ଭୁବନେଶ୍ବର: ପିଲାଟି ବେଳୁ ଆମେ ଗୋଟିଏ ବିଜ୍ଞାପନ ଦେଖି ବଡ ହୋଇଛେ । ତାହା ହେଲା, ‘ସଣ୍ଡେ ହୋ ୟା ମଣ୍ଡେ, ରୋଜ ଖାଓ ଅଣ୍ଡେ’- ଅର୍ଥାତ୍ ରବିବାର ହେଉକି ସୋମବାର ଏବେ ପ୍ରତିଦିନ ଅଣ୍ଡା ଖାଇବା ଉଚିତ୍ । ଏଥିପାଇଁ ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ସପ୍ତାହକୁ ଦୁଇଥର ଅଣ୍ଡା ମଧ୍ୟ ଦିଆଯାଏ । ଆଉ ଡାକ୍ତର ବି କୁହନ୍ତି, ପ୍ରତିଦିନ ସକାଳ ଜଳଖିଆରେ ଗୋଟିଏ ଅଣ୍ଡା ଖାଇଲେ ତାହା ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ସ୍ମରଣ ଶକ୍ତକୁ ମଧ୍ୟ ବୃଦ୍ଧି କରେ । ଯାହାକୁ ଆମେ ଜଳଖିଆ ହେଉକି ମଧ୍ୟାହ୍ନ ଭୋଜନ କି ରାତ୍ରୀ ଭୋଜନ, ସବୁବେଳେ ଗ୍ରହଣ କରିପାରିବା । ହେଲେ ଯଦି ଆମେ ଆପଣଙ୍କୁ କହୁ, ସାବଧାନ…ଅଣ୍ଡା ଆପଣଙ୍କ ଶରୀରରେ କ୍ୟାନସର ଆଶଙ୍କାକୁ ବୃଦ୍ଧି କରିପାରେ । ଏବେ ଏକ ଅଧ୍ୟୟନ ଏଭଳି କିଛି ଚମକାଇ ଦେଲା ପରି ତଥ୍ୟ ସାମ୍ନାକୁ ଆଣିଛି । ଅଧ୍ୟୟନରୁ ଜଣାପଡିଛି, ଅଣ୍ଡା କ୍ୟାନସର ବା କର୍କଟ ରୋଗର ଆଶଙ୍କାକୁ ଅଧିକ ବୃଦ୍ଧି କରାଉଛି । ସପ୍ତାହରେ ଆପଣ ଖାଉଥିବା କିଛି ଅଣ୍ଡା ଆପଣଙ୍କ ଶରୀରରେ କ୍ୟାନସରର ଆଶଙ୍କା ୧୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରେ ।
ନ୍ୟୁଟ୍ରେସନ୍ ଫ୍ୟାକ୍ଟ ଦ୍ବାରା ପ୍ରସାରିତ ଏକ ରିପୋର୍ଟ ଅନୁସାରେ, ଅଣ୍ଡାକୁ ଖାଇବା ପାଇଁ ଯେଉଁ ଭଳି ଭାବେ ରନ୍ଧା ଯାଏ, ଏହା ଦ୍ବାରା ସାଇଡ୍ ଇଫେକ୍ଟ ହୋଇପାରେ । ଏହାକୁ ଅଧିକ ତାପମାତ୍ରରେ ସିଝାଇବା କିମ୍ବା ଫ୍ରାଏ କରିବା ଦ୍ବାରା, ଏଥିରୁ କାର୍ସିନୋଜୋନିକ କେମିକଲ୍ସ ଭଳି ସୋର୍ସ ସୃଷ୍ଟି ହୋଇପାରେ । ତେବେ ଏଭଳି ସ୍ଥିତିରେ, ସିଝା ହୋଇଥିବା ଅଣ୍ଡା, ଫ୍ରାଏ ହୋଇଥିବା ଅଣ୍ଡା ଅପେକ୍ଷା ଅଧିକ ସୁରକ୍ଷିତ ବୋଲି କୁହାଯାଇଛି । ଫ୍ରାଏ ହୋଇଥିବା ଅଣ୍ଡା, କ୍ୟାନସର ଆଶଙ୍କାକୁ ଦୁଇଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିପାରେ । ସପ୍ତାହକୁ ଖାଉଥିବା କେବଳ କିଛି ଅଣ୍ଡା କୋଲୋରେକ୍ଟଲ କ୍ୟାନସରର ଆଶଙ୍କା ୧୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରେ । କିନ୍ତୁ ଯଦି ଆପଣଙ୍କ ୩ କିମ୍ବା ତାଠୁ ଅଧିକ ୖଅଣ୍ଡା ସପ୍ତାହରେ ଖାଉଛନ୍ତି, ତାହେଲେ ଏହା ୭୧ ପ୍ରତିଶତ ପର୍ଯ୍ୟନ୍ତ ଏହି ଆଶଙ୍କାକୁ ବୃଦ୍ଧି କରିପାରେ ।
ଆହୁରି ମଧ୍ୟ କୁହାଯାଇଛି, ଯେ ଅର୍ଡାରେ କୋଲାଇନ୍ ମାତ୍ରା ସବୁଠୁ ଅଧିକ ରହିଥାଏ । ଆଉ କୋଲାଇନ୍ ଯେତେବେଳେ ଅନ୍ତନଳୀ ଜୀବାଣୁ ସଂସ୍ପର୍ଶରେ ଆସେ, ସେତେବେଳେ ଏହା ଟ୍ରାଇମେଥାଇଲାମାଇନରେ ପରିବର୍ତ୍ତିତ ହୋଇଯାଇଥାଏ । ଯାହା ଆମ ଲିଭର ସଂପର୍ଶରେ ଆସି, ଟ୍ରାଇମେଥାଇଲାମାଇନ-ଏନ-ଅକ୍ସଡାଇଜ(ଟିଏମଏଓ)ରେ ପରିଣତ ହୋଇଥାଏ । ଯାହା ଭବିଷ୍ୟତରେ ଶରୀର ମଧ୍ୟରେ ପ୍ରଦାହ ଏବଂ କ୍ଷତକୁ ତ୍ବରାନ୍ବିତ କରିଥାଏ ଏବଂ କ୍ୟାନସର ରୋଗ ବୃଦ୍ଧିକୁ ପ୍ରୋତ୍ସାହିତ କରେ ।
ଏଥିସହିତ ରିପୋର୍ଟ ଏହା ବି କହିଛି, ଟିଏମଏଓ ସ୍ତର ପ୍ରଦାହ, ଅକ୍ସିଡେଟିଭ ଚାପ ଏବଂ ଟ୍ୟୁମରକୁ ପ୍ରୋତ୍ସାହିତ କରିପାରେ । ଯାହା ଦ୍ଵାରା କ୍ୟାନସର ରୋଗ ବଢିବାର ବିପଦ ବେଶୀ ବୃଦ୍ଧି ପାଏ । ବିଶେଷକରି ଏହା କୋଲନ ଏବଂ ଯକୃତ କର୍କଟ ରୋଗ ଭଳି ସ୍ଥିତି ସୃଷ୍ଟି କରେ ।
Comments are closed.