ଭୁବନେଶ୍ୱର: ଗଡଜାତ ଆନ୍ଦୋଳନର ଅନ୍ୟତମ ସଂଗ୍ରାମୀ ତଥା ବିଶିଷ୍ଟ ଶିକ୍ଷାବିତ୍ ସୁଦାମ ଚରଣ ପ୍ରହରାଜଙ୍କର ଗତ ଗୁରୁବାର ସକାଳେ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି ।
ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ସୁତ୍ରରୁ ପ୍ରକାଶ ।
ସେ ୧୯୩୦ ମସିହାରେ ବୌଦ୍ଧ ଜିଲ୍ଲାର ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ଧାନଖଣ୍ଡି ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ସ୍ୱର୍ଗତଃ ପ୍ରହରାଜ ପିଲାଟି ବେଳୁ ମେଧାବୀ ଛାତ୍ର ଭାବେ ଖୁବ୍ ପରିଚିତ ଥିବା ବେଳେ କିଙ୍ଗ ଏଡୱାର୍ଡ ସପ୍ତମ ଇଂରାଜୀ ସ୍କୁଲରୁ ଶିକ୍ଷା ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ୧୯୪୯ ମସିହାରେ ମ୍ୟାଟ୍ରିକ୍ ପରୀକ୍ଷାରେ ବେଷ୍ଟ ଟେନଥ ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ । ଏପରିକି ବେଷ୍ଟ ଟେନଥ ପାଇବାରେ ସେ ବୌଦ୍ଧ ଗଡଜାତର ପ୍ରଥମ ଛାତ୍ର ଥିଲେ।
ଏହାବ୍ୟତୀତ ଛାତ୍ର ଜୀବନରୁ ସ୍ୱର୍ଗତଃ ପ୍ରହରାଜ ବୌଦ୍ଧ ଗଡଜାତର ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ର୍ରହଣ କରିଥିଲେ । ଯାହାଫଳରେ ୧୯୪୬-୪୭ ମସିହାରେ ତାଙ୍କୁ ବିଦ୍ୟାଳୟରୁ ବହିଷ୍କୃତ କରାଯାଇଥିଲା । ପରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ହସ୍ତକ୍ଷେପ ଫଳରେ ସେ ପୁଣିଥରେ ବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ ।
ଆହୁରି ମଧ୍ୟ ସେସମୟରେ ସ୍ୱର୍ଗତଃ ପ୍ରହରାଜ ବିଏସସି ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ସରକାରଙ୍କ ବିଭିନ୍ନ ପଦ ପଦବୀରେ ରହିବା ସହ ପରିଶେଷରେ ଜନଶିକ୍ଷା ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ଗ୍ରହଣ କରିଥିଲେ ।
ତେବେ ଶେଷ ସମୟରେ ତାଙ୍କ ନିକଟରେ ଧର୍ମପତ୍ନୀଙ୍କ ସହିତ ତିନି ପୁଅ, ବୋହୂ ଓ ଝିଅ-ଜ୍ୱାଇଁ ମଧ୍ୟ ଉପସ୍ଥିତ ରହିଥିଲେ ।
Comments are closed.