Latest Odisha News

BREAKING NEWS

ପାକିସ୍ତାନ ପାଇଁ ଚାରିଆଡୁ ବିପଦ !

ନୂଆଦିଲ୍ଲୀ: ପାକିସ୍ତାନର ମୁଣ୍ଡବିନ୍ଧା ବଢାଇଛି ବଲୁଚିସ୍ତାନ । ଜାଫର ଏକ୍ସପ୍ରେସ ଟ୍ରେନ୍ ହାଇଜାକ୍ ହେଉ କି ନୌସକିରେ ସେନା ଉପରେ ଆକ୍ରମଣ ଘଟଣା, ବଲୁଚିସ୍ତାନ ସ୍ଥିତି ଏବେ ପାକିସ୍ତାନ ନିୟନ୍ତ୍ରଣ ବାହାରେ । ହିଂସା ବଢୁଥିବା ବେଳେ ପାକିସ୍ତାନ ସେନାକୁ ବାରମ୍ବାର ଟାର୍ଗେଟ୍ କରାଯାଉଛି । ଏମିତିକି ଦେଶର କିଛି ଅଞ୍ଚଳ ବିଦ୍ରୋହୀ କବଜା କରିଥିବା କଥା ବି କୁହାଯାଉଛି । ବଲୁଚିସ୍ତାନ ସ୍ଥିତି ନିୟନ୍ତ୍ରଣ କରିବାକୁ ସେନା ଅପରେସନ୍ ଉପରେ ଜୋର ଦିଆଯାଉଛି । ତେବେ ସେନା ପାଇଁ ଏହି ଲଢେଇ ଏତେ ସହଜ ହେବନି । କାରଣ ଭାରତ ସୀମାରେ ପୂର୍ବରୁ ହିଁ ପାକିସ୍ତାନ ସେନା ମୁତୟନ ହୋଇ ରହିଛନ୍ତି। ଏମିତିରେ ଦୁଇ ଦୁଇଟି ସ୍ଥାନରେ ଲଢିବା ପାକ୍ ସେନା ପାଇଁ କାଠିକର ପାଠ ହୋଇପାରେ ।

କେମିତି ଲଢିବ ପାକ୍ ସେନା?

ପାକିସ୍ତାନର ଖୈବର ପଖତୁନଖ୍ବା ୧ଲକ୍ଷ ୧୭ଶହ ୪୧ବର୍ଗ କିଲୋମିଟର ତ ବଲୁଚିସ୍ତାନ ୩ଲକ୍ଷ ୪୭ହଜାର ୧୯୦ ବର୍ଗ କିଲୋମିଟର ଅଞ୍ଚଳରେ ରହିଛି । ଏହି ଅଞ୍ଚଳରେ ୨୦୦୯-୧୦ରେ ସେନା ଅଭିଯାନ ସମୟରେ ପ୍ରାୟ ୧ଲକ୍ଷ ୪୦ହଜାର ସେନା ମୁତୟନ କରିଥିଲା ପାକିସ୍ତାନ । ଯେବେକି କାଶ୍ମୀର ଏଲଓସିରେ ଅନୁପ୍ରବେଶ ରୋକିବାକୁ ଭାରତ ୩ଲକ୍ଷ ୨୦ହଜାର ଯବାନଙ୍କୁ ମୁତୟନ କରେ । ଜାମ୍ମୁ କାଶ୍ମୀରର ମୋଟ୍ କ୍ଷେତ୍ରଫଳ ୪୨ହଜାର ୨୪୧ବର୍ଗ କିଲୋମିଟର, ଯାହା ଖୈବର ପଖତୁନଖ୍ବାଠାରୁ ବି ଆୟତନରେ କମ୍ । ଏଥିରୁ ସ୍ପଷ୍ଟ ହେଉଛି, ପାକିସ୍ତାନ ନିଜ ଦେଶ ଭିତରର ବିଦ୍ରୋହୀଙ୍କୁ ସାମନା କରିବାକୁ ଆବଶ୍ୟକ ସଂଖ୍ୟକ ସେନା ମୁତୟନ କରିନାହିଁ ।

ଆର୍ଥିକ ସଂକଟ ସହ ଯୁଝୁଛି ପାକିସ୍ତାନ

ପାକିସ୍ତାନ ଆର୍ଥିକ ସଂକଟର ସାମନା କରୁଛି । ତେଣୁ ଏଲଓସିରୁ ସେନା ହଟାଇ ବଲୁଚିସ୍ତାନ ଓ ଆଫଗାନିସ୍ତାନ ସୀମାକୁ ପଠାଇବା ସପକ୍ଷରେ ମତ ଦେଇ ନପାରନ୍ତି ଦେଶର ରଣନୀତିକାର । କାରଣ ଏମିତି ହେଲେ ପାକିସ୍ତାନକୁ ପ୍ରତିରକ୍ଷା ଖର୍ଚ୍ଚ ବଢାଇବାକୁ ପଡିପାରେ । ଯାହା ଦେଶ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିବ। ତେଣୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ସେନା ମୁଖ୍ୟ ଅସିମ ମୁନିରଙ୍କ ସମସ୍ୟା ବଢିପାରେ ବୋଲି କୁହାଯାଉଛି । ବଲୁଚିସ୍ତାନର ଅଧିକାଂଶ ଅଞ୍ଚଳ ଏବେ ବିଦ୍ରୋହୀ କିମ୍ବା ଡକାୟତଙ୍କ କବଜା ରହିଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ହେଲେ ସେଠାକୁ ଅଧିକ ସେନା ପଠାଇବାକୁ ପଡିବ । ହେଲେ ଏଥିପାଇଁ ଏଲଓସିରେ ସେନା ବଳ ହ୍ରାସ କରିବାକୁ ପଡିବ । ଦୁଇ ଦୁଇଟି ସ୍ଥାନରେ ଲଢେଇ ପାକିସ୍ତାନ ସେନା ପାଇଁ କଷ୍ଟକର ହେବ ।

ହିଂସାରେ ଜିତି ପାରିବେନି ବଲୁଚିସ୍ତାନ

ଏବେ ବ୍ରିଟିଶ ଶାସନ ସମୟ ଭଳି ଚ୍ୟାଲେଞ୍ଜର ସାମନା କରୁଛି ପାକିସ୍ତାନ । ପାକିସ୍ତାନ ସେନା ବି ବ୍ରିଟିଶ ସେନା ଭଳି ଆକ୍ରମଣ କରିବାକୁ କହୁଛି। ତେବେ ବଲୁଚିସ୍ତାନ ସମସ୍ୟାର ସମାଧାନ ସେନା ଅଭିଯାନ ଦ୍ବାରା ହୋଇପାରିବନି । କାରଣ ବର୍ଷ ବର୍ଷ ଧରି ପୁଞ୍ଜିଭୁତ ଅସନ୍ତୋଷ ଏବେ ବଡ଼ ବିଦ୍ରୋହର ରୂପ ନେଇଛି । ପାକିସ୍ତାନର ଉତ୍ତର ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳ ବିକାଶଠୁ ଦୂରରେ ରହିଛି । ଦେଶର ଅନ୍ୟ ଅଞ୍ଚଳ ଭଳି ନା ଏଠାରେ ଭିତ୍ତିଭୂମିର ବିକାଶ ହୋଇଛି ନା ଶିକ୍ଷା କ୍ଷେତ୍ରରେ ଉନ୍ନତି । ବଲୁଚିସ୍ତାନର ସମସ୍ୟା ବୁଝିବା ସହ ଗଣତନ୍ତ୍ର ସ୍ଥାପନ କରିବା ପରିବର୍ତ୍ତେ ଏଠାରେ ସମସ୍ୟାର ସ୍ବରକୁ ଦବାଇ ଆସିଛି ପାକିସ୍ତାନ । ତେଣୁ ଏଠାକାର ଲୋକଙ୍କ ସହ ଆଲୋଚନା ଦ୍ବାରା ହିଁ ସମାଧାନର ବାଟ ବାହାରି ପାରିବ ।

Leave A Reply

Your email address will not be published.