Latest Odisha News

BREAKING NEWS

ହେଲମେଟ୍ ନ ପିନ୍ଧି ଫାଇନ୍ ଦେଲେ ଗଣଶିକ୍ଷା ମନ୍ତ୍ରୀ, କ’ଣ ଶିଖିବେ ପିଲା ?

ବାଲେଶ୍ୱର: ସେ ମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ତାଙ୍କ ବିଭାଗ ଅଧୀନରେ ଓଡ଼ିଶାର ହଜାର ହଜାର ବିଦ୍ୟାଳୟ ରହିଥିବା ବେଳେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବି ରହିଛି । କିନ୍ତୁ ସେ ବେଫିକର । ନା ଆଇନ୍ ମାନୁଛନ୍ତି ନା ମାନିବା ପାଇଁ ଆନ୍ତିରକତା ଅଛି । ଆମେ ଏକଥା ଏଥିପାଇଁ କହୁଛୁ କାରଣ ବାଲେଶ୍ୱରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ହେଲମେଟ୍ ପିନ୍ଧି ନଥିବା ଯୋଗୁ ଫାଇନ୍ ଦେଇଛନ୍ତି । ତେବେ ଏହା କୌଣସି ବଡ଼ କଥା ନୁହେଁ । କାରଣ ପ୍ରତିଦିନ ହଜାର ହଜାର ସାଧାରଣ ଲୋକ ନିୟମ ଉଲ୍ଲଂଘନ କରି ଫାଇନ୍ ଦେଉଛନ୍ତି ।

ତେବେ ଏଠି କଥାଟା ଅଲଗା । ସମୀର ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଅଛନ୍ତି । ତାଙ୍କ ଅଭିଜ୍ଞତା ଓ କାର୍ଯ୍ୟଶୈଳୀ ଲୋକଙ୍କ ଉପରେ ପ୍ରଭାବ ପକାଉଛି । ଏମିତି ନୁହେଁ ଯେ ମନ୍ତ୍ରୀ ସମୀର ଦାଶଙ୍କୁ ଟ୍ରାଫିକ୍ ନିୟମ କାନୁନ୍ ଜଣା ନାହିଁ । ତଥାପି ସବୁ ନିୟମ ଜାଣି ମନ୍ତ୍ରୀ ବିନା ହେଲମେଟରେ କିଭଳି ବିଧାୟକଙ୍କ ବାଇକରେ ବସି ବାହାରି ପଡ଼ିଲେ । ତାହା ହିଁ ହେଉଛି ପ୍ରଶ୍ନ ।

ବିନା ହେଲମେଟରେ ବାଇକରେ ଯାଉଥିବା ଯୋଗୁ ବାଲେଶ୍ୱରରେ ପୋଲିସକୁ ମନ୍ତ୍ରୀ ସମୀର ଦାଶଙ୍କ ସହ ସ୍ଥାନୀୟ ବିଧାୟକ ସ୍ୱରୂପ ଦାସ ଫାଇନ୍ ଦେଇଛନ୍ତି । ଅବଶ୍ୟ ହେମକାପଦା ଛକରେ ହେଲମେଟ ଯାଞ୍ଚ ବେଳେ ବିଧାୟକ ଓ ମନ୍ତ୍ରୀ ଧରା ପଡ଼ି ୧ ହଜାର ଟଙ୍କା ଗଣିଛନ୍ତି । ଯଦି ଚେକିଂ ହେଉନଥାନ୍ତା ତ ନା ବିଧାୟକ ନା ମନ୍ତ୍ରୀ କିଏ ଫାଇନ୍ ଦେଇଥାନ୍ତେ ।

କିଛିଦିନ ତଳେ ମନ୍ତ୍ରୀ ଶ୍ରୀ ଦାଶ କେନ୍ଦୁଝର ଗସ୍ତରେ ଯାଇଥିବା ବେଳେ ଓଭରଲୋଡିଂ ଯୋଗୁ ସ୍କୁଲ ବସକୁ ତାଗିଦ୍ କରିଥିଲେ । କିନ୍ତୁ ଆଜି ଭୁଲି ଗଲେ ନିୟମ । ହେଲମେଟ ନ ପିନ୍ଧି ସିଧା ବାଇକରେ ବସି ବୁଲି ବାହାରି ପଡ଼ିଲେ । ନିଜେ ତ ହେଲମେଟ୍ ପିନ୍ଧିଲେନି କି ବାଇକ୍ ଚଳାଉଥିବା ବାଲେଶ୍ୱର ସଦର ବିଧାୟକଙ୍କୁ ବି ପିନ୍ଧିବାକୁ କହିଲେନି । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଲୋକେ ଦାୟିତ୍ୱହୀନତା କହୁଥିବା ବେଳେ ଆଉ କିଏ କିଏ ପବ୍ଲିକ ଷ୍ଟଣ୍ଟ ବି କହୁଛନ୍ତି । କିନ୍ତୁ ସବୁଠୁ ବଡ଼ କଥା ହେଉଛି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ହୋଇ ଯଦି ସେ ଏଭଳି ନିୟମ ଭାଙ୍ଗିବେ ତ ପିଲା କ’ଣ ଶିଖିବେ ?

Leave A Reply

Your email address will not be published.