Latest Odisha News

BREAKING NEWS

ସମ୍ୱେଦନଶୀଳ ବୁଥ୍ ଗୁଡିକରେ ନିଆଯାଇଥିବା ଇଭିଏମକୁ ବ୍ୟବହାର କରିବା ପାଇଁ ଉଦ୍ୟମ ହେଉଛି: ବିଜେଡି

ଭୁବନେଶ୍ୱର: ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା ସମ୍ୱେଦନଶୀଳ ବୁଥ୍ ଗୁଡିକର ତାଲିକା ପ୍ରଦାନ କରିବା ସହିତ ଏହି ବୁଥ୍ ଗୁଡିକରେ ନିଆଯାଇଥିବା ଇଭିଏମ୍ ଗୁଡିକୁ ସ୍ଥାନିତ କରିବାକୁ ଯୋଜନା କରାଯାଉଛି ବୋଲି ବିଜେଡି ଆଉଥରେ ଅଭିଯୋଗ କରିଛି ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ୍ ମହାନ୍ତି, ରାଜ୍ୟସଭା ସାଂସଦ ସୁଲତା ଦେଓ, ପୂର୍ବତନ ମହିଳା କମିସନର ମିନତୀ ବେହେରା ଓ ବିଜେଡି ଛାତ୍ର ସଭାପତି ଇପ୍ସିତା ସାହୁ, ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ଏହି ଉପନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି ।

ଡ. ମହାନ୍ତି କହିଛନ୍ତି, ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି କରାଯାଇଥିବା ଅଭିଯୋଗ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଛି ଯେ, ଗଞ୍ଜାମ ଜିଲ୍ଲାରେ ରଖାଯାଇଥିବା ଇଭିଏମ ମେସିନ ଗୁଡିକ ସିସି କ୍ୟାମେରା ନଜରରେ ରଖାଯାଇଛି । କିନ୍ତୁ, ଆମର ପ୍ରଶ୍ନ ହେଉଛି ଯେ, ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ରାଜରାସ୍ତାରେ ହୋଇଥିଲା ବେଳେ, ଏହି ଅଞ୍ଚଳର ସିସି ଟିଭି କାମ କରୁ ନଥିଲା ।

ସରକାରୀ ଖାତାରେ ସିସି ଟିଭି ଅଛିର ଅର୍ଥ ଏହା ନୁହେଁ ଯେ, ସିସି ଟିଭିର ଫୁଟେଜ ରହିଛି । ଆଜି ଆମ ଦଳ ତରଫରୁ, ସିଇଓଙ୍କ ପାଖରେ ସମ୍ୱେଦନଶୀଳ ବୁଥ୍ ଗୁଡିକର ତାଲିକା ପ୍ରଦାନ କରାଯାଇଛି ଏବଂ ଏହି ବୁଥ୍ ଗୁଡିକରେ ନିଆଯାଇଥିବା ଇଭିଏମ ମେସିନ୍ ଗୁଡିକ ସ୍ଥାପିତ କରିବା ପାଇଁ ଚେଷ୍ଟା କରା ବୋଲି ଅଭିଯୋଗ କରାଯାଇଛି ।

ସୁଲତା ଦେଓ କହିଥିଲେ, ଏହି ଉପନିର୍ବାଚନରେ ବିଜେପି ତରଫରୁ ନିୟମିତ ଭାବେ ସରକାରୀ ଦଳ ତରଫରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି, ଯାହାକୁ ବିଜେଡି ତରଫରୁ ସିଇଓଙ୍କ ପାଖରେ ବାରମ୍ବାର ଉପସ୍ଥାପନ କରାଯାଇଛି । ଏହାଛଡା, ଆୟକର ବିଭାଗ ଓ ଅନ୍ୟ ଅଧିକାରୀଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ବିଜେଡି ନେତାଙ୍କ ଘରେ ଚଢ଼ାଉ କରାଯାଇଛି । ଇଭିଏମ ମେସିନ ନିଆଯାଇ ତାକୁ ଷ୍ଟ୍ରଙ୍ଗ ରୁମରେ ରଖା ନଯାଇ କେଉଁ ଏକ ଅଜଣା ସ୍ଥାନରେ ରଖା ଯାଇଛି ବୋଲି ଅଭିଯୋଗ କରାଯାଇଥିଲା । ଏହାକୁ ଖୋଜି ବାହାର କରିବା ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱ ।

ମିନତୀ ବେହେରା ଓ ଇପ୍ସିତା ସାହୁ କହିଥିଲେ, ବିଜେପି ଦ୍ୱାରା କରାଯାଉଥିବା ବିଭିନ୍ନ ଆଚରଣ ବିଧି ଉଲ୍ଲଂଘନକୁ ରୋକିବା ସହିତ ମୁକ୍ତ ଅବାଧ ନିର୍ବାଚନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଯତ୍ନବାନ ହୁଅନ୍ତୁ ।

Comments are closed.