Latest Odisha News

BREAKING NEWS

ରାଜ୍ୟପାଳଙ୍କୁ ନିର୍ବାଚନ କମିଶନଙ୍କ ରିପୋର୍ଟ, ରଦ୍ଦ ହେଲା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପଦ !

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହୋଇଛି। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କୁ ଏ ନେଇ ଏକ ବନ୍ଦ ଲଫାଫାରେ ଚିଠି ପଠାଇଛନ୍ତି। ଖଣି ଲିଜ୍ ପ୍ରସଙ୍ଗରେ ଦୁର୍ନୀତି ଏବଂ ଅଫିସ ଅଫ୍ ପ୍ରଫିଟ୍ ମାମଲାରେ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବାକୁ  ନିର୍ବାଟନ ଆୟୋଗ ସୁପାରିଶ କରିଥିବା ସୂଚନା ରହିଛି। ରାଜ୍ୟପାଳ ରମେଶ ବୈସ ମଧ୍ୟାହ୍ନ 12ଟାରେ ଦିଲ୍ଲୀ ଛାଡି ଅପରାହ୍ନ ପ୍ରାୟ 2 ଟାରେ ରାଞ୍ଚିରେ ପହଞ୍ଚିବେ। ଏହା ପ୍ରାୟ ତିନିଟା ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ରହିଛି।

ଜେଏମଏମ ସଭାପତି ହେମନ୍ତ ସୋରେନଙ୍କୁ ବର୍ଷେ ପୂର୍ବରୁ ରାଞ୍ଚିର ଅଙ୍ଗରା ବ୍ଲକରେ ୦.୮୮ ଏକର ଜମିରେ ଖଣି ଖନନ ପାଇଁ ଏକ ଲିଜ୍ ମିଳିଥିଲା। ଗତ ବର୍ଷ  ସେପ୍ଟେମ୍ବର ୯ରେ ପରିବେଶ ମଞ୍ଜୁରୀ ପାଇଁ ଆବେଦନ ହୋଇଥିଲା । ସେପ୍ଟେମ୍ବର ୧୮ରେ ରାଜ୍ୟ ପରିବେଶ ବିଭାଗ ଏ ନେଇ କ୍ସିଅରାନ୍ସ ଦେଇଥିଲା।

ମୁଖ୍ୟମନ୍ତ୍ରୀ ଉଭୟ ଖଣି ଏବଂ ପରିବେଶ ପୋର୍ଟଫୋଲିଓ ନିଜ ପାଖରେ ରଖିଛନ୍ତି । ସେ ଏପରି କରି ଦୁର୍ନୀତି କରିଛନ୍ତି । ଯାହାକି ନିଜ ଅଫିସର ଅପବ୍ୟବହାର । ବିଜେପି ଏବେ ଏହାକୁ ନେଇ ବେଶ ସକ୍ରିୟ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବେ ହେମନ୍ତ ସୋରେନଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଥିଲେ। ଏ ନେଇ ସେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟପାଳ ରମେଶ ବୈସ ଏ ନେଇ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଥିଲେ।

ସମ୍ବିଧାନର ଧାରା ୧୯୨ ଅନୁଯାୟୀ ନିର୍ବାଚନ ଆୟୋଗ ଏ ନେଇ ସମୀକ୍ଷା କରିଛନ୍ତି। ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ଠାରୁ ଖଣି ଲିଜ୍ ସମ୍ବନ୍ଧରେ ସମସ୍ତ ଦଲିଲ ମାଗିଥିଲେ । ମୁଖ୍ୟ ଶାସନ ସଚିବ ଏ ନେଇ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦେଇଥିଲେ।

ସେତେବେଳେ ଆଇନ ବିଶେଷଜ୍ଞଙ୍କ କହିଥିଲେ ବିଧାୟକ ପଦରେ ଥିବା ବେଳେ ଅଫିସ ଅଫ୍ ପ୍ରୋଫିଟ୍ ମାମଲାରେ ଫଶିଯିବେ ହେମନ୍ତ ସୋରେନ୍ । ତେଣୁ ମୁଖ୍ୟମନ୍ତ୍ରୀ ଅଯୋଗ୍ୟ ହେବା ଯଥେଷ୍ଟ ସମ୍ଭବ ରହିଛି।

ଉଲ୍ଲେଖଯୋଗ୍ୟ, ସୂଚନା ଅଧିକାର (ଆରଟିଆଇ) କର୍ମୀ କରୁଥିବା ଶିବଶଙ୍କର ଶର୍ମା ଦୁଇଟି ଖଣି ଖନନ ଘଟଣାର ଯାଞ୍ଚ ପାଇଁ ସିବିଆଇ ଏବଂ ଇଡି ଦାବି କରି ଦୁଇଟି ପିଆଇଏଲ ଦାଖଲ କରିଥିଲେ। ଏହାପରେ ଏହି ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା। ସୋରେନ ପରିବାର ସେଲ୍ କମ୍ପାନୀରେ ବିନିଯୋଗ କରି ସମ୍ପତ୍ତି ହାସଲ କରିଥିବା ଅଭିଯୋଗ ହୋଇଛି।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହେମନ୍ତ ସୋରେନ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାମକୁ ବିକଳ୍ପ ଭାବରେ ଘୋଷଣା କରିପାରନ୍ତି। କିଛି ଦିନ ପୂର୍ବରୁ ବିଜେପି ଏହା ଦାବି କରିଥିଲା।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୯ରେ ହେମନ୍ତ ସୋରେନ ଦାୟିତ୍ୱ ଗ୍ରହଣ କରିବା ପରେ ହେମନ୍ତ ସୋରେନ ତାଙ୍କ ସମ୍ପର୍କୀୟ ତଥା ତାଙ୍କ ନିକଟବର୍ତ୍ତୀ ଲୋକଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ରହିଛି । ଏହି ଖଣି ଲିଜ୍ ବିବାଦ କେବଳ ହେମନ୍ତ ସୋରେନଙ୍କ ଦ୍ୱାରା ହୋଇନି । ଚଳିତ ବର୍ଷ ଜାନୁଆରୀରେ, ହେମନ୍ତ ସୋରେନଙ୍କ ସାନଭାଇ ତଥା ଡୁମକା ବିଧାୟକ ବସନ୍ତ ସୋରେନଙ୍କ ସହ ଜଡିତ ଅନ୍ୟ ଏକ ଦୁର୍ନୀତି ମାମଲା ଅଭିଯୋଗ ରହିଛି। ରଘୁବର ଦାସଙ୍କ ଅଭିଯୋଗ ଅନୁଯାୟୀ, ବସନ୍ତ ସୋରେନ ଏକ କମ୍ପାନୀ କରିଛନ୍ତି । ଏହି କମ୍ପାନୀ ବାଂଲାଦେଶକୁ ବେଆଇନ ଭାବେ ପଥର ଚିପ୍ସ ରପ୍ତାନୀ କରୁଥିଲେ, ଯାହାଦ୍ୱାରା ରାଜ୍ୟକୁ ୮ କୋଟି ଟଙ୍କା କ୍ଷତି ହୋଇଥିଲା।

Comments are closed.