Latest Odisha News

ମହାଦେବ ବେଟିଂ ଆପ୍ ମାମଲାର ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ଗୋବିନ୍ଦ କେଡିଆ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ମାମଲାର ପ୍ରମୁଖ ଷ୍ଟକ୍ ପୋର୍ଟଫୋଲିଓ ଦଲାଲ୍ ଗୋବିନ୍ଦ କେଡିଆଙ୍କୁ ଗିରଫ କରିଛି ଇଡି । କୋଲକାତାରୁ ତାଙ୍କୁ ଗିରଫ କରିଛି ଇଡି l ଯାଞ୍ଚ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ନେଇ ସୂଚନା ଦେଇଛି ଇଡି l ଇଡିର କହିବା ଅନୁସାରେ କେଡିଆ ଷ୍ଟକ୍ ମାର୍କେଟରେ ବେଆଇନ ଟଙ୍କା ବିନିଯୋଗ କରୁଥିଲେ l ସେହି ସମସ୍ତ ଟଙ୍କା ମହାଦେବ ବେଟିଂ ଆପ୍ ସହିତ ଜଡିତ ଥିଲା। କେଡିଆ ଏକ ଷ୍ଟକ୍ ପୋର୍ଟଫୋଲିଓ ମ୍ୟାନେଜମେଣ୍ଟ ଫାର୍ମର ମାଲିକ ଅଟନ୍ତି l

ଗିରଫ ପରେ ଗୋବିନ୍ଦ କେଡିଆଙ୍କୁ ରାୟପୁରର ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯାଇଥିଲା l ସେଠାରେ ଇଡି ତାଙ୍କର 14 ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା l ମାତ୍ର କୋର୍ଟ ତାଙ୍କୁ 5 ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି l କୋର୍ଟଙ୍କ ଅର୍ଡର ପରେ ଇଡି କେଡ଼ିଆଙ୍କୁ 5ଦିନିଆ ରିମାଣ୍ଡରେ ନେଇଛି l ରିମାଣ୍ଡ ଅବଧି ସମୟରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ନେଇ ଆଶା ରଖିଛି ଇଡି l ମହାଦେବ ବେଟିଙ୍ଗ ଆପର ପ୍ରମୋଟରମାନଙ୍କ ମଧ୍ୟରୁ କେଡିଆ ଜଣେ l ମୁଖ୍ୟ ଅଭିଯୁକ୍ତ ବିକାଶ ଛାପରିଆଙ୍କ ସହ କେଡିଆଙ୍କର ଘନିଷ୍ଠ ସମ୍ପର୍କ ଥିଲା |

ସେପଟେ ଇଡି ଏହି ମାମଲାରେ ପୁଣି 388 କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଏହି ଦୁର୍ନୀତି ମାମଲାରେ ଛତିଶଗଡ଼ର ବହୁ ଉଚ୍ଚ ପାହ୍ୟାର ରାଜନେତା ଓ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ଥିବା ନେଇ କହିଛି ଇଡି । ମନିଲଣ୍ଡରିଂ ପ୍ରତିକାର ଆଇନ ଅନୁଯାୟୀ ମୋଟ 387.99 କୋଟି ଟଙ୍କାର ସମ୍ପତ୍ତି ଜବତ କରିବାକୁ ଗତ 5 ତାରିଖରେ ଅସ୍ଥାୟୀ ନିର୍ଦ୍ଦେଶନାମା ଜାରି ହୋଇଥିଲା। ପୂର୍ବରୁ ଏହି ମାମଲାରେ 2,295,61 କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲାମ ଇଡି । ସେହିପରି ପୂର୍ବରୁ ବେଟିଂ ଆପ୍‌ ଦୁର୍ନୀତିରେ ସମ୍ପୃକ୍ତ 11 ଜଣଙ୍କୁ ଗିରଫ କରିଥିଲା ଇଡି l

ମହାଦେବ ବେଟିଂ ଆପ୍ ଜରିଆରେ ଲକ୍ଷାଧିକ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଏ ଯାଏଁ ୧୨ ଜଣଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମହାଦେବ ବେଟିଂ ଆପ୍ ଜରିଆରେ ପ୍ରାୟ ୬ ହଜାର କୋଟି ଟଙ୍କା ଠକେଇ ହୋଇଛି ବୋଲି ଅନୁମାନ କରୁଛି କେନ୍ଦ୍ରୀୟ ଯାଂଚ ଏଜେନସୀ । ଏକ ବର୍ଷରୁ ଅଧିକ ସମୟ ହେବ ମହାଦେବ ଆପ୍ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାର ଯାଂଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଛତିଶଗଡରେ ବିଜେପି ସରକାର ଆସିଲା ପରେ ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଇଥିବା ରିପୋର୍ଟ ଆଧାରରେ ଏକାଧିକ ଏତଲା ଦାୟର କରିଥିଲା । ସୌରଭ ଚନ୍ଦ୍ରାକରଙ୍କ ସମେତ ମହାଦେବ ବେଟିଂ ଆପ୍‌ର ଅନ୍ୟ ମାଲିକ ଏବଂ ପ୍ରମୋଟର ରବି ଉପ୍ପଲ, ଶୁଭମ ସୋନି ଓ ଅନିଲ କୁମାର ଅଗ୍ରୱାଲ ବିରୋଧରେ ରୁଜୁ ହୋଇଥିଲା ମାମଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ବି ଅଭିଯୋଗ ଆସିଛି ।

୨୦୨୩ ନଭେମ୍ବର ୫ ତାରିଖରେ ମହାଦେବ ବେଟିଂ ଆପ୍ ସମେତ ବେଆଇନ ବେଟିଂରେ ସଂପୃକ୍ତ ୨୨ଟି ଆପ୍ ଓ ୱେବସାଇଟ ବ୍ୟାନ କରିଥିଲେ କେନ୍ଦ୍ର ସରକାର । ଇଡି ସୁପାରିଶ ପରେ ଆଇଟି ଆକ୍ଟର ଧାରା ୬୯ଏ ଅଧୀନରେ ଅବୈଧ ବେଟିଂ ଆପ୍ ସବୁ ବ୍ଲକ୍ କରାଯାଇଥିଲା । ଠକେଇ ଅଭିଯୋଗରେ ମହାଦେବ ବେଟିଂ ଆପ୍ ଓ ଏହାର ମାଲିକ ଏବଂ ପ୍ରମୋଟରଙ୍କ ବିରୋଧରେ ୨୦୨୩ ନଭେମ୍ବର ୮ରେ ମାମଲା ରୁଜୁ କରିଥିଲା ମୁମ୍ବାଇ ପୋଲିସ । ୩୦ରୁ ଅଧିକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତମାନେ ଲୋକଙ୍କୁ ୧୫ ହଜାର କୋଟି ଟଙ୍କା ଠକିଥିଲେ ବୋଲି ଅଭିଯୋଗ ହୋଇଥିଲା ।

 

Comments are closed.