Latest Odisha News

BREAKING NEWS

‘ଭୋଟ୍ ହାତେଇବାକୁ ଯାଇ ଲୋକଙ୍କୁ ମିଛ ପ୍ରତିଶ୍ରୁତି ନଦେବା ଉଚିତ’

ନୂଆଦିଲ୍ଲୀ: ମାଗଣା ଯୋଜନାକୁ ନେଇ ଦେଶରେ ରାଜନୈତିକ ବିତର୍କ ଜାରି ରହିଛି। ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ପରସ୍ପର ବିରୋଧରେ ଟିକା ଟିପ୍ପଣୀ କରୁଛନ୍ତି। ଏହି ସମୟରେ ନିର୍ବାଚନ କମିଶନ ରାଜନୈତିକ ଦଳଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ନିର୍ବାଚନ ବେଳେ ଭୋଟ୍ ହାତେଇବାକୁ ଯାଇ ଲୋକଙ୍କୁ ମିଛ ପ୍ରତିଶ୍ରୁତି ନଦେବାକୁ ଅପିଲ କରିଛନ୍ତି। ଆଉ ଅକ୍ଟୋବର ୧୯ ସୁଦ୍ଧା ପ୍ରସ୍ତାବିତ ଚିଠିର ଜବାବ ଦେବାକୁ କହିଛନ୍ତି।

ନିର୍ବାଚନ ବେଳେ ରାଜନୈତିକ ଦଳ ଯାହା ପ୍ରତିଶ୍ରୁତି ଦେଉଛନ୍ତି, ତାହାର ଏକ ପ୍ରମାଣ ସ୍ବରୂପ ସୂଚନା ପ୍ରଦାନ କରିବା ଉଚିତ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ଆଦର୍ଶ ଆଚରଣ ବିଧି ଗାଇଡଲାଇନ୍ ୨୦୧୫ ଅନୁଯାୟୀ ରାଜନୈତିକ ଦଳଗୁଡିକ ନିର୍ବାଚନ ପ୍ରତିଶ୍ରୁତି ଦେବା ବେଳେ ଆବଶ୍ୟକ ସମସ୍ତ ଯୁକ୍ତିକୁ ବ୍ୟାଖ୍ୟା କରିବା ଆବଶ୍ୟକ। ଆୟୋଗ କହିଛନ୍ତି ଯେ ସାଧାରଣତଃ ରାଜନୈତିକ ଦଳ ଗୁଡିକ ଯେଉଁ ଘୋଷଣା କରୁଛନ୍ତି ଅଧିକାଂଶ ଅସ୍ପଷ୍ଟ ଏବଂ ନିର୍ବାଚନରେ ​​ଭୋଟରଙ୍କୁ ପର୍ଯ୍ୟାପ୍ତ ସୂଚନା ପ୍ରଦାନ କରୁନାହିଁ। ଏବେ ଏହାକୁ ଆଉ ଅଣଦେଖା କରାଯାଇପାରିବ ନାହିଁ । କାରଣ ନିର୍ବାଚନ ପ୍ରତିଶ୍ରୁତିର ଗୋଟିଏ ପ୍ରଭାବ ରହିଛି। ତେଣୁ ଯେଉଁ ଯୋଜନା ବାବଦରେ ପ୍ରତିଶ୍ରୁତି ଦେବେ ତାହାର ବଜେଟ କେତେ ବା କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ସ୍ପଷ୍ଟ ଭାବରେ ଲେଖିବେ।

ଏପରି କହି ନିର୍ବାଚନ କମିଶନ କହିଛନ୍ତି, ନିର୍ବାଚନ ବେଳେ ଦଳ ଗୁଡିକ ଯେଉଁ ମାଗଣା ଯୋଜନା ବାବଦରେ ଘୋଷଣା କରୁଛନ୍ତି ତାର ବଜେଟ କେତେ, କେତେ ଲୋକ ଉପକୃତ ହେବେ ଏବଂ ଏଥିପାଇଁ କେଉଁଠୁ ପାଣ୍ଠି ଆସିବ ତା ଉପରେ ବିସ୍ତୃତ ଭାବରେ ଜଣାଇବା ଉଚିତ ହେବ ବୋଲି କହିଛନ୍ତି।

ପ୍ରସ୍ତାବିତ ଢାଞ୍ଚାରେ ଆର୍ଥିକ ସମ୍ବଳର ଉପଲବ୍ଧତା ଏବଂ ପ୍ରତିଶ୍ରୁତିର ଆର୍ଥିକ ପ୍ରଭାବ ଘୋଷଣା କରିବା ବାଧ୍ୟତାମୂଳକ। ସଂସ୍କାର ପ୍ରସ୍ତାବ ମାଧ୍ୟମରେ ନିର୍ବାଚନ କମିସନ ଇସ୍ତାହାରରେ ଥିବା ନିର୍ବାଚନୀ ପ୍ରତିଶ୍ରୁତିର ଆର୍ଥିକ ସାମର୍ଥ୍ୟ ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଭୋଟରମାନଙ୍କ ପାଖରେ ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ନେଇ ଗୋଟିଏ ସ୍ପଷ୍ଟଚିତ୍ର ରହିପାରିବ ବୋଲି ନିର୍ବାଚନ କମିଶନ ଆଶା ରଖିଛନ୍ତି।

Comments are closed.