ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନ ବିରୋଧରେ ହୋଇଥିବା ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା। ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬ରେ ହେବା ସହିତ ଏହା ପାଇଁ ଏକ ନୂଆ ବେଞ୍ଚ ଗଠିତ ହେବ।
୨ ମାର୍ଚ୍ଚ ୨୦୨୩ରେ ସୁପ୍ରିମକୋର୍ଟଙ୍କ ଐତିହାସିକ ଶୁଣାଣି ଅନୁସାରେ, ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଗୋଟିଏ ସ୍ୱତନ୍ତ୍ର ପ୍ୟାନେଲ କରିବେ ବୋଲି କହିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି ରହିବେ।
କିନ୍ତୁ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ପାଇଁ ଗଠିତ ପ୍ୟାନେଲରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରିପତିଙ୍କୁ ବାଦ ଦେବା ପାଇଁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି।
ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନା ସୁପ୍ରିମକୋର୍ଟରେ ବିଚାରପତି ଥିବା ସମୟରେ ଏହି ପିଟିସନ ଗୁଡ଼ିକର ଶୁଣାଣି କରିଥିଲେ। ସେହି ସମୟରେ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ। ଏବେ ଜଷ୍ଟିସ ସଞ୍ଜୀବ ଖାନ୍ନା ପ୍ରଧାନ ବିଚାରପତି ହୋଇ ସାରିଛନ୍ତି। ଉକ୍ତ ମାମଲା ପୁଣିଥରେ ତାଙ୍କ ପାଖକୁ ପ୍ରଧାନ ବିଚାରପତି ରୂପେ ଶୁଣାଣି ପାଇଁ ଆସିଥିବାରୁ ସେ ଏବେ ଏହାର ଶୁଣାଣିରୁ ଓହରି ଯାଇଛନ୍ତି।
ତେବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ମାତ ଦେବା ପାଇଁ ସଂସଦରେ ସଂଶୋଧିତ ବିଲ ଆଗତ କରିଥିଲେ। ସିଜେଆଇଙ୍କୁ ପ୍ୟାନେଲରୁ ବାଦ ଦେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କେନ୍ଦ୍ରମନ୍ତ୍ରୀ ରହିବେ ବୋଲି ବିଲରେ ନିୟମ ରହିଥିଲା। ଉଭୟ ସଦନରେ ବିରୋଧୀ ଏହାକୁ ଜୋରଦାର ବିରୋଧ କରିଥିଲେ ମଧ୍ୟ ସରକାର ଏହାକୁ ଉଭୟ ଗୃହରେ ପାସ କରାଇଥିଲେ ଏବଂ ଏହା ଆଇନରେ ମଧ୍ୟ ପରିଣତ ହୋଇଛି।
ଉଲ୍ଲେଖଯୋଗ୍ୟ, ଏହାକୁ ଏପ୍ରିଲ-ଜୁନ ଲୋକସଭା ନିର୍ବାଚନ ପୂର୍ବରୁ ହିଁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ସେତେବେଳେ ଜଷ୍ଟିସ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତ ଆଇନ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ନିର୍ବାଚନ କମିଶନରେ ଦୁଇଟି ପଦ ଖାଲି ଥିବା ବେଳେ ଏସବୁ ଘଟଣା ଘଟିଥିଲା। ମାର୍ଚ୍ଚ ମାସରେ ନିର୍ବାଚନ କମିଶନର ଅରୁଣ ଗୋଏଲ ପଦ ଛାଡ଼ିଥିବା ବେଳେ ଏହାର କିଛି ଦିନ ପୂର୍ବରୁ ଅନ୍ୟତମ ନିର୍ବାଚନ କମିଶନର ଅନୂପ ଚନ୍ଦ୍ର ପାଣ୍ଡେ ମଧ୍ୟ ସମାନ ପଦକ୍ଷେପ ନେଇଥିଲେ। ଫଳରେ ପ୍ୟାନେଲରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରହିଥିଲେ। ବିରୋଧୀ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ବିରୋଧ କରିଥିଲେ ମଧ୍ୟ ସରକାର ଏହାକୁ ମାନି ନଥିଲେ।