Latest Odisha News

BREAKING NEWS

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କରିବ ଇଡି, ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ବଢ଼ିଛି । ଶହେ କୋଟି ଟଙ୍କା ବଟି ଆଦାୟ ମାମଲାରେ ତାଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିପାଇଁ ନୋଟିସ୍ ଜାରି ହୋଇଛି । ଆଜି ୧୧ଟା ସୁଦ୍ଧା ମୁମ୍ୱାଇ ସ୍ଥିତ ଅଫିସରେ ହାଜର ହେବାକୁ ଅନୀଲ ଦେଶମୁଖଙ୍କୁ ନିର୍ଦ୍ଦେଶ ରହିଛି । ଗତକାଲି ୬ଟି ସ୍ଥାନରେ ରେଡ୍ କରିବା ସହ ବିଳମ୍ବିତ ରାତିରେ ଅନୀଲ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡେ ଓ ପିଏ କୁନ୍ଦନ ସିନ୍ଧେଙ୍କୁ ଗିରଫ କରାଯାଇଥିଲା ।

ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି । ତାପୂର୍ବରୁ ସେମାନଙ୍କୁ ମାରାଥନ୍ ଜେରା କରିଥିଲା ଇଡି । ଏହାପରେ ଅନୀଲ ଦେଶମୁଖଙ୍କୁ ହାଜର ହେବାକୁ ନୋଟିସ୍ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଅନୀଲ ଦେଶମୁଖଙ୍କ ନାଁରେ ଆର୍ଥିକ ଅନିୟମିତତା ମାମଲା ରହିଛି । ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ତାଙ୍କ ନାଁରେ ଗୁରୁତର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଚିଠି ଲେଖିଥିଲେ ।

ପରମବୀର ସିଂ ଚିଠିରେ ଉଲ୍ଲେଖ କରିଥିଲେ, ଅନୀଲ ଦେଶମୁଖ ମୁମ୍ୱାଇ ପୋଲିସର ନିଲମ୍ବିତ ଅଧିକାରୀ ସଚିନ ବାଜେଙ୍କୁ ମାସିକ ଶହେ କୋଟି ଟଙ୍କାର ବଟି ଆଦାୟ ପାଇଁ ଟାର୍ଗେଟ୍ ଦେଇଥିଲେ । ଏହି ମାମଲାରେ ବିବାଦ ବଢ଼ିବା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅନୀଲ ଦେଶମୁଖ ।

Leave A Reply

Your email address will not be published.