Latest Odisha News

ଶୀଘ୍ର ବନ୍ଦ କର ‘ବିକଶିତ ଭାରତ’ ହ୍ଵାଟସଆପ ମେସେଜ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଆକ୍ସନ ମୋଡରେ ନିର୍ବାଚନ ଆୟୋଗ । ଗତ କିଛି ଦିନ ଧରି ହ୍ଵାଟସଆପରେ ମୋଦୀଙ୍କ ବିକଶିତ ଭାରତ ନାମରେ ପଠାଯାଉଥିବା ମେସେଜ ଜରିଆରେ ଦଳର ନିର୍ବାଚନୀ ପ୍ରଚାର କରାଯାଉଥିଲା । ବର୍ତ୍ତମାନ ଏହି ମେସେଜ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ ଆୟୋଗ ତରଫରୁ କୁହାଯାଇଛି ଯେ, ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ଯଦି ଲୋକଙ୍କ ପାଖକୁ ବିକଶିତ ଭାରତ ସହ ଜଡିତ ମେସଜ ପଠାଯାଉଛି ତେବେ ତାହାକୁ ତୁରନ୍ତ ବନ୍ଦ କର । ଏହା ସହ ନିର୍ବାଚନ ଆୟୋଗକୁ ଏଥିପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ନିର୍ବାଚନ ଆୟୋଗକୁ ଅନେକ ଅଭିଯୋଗ ମିଳୁଥିଲା ଯେ, ଲୋକସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ଏବଂ ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ ମଧ୍ୟ ନାଗରିକଙ୍କ ଫୋନକୁ ଏଭଳି ବାର୍ତ୍ତା ପଠାଯାଉଛି।

ତେବେ ନିର୍ବାଚନ ଆୟୋଗଙ୍କ ଆଗରେ ହୋଇଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ । ଆୟୋଗଙ୍କ ନିର୍ଦ୍ଦେଶ ପାଇବା ପରେ ମନ୍ତ୍ରଣାଳୟ କହିଛି ଯେ, ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପୂର୍ବରୁ ଏହି ବାର୍ତ୍ତା ଲୋକଙ୍କ ଫୋନକୁ ପଠାଯାଇଛି । କିନ୍ତୁ ସେହି ମେସେଜଗୁଡ଼ିକ ମଧ୍ୟରୁ କିଛି ମେସେଜ ସିଷ୍ଟମ ଏବଂ ନେଟୱାର୍କ ସମସ୍ୟା ହେତୁ ବିଳମ୍ବରେ ଲୋକଙ୍କ ପାଖରେ ପହଞ୍ଚିଛି । ଏଥି ସହିତ ଆୟୋଗ ମନ୍ତ୍ରଣାଳୟକୁ ତୁରନ୍ତ ଏହି ପ୍ରସଙ୍ଗରେ ଏକ ଅନୁପାଳନ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇଛି ।

Comments are closed.