Latest Odisha News

BREAKING NEWS

ବଜେଟ୍‌ ୨୩-୨୪: ୧୦ମ ସ୍ଥାନରୁ ଉଠି ବିଶ୍ୱର ୫ମ ବୃହତ ଅର୍ଥନୀତିର ଦେଶ ହୋଇଛି ଭାରତ, ୨ଗୁଣା ବଢ଼ିଛି ମୁଣ୍ଡପିଛା ଆୟ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆରମ୍ଭ ଭାଷଣରେ ଅର୍ଥମନ୍ତ୍ରୀ ଦେଶର ଆର୍ଥିକ ପରିସ୍ଥିତିକୁ ପ୍ରଶଂସା କରିଛନ୍ତି। ମୋଦୀ ସରକାରରେ ଗତ ୯ ବର୍ଷରେ ଭାରତର ଅର୍ଥନୀତି ୧୦ମ ସ୍ଥାନରୁ ଉଠି ୫ମ ସ୍ଥାନରେ ପହଞ୍ଚିଛି। ବର୍ତ୍ତମାନ ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିର ଦେଶ ହେବା ସହ ମୁଣ୍ଡ ପିଛା ଆୟ ଦୁଇଗୁଣାରୁ ଅଧିକ ହୋଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଅର୍ଥନୀତି କେବଳ ଯେ ସଠିକ ପଥରେ ଚାଲିଛି ତାହା ନୁହେଁ, ଏହା ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ବି ମୁହାଁଉଛି। ଅର୍ଥନୀତି କ୍ଷେତ୍ରରେ ସାରା ବିଶ୍ୱ ଭାରତକୁ ଏକ ଉଜ୍ଜ୍ୱଳ ତାରକା ଭଳି ଦେଖୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୭ ପ୍ରତିଶତ ଆକଳନ କରାଯାଇଛି, ଯାହା ବିଶ୍ୱ ଅର୍ଥନୀତି ଠାରୁ ସର୍ବାଧିକ ବୋଲି ମନ୍ତ୍ରୀ କହିଛନ୍ତି।

ବଜେଟ୍ ଆରମ୍ଭ ପୂର୍ବରୁ ନିର୍ମଳା ସୀତାରମଣ କହିଛନ୍ତି ଯେ ସ୍ୱାଧୀନତାର ଅମୃତକାଳର ଏହା ପ୍ରଥମ ବଜେଟ୍ । ଆମେ ସବୁ ବର୍ଗକୁ ଖୁସୀ କରିବା ପାଇଁ ବଜେଟ୍ ଆଣିଛୁ। ବିଶେଷ କରି ଯୁବଗୋଷ୍ଠୀ ଓ ସବୁ ବର୍ଗର ଲୋକଙ୍କ ପାଖକୁ ଆର୍ଥିକ ସୁଦୃଢ଼ତା ପହଞ୍ଚାଇବାକୁ ଚେଷ୍ଟା କରିଛୁ। ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଆମର ବର୍ତ୍ତମାନର ଆର୍ଥିକ ଅଭିବୃଦ୍ଧି ପାଖାପାଖି ୭ ପ୍ରତିଶତ ରହିଛି।

ଏକ ଆହ୍ୱାନମୂଳକ ପରିସ୍ଥିତିରେ ଭାରତ ଦ୍ରୁତ ଅଭିବୃଦ୍ଧି ଆଡ଼କୁ ଅଗ୍ରସର ହେଉଛି। ଏହି ବଜେଟ୍ ଆଗାମୀ ୨୫ ବର୍ଷର ବିକାଶ ଦେଖି ତିଆରି କରାଯାଇଛି। କୋଭିଡ୍ ଭ୍ୟାକ୍‌ସିନ ପରିଚାଳନା ବିଶ୍ୱରେ ଭାରତକୁ ନୂଆ ସଫଳତା ଦେବା ସହ ସାରା ବିଶ୍ୱ ଭାରତର ଶକ୍ତି ଦେଖିଛି ବୋଲି ନିର୍ମଳା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ  ଦେଶରେ ରୋଜଗାର ବଢ଼ାଇବା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ଭାରତ ଜି-୨୦ର ଅଧ୍ୟକ୍ଷତା କରିବା ସାରା ବିଶ୍ୱରେ ଦେଶର ମାନ ବଢାଇଛି।

ଦୁଇଗୁଣା ହୋଇଛି ମୁଣ୍ଡପିଛା ଆୟ

ଗତ କିଛି ବର୍ଷ ହେବ ଭାରତରେ ଲୋକଙ୍କ ଆୟ ବଢିଛି। ଦେଶରେ ମୁଣ୍ଡ ପିଛା ଆୟ ଦୁଇଗୁଣାରୁ ଅଧିକ ହୋଇଛି। ବର୍ତ୍ତମାନ ମୁଣ୍ଡପିଛା ଆୟ ଦେଶରେ ବାର୍ଷିକ ୧.୯୭ ଲକ୍ଷ ହୋଇଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଭାରତର ଅର୍ଥନୀତି ଅଧିକ ସଂଗଠିତ ହୋଇଛି। ଲୋକଙ୍କର ଜୀବନଶୈଳୀରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ବୋଲି ସୀତାରମଣ କହିଛନ୍ତି।

୨୨୦ କୋଟି କୋଭିଡ୍ ଭ୍ୟାକ୍ସିନ ଡୋଜ୍ ଲଗାଯାଇଛି।

କରୋନା ମୁକାବିଲା ପାଇଁ ସରକାର ୨୨୦ କୋଟି କୋଭିଡ୍ ଭ୍ୟାକ୍ସିନ ଡୋଜ୍ ଲଗାଇଛନ୍ତି। ୪୪.୬ କୋଟି ଲୋଗଙ୍କୁ ପିଏମ୍‌ ସୁରକ୍ଷା ଓ ପିଏମ୍‌ ଜୀବନ ଜ୍ୟୋତି ଯୋଜନାରୁ ଲାଭ ମିଳିଛି। ସେହିପରି ପିଏମ୍ କିଶାନ ସମ୍ମାନ ନିଧିରେ କୋଟି କୋଟି କୃଷକଙ୍କୁ ଫାଇଦା ହୋଇଛି। ସରକାର ସବ୍‌କା ସାଥ ସବ୍‌କା ବିକାଶ ନାରା ଦେଇ ଆଗେ ବଢ଼ିଛି।୨୯ ମାସରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶଖ୍ୟ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Comments are closed.