ଭୁବନେଶ୍ୱର: ସାବଧାନା ଜମି ବିକିବା ପାଇଁ ଆଗକୁ ଅଣାଯାଉଛି ଭଦ୍ର ବ୍ୟକ୍ତିର ଚାଲି ଚଳଣ। କିନ୍ତୁ ଉଦ୍ଦେଶ୍ୟ ଜମି ଠକେଇ କରି ମାଲେମାଲ ହେବା ଏବଂ ଜମି କିଣିବାକୁ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତିକୁ ସର୍ବସ୍ବାନ୍ତ କରିବା। ଏହିପରି ଏକ ମାମଲାରେ ଜଣେ ୭୫ ବର୍ଷୀୟ ବୃଦ୍ଧା ଜାଲିଆତିର ଶିକାର ହୋଇ ୨୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଯାହାର ଖୋଳତାଡ କରି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜମି ଠକେଇର ଅଭିଯୁକ୍ତ ଗୌର ପ୍ରସାଦ ମହାନ୍ତିକୁ ଗିରଫ କରିଛି।
ଗୌର ମହାନ୍ତି ବାରଙ୍ଗରେ ଥିବା ଏକ ସମ୍ପତ୍ତିକୁ ୨କୋଟି ଟଙ୍କାରେ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ସ୍ୱସ୍ତି ରଞ୍ଜନ ପାଣିଙ୍କ ଅଭିଯୋଗ ଆଧାରରେ ପୁରୀ ଜିଲ୍ଲାରୁ ତାଙ୍କୁ ଗିରଫ କରାଯାଇଛି। ଠକମାନେ ତାଙ୍କୁ ଜାଲ୍ କାଗଜପତ୍ର ଦେଖାଇଥିଲେ ଯାହାଫଳରେ ଜଣାପଡ଼ୁଥିଲା ଯେ ଏହି ସମ୍ପତ୍ତି ରଙ୍ଗଲତା ସ୍ୱାଇଁ ନାମକ ଜଣେ ମହିଳାଙ୍କର ବୋଲି। ପାଣି ଅଗ୍ରୀମ ବାବଦକୁ ୨୫ ଲକ୍ଷ ଟଙ୍କା ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଠକମାନେ ନିଖୋଜ ହୋଇଯାଇଥିଲେ।
ଗୌର ମହାନ୍ତି ଜାଲ କାଗଜପତ୍ର ପ୍ରସ୍ତୁତ କରି ରଙ୍ଗଲତା ସ୍ୱାଇଁଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ଇଓଡବ୍ଲୁ ତଦନ୍ତରୁ ଜାଣିବାକୁ ପାଇଛି। ଏହାପରେ ପାଣି ଯେଉଁ ଟଙ୍କା ଦେଇଥିଲେ ତାହାକୁ ଏହି ଆକାଉଣ୍ଟକୁ ଟ୍ରାନ୍ସଫର କରି ପରବର୍ତ୍ତୀ ସମୟରେ ଠକେଇକାରୀମାନେ ନେଇ ଯାଇଥିଲେ। ଗୌର ମହାନ୍ତିଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୋଧରେ ଠକେଇ, ଜାଲିଆତି ଓ ଅପରାଧିକ ଷଡୟନ୍ତ୍ର ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ସେ ତୃତୀୟ ବ୍ୟକ୍ତି ଭାବେ ଗିରଫ ହୋଇଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ସବିତା ଦାସ ଓ ଆଦିତ୍ୟ କୁମାର ସାହୁଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା।
ଏହି ଗ୍ୟାଙ୍ଗର ଅନ୍ୟ ଜମି ଠକେଇ ମାମଲାରେ ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ଇଓଡବ୍ଲ୍ୟୁ ତଦନ୍ତ କରୁଛି।
Comments are closed.