Latest Odisha News

BREAKING NEWS

ECoR New National Record: ପୂର୍ବତଟ ରେଳବାଇର ନୂଆ ରେକର୍ଡ, ୧୪୮ ଦିନରେ ହେଲା ୧୦୦ ନିୟୁତ ଟନ୍‌ ମାଲ୍‌ ପରିବହନ

ଭୁବନେଶ୍ୱର: ମାତ୍ର ୧୪୮ ଦିନରେ ୧୦୦.୫୫ ନିୟୁତ ଟନ୍‌ ମାଲ୍‌ ପରିବହନ କର ନୂଆ ରେକର୍ଡ ସୃଷ୍ଟି କରିଛି ପୂର୍ବତଟ ରେଳବାଇ। ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ୨୬ ସୁଦ୍ଧା ପୂର୍ବତଟ ରେଲୱେ ଏହି ଐତିହାସିକ ମାଇଲ୍‌ଖୁଣ୍ଟ ହାସଲ କରିଛି। ଗତ ବର୍ଷର ସମାନ ଅବଧି ତୁଳନାରେ ଏଥର ୮ ପ୍ରତିଶତ ଅଧିକ ଅର୍ଥାତ୍‌ ୭.୪୩ ନିୟୁତ ଟନ୍‌ ଅଧିକ ମାଲ୍‌ ପରିବହନ ହୋଇଛି।

ଏହି ସଫଳତା ପଛରେ ତିନୋଟି ରେଳମଣ୍ଡଳର ପ୍ରମୁଖ ଯୋଗଦାନ ରହିଛି। ଏହି କ୍ରମରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ୫୮.୧ ନିୟୁତ ଟନ୍‌ ମାଲ୍‌ ପରିବହନ କରିଥିବାବେଳେ ୱାଲଟିୟର ରେଳମଣ୍ଡଳ ୨୫.୪୬ ଏବଂ ସମ୍ବଲପୁର ରେଳ ମଣ୍ଡଳ ୧୭ ନିୟୁତ ଟନ୍‌ ମାଲ୍‌ ପରିବହନ କରିଛି। ବିଶେଷ କରି କୋଇଲା, ଲୁହାପଥର, ଆଲୁମିନିୟମ୍‌, ମାଙ୍ଗାନିଜ୍‌ ଏବଂ ବକ୍ସାଇଟ୍‌ ପରିବହନ କରି ଏହି ସଫଳତା ମିଳିଛି।

ପୂର୍ବତଟ ରେଲୱେ ପାରାଦୀପ, ବିଶାଖାପାଟଣା, ଗଙ୍ଗାଭରମ, ଗୋପାଳପୁର ଏବଂ ଧାମରା ଭଳି ପ୍ରମୁଖ ବନ୍ଦରଗୁଡିକୁ ସେବା ପ୍ରଦାନ କରି ଏହାର ଲଜିଷ୍ଟିକ୍‌ ଆବଶ୍ୟକତାକୁ ପୂରଣ କରୁଛି। ଏଥିସହ ଇସ୍ପାତ, ଶକ୍ତି, ଆଲୁମିନିୟମ୍‌, ସାର, ସିମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକର ପରିବହନ ଚାହିଦା ମଧ୍ୟ ପୂର୍ବତଟ ରେଲୱେ ଦ୍ୱାରା ପୂରଣ ହୋଇଥାଏ। ଏହି ସଫଳତା ୨୦୨୪-୨୫ ଆର୍ଥିକ ବର୍ଷରେ ୧୬୦ ଦିନ ତୁଳନାରେ ୧୨ ଦିନ ଏବଂ ୨୦୨୩-୨୪ରେ ୧୭୧ ଦିନ ତୁଳନାରେ ୨୩ ଦିନ ପୂର୍ବରୁ ହାସଲ କରାଯାଇଛି।

 

Comments are closed.