବର୍ଷ ଭାରତ ଏବଂ ଚୀନ ମଧ୍ୟରେ ଗାଲୱାନ ଉପତ୍ୟକାରେ ସଂଘର୍ଷ ହୋଇଥିଲା, ଯାହା ଫଳରେ ସାମରିକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ଭାରତ-ଚୀନ୍ ବିମାନ ଚଳାଚଳ ପୁନଃ ଆରମ୍ଭ ହୋଇନଥିଲା।

 

Comments are closed.