Latest Odisha News

BREAKING NEWS

ପୁଣିଥରେ ରାଜ୍ୟସଭାକୁ ଫେରିବେ କି ଚିଦାମ୍ବରମ, ସୀତାରମଣ ଏବଂ ପୀୟୁଷ ?

ନୂଆଦିଲ୍ଲୀ: ଖାଲି ପଡିବାକୁ ଥିବା ରାଜ୍ୟସଭାର ୫୭ଟି ଆସନ ପାଇଁ ନିର୍ବାଚନ ବିଗୁଲ ବାଜିଛି । ନିର୍ବାଚନ କମିଶନ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ସମସ୍ତ ଆସନରେ ବିଜେପି ଅଧିକାଂଶ ଆସନରେ ଜିତିବ ବୋଲି ସମ୍ଭାବନା ରହିଛି । କିନ୍ତୁ ସଂସଦର ଏହି ଉଚ୍ଚ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହେବ । ଅନ୍ୟପଟେ ପଞ୍ଜାବରେ ସରକାର ଗଢିବା ପରେ ଏବେ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ସାଂସଦଙ୍କ ପତିଆରା ବଢ଼ିବାକୁ ଯାଉଛି।

ଏହି ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଜୁନ୍ ୧୦ ରେ ଅନୁଷ୍ଠିତ ହେବ। ମେ ୩୧ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ଜୁନ ୧୦ରେ ମତଦାନ ହେବ । ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଏହି ନିର୍ବାଚନ ହେବ । ଅପରାହ୍ନ ୫ଟାରୁ ଭୋଟ୍ ଗଣତି ହେବ।

ରାଜ୍ୟସଭାରେ ବିଜେପିର ୯୫ ସଦସ୍ୟ ରହିଛନ୍ତି। ଆଉ ନିର୍ବାଚନ ପରେ ଏହା ପୁଣି ଥରେ ୧୦୦ ଟପିପାରେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହେବାକୁ ଥିବା ଏହି ନିର୍ବାଚନ ପାଇଁ ବିଭିନ୍ନ ରାଜନୀତିକ ଦଳ ରଣନୀତି ତିଆରି କରି ସାରିଛନ୍ତି। ଅନ୍ୟପଟେ ସଂସଦକୁ ମନୋନୀତ ହେଉଥିବା ସାତଟି ଆସନ ମଧ୍ୟ ଏବେ ବି ଖାଲି ପଡ଼ିଛି। ଡିଏମକେ ତାମିଲନାଡୁରେ ଏବଂ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଢିଛନ୍ତି । ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ତେଣୁ ରାଜ୍ୟସଭାରେ ଏହି ଦୁଇ ଦଳର ସାଂସଦଙ୍କ ସଂଖ୍ୟା ପୂର୍ବ ତୁଳନାରେ ବଢିବ ।

ଏହି ୫୭ ସଦସ୍ୟଙ୍କ କାର୍ୟ୍ୟକାଳ ଜୁନ୍-ଅଗଷ୍ଟରେ ଶେଷ ହେବାକୁ ହେଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ଏହି ଅବସରରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ମଧ୍ୟ ଏହି ତାଲିତାରେ ରହିଛନ୍ତି । ତେଣୁ ସେମାନଙ୍କୁ ପୁନର୍ବାର ନିର୍ବାଚିତ ହେବେ ବୋଲି ସୂଚନା ରହିଛି। ସେହିପରି କଂଗ୍ରେସ ନେତା ପି. ଚିଦାମ୍ବରମ୍, କପିଲ ସିବଲ, ଜୟରାମ ରମେଶ ଏବଂ ଅମ୍ବିକା ସୋନିଙ୍କ କାର୍ୟ୍ୟକାଳ ଶେଷ ହେଉଛି। ଏମାନେ ଗୃହର ବରିଷ୍ଠ ନେତା । ଏବଂ ଶାସକ ଦଳର ଘୋର ବିରୋଧୀ । ତେଣୁ କଂଗ୍ରେସ ଯେମିତି ହେଉ ଏହି ଅନୁଭବୀ ନେତାଙ୍କୁ ରାଜ୍ୟସଭାକୁ ପୁଣିଥରେ ନିର୍ବାଚିତ କରିବାକୁ ପ୍ରୟାସ କରିବ ।

ଉତ୍ତରପ୍ରଦେଶରେ ୧୧ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ୬ଟି ଲେଖାଏଁ ଆସନ, ବିହାରରୁ ୫, କର୍ଣ୍ଣାଟକ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରୁ ୪ଟି ଆସନ, ମଧ୍ୟପ୍ରଦେଶ ଓ ଓଡ଼ିଶାରୁ ୩ଟି ଲେଖାଏଁ ଆସନ, ପଞ୍ଜାବ, ଝାଡ଼ଖଣ୍ଡ, ହରିଆଣା, ଛତିଶଗଡ଼ ଓ ତେଲେଙ୍ଗାନାରୁ ୨ଟି ଲେଖାଏଁ ଏବଂ ଉତ୍ତରାଖଣ୍ଡରୁ ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି।

Leave A Reply

Your email address will not be published.