ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କମିଲା ଇକୋରିଟ୍ରିଟ୍ ବୁକିଂ ଶୁଳ୍କ। ଡିସେମ୍ବର ପହିଲାରୁ ସାମୁଦ୍ରିକ ବେଳାଭୂମି ଏବଂ ଜଙ୍ଗଲ ପରିବେଶପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳରେ ଜମିବ ଇକୋରିଟ୍ରିଟ। ପର୍ଯ୍ୟଟନ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ। ଚଳିତ ବର୍ଷ ମଧ୍ୟବିତ୍ତ ପର୍ଯ୍ୟଟକଙ୍କୁ ସୁହାଇବା ଭଳି ଇକୋରିଟ୍ରିଟ୍ରେ ବୁକିଂ ଶୁଳ୍କରେ ପରିବର୍ତ୍ତନ କରାଯାଇଛି।
କୋଣାର୍କ ଇକୋରିଟ୍ରିଟ୍ରେ ୭୦ଟି ବିଳାସପୂର୍ଣ୍ଣ ଟେଣ୍ଟ ନିର୍ମାଣ କରାଯିବ। ଡିଲକ୍ସ ପାଇଁ ସର୍ବନିମ୍ନ ବୁକିଂ ଶୁଳ୍କ ୫,୦୦୦ଟଙ୍କା ରଖାଯାଇଥିବା ବେଳେ ପ୍ରିମିୟମରେ ୬,୫୦୦ଟଙ୍କା, ରୟାଲ ପାଇଁ ୧୦ ହଜାର ଓ ରେସିଡେନ୍ସ ପାଇଁ ୨୦ ହଜାର ଟଙ୍କାର ପ୍ୟାକେଜ୍ ବ୍ୟବସ୍ଥା କରାଯାଇଛି। ଇକୋରିଟ୍ରିଟ୍ରେ ଭ୍ରମଣ ସାଙ୍ଗକୁ ମଜା ନେବା ପାଇଁ ଅକ୍ଟୋବରରୁ ଅନଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଚଳିତବର୍ଷ କୋଣାର୍କ, ଦାରିଙ୍ଗବାଡି, ହୀରାକୁଦ, ସାତକୋଶିଆ, ଭିତରକନିକା, ପତିସୋନାପୁର ଏବଂ ପୁଟସିଲ୍ରେ ଇକୋରିଟ୍ରିଟ୍ କରାଯିବ।
ଅନ୍ୟ ୫ଟି ପର୍ଯ୍ୟଟନସ୍ଥଳରେ ଡିଲକ୍ସ ପାଇଁ ୨୫ ଓ ପ୍ରିମିୟମ ପାଇଁ ୨୫ଟେଣ୍ଟ କରାଯିବ। ହୀରାକୁଦ ପର୍ଯ୍ୟଟନସ୍ଥଳରେ କେବଳ ପ୍ରିମିୟମ ଟେଣ୍ଟ ନିର୍ମାଣ କରାଯିବ। କୋଣାର୍କକୁ ଛାଡ଼ିଦେଲେ ଡିଲକ୍ସ ବୁକିଂ ପାଇଁ ୪ ହଜାର ଟଙ୍କା ଓ ପ୍ରିମିୟମ ବୁକିଂ ପାଇଁ ୫ ହଜାର ଟଙ୍କା ରଖାଯାଇଛି। ପର୍ଯ୍ୟଟକ ସେଠାରେ ରାତ୍ରି ଯାପନ କରିବା ସହ ସୁସ୍ଵାଦୁ ଦେଶୀୟ ଖାଦ୍ୟର ମଜା ନେବେ। ଗତବର୍ଷ ତୁଳନାରେ ଇକୋ ରିଟ୍ରିଟ୍କୁ ଏଥର ଅଧିକ ସଂଖ୍ୟକ ପର୍ଯ୍ୟଟକ ଭ୍ରମଣରେ ଆସିବା ନେଇ ବିଭାଗ ଆଶା ରଖିଛି।
ବିଶେଷତଃ ଡିସେମ୍ବର ମାସ ତଥା ଛୁଟିଦିନଗୁଡ଼ିକରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଭ୍ରମଣରେ ଆସିଥାନ୍ତି। କୋରାପୁଟର ରାଣୀ ଡୁଡୁମା, ଗିରିଧାରୀ ଓ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି। ସେହିପରି ସାତକୋଶିଆ ଇକୋ ରିଟ୍ରିଟ୍ରେ ରାତ୍ରିଯାପନ କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ସହ ବୋଟିଂ କରିବା, କଇଁଛ, କୁମ୍ଭୀର, ହରିଣ ସହିତ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇବେ।