Latest Odisha News

‘ହେବେ ଯଦି ମୁଖ୍ୟମନ୍ତ୍ରୀ ହେବେ, ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି ସିନ୍ଦେ’

ମୁମ୍ବାଇ: ସରିଯାଇଛି ମହାରାଷ୍ଟ୍ର ନିର୍ବାଚନ । ହେଲେ ଏବେ ବି ମହାରାଷ୍ଟ୍ର ଭୋଟରଙ୍କ ସସପେନ୍ସ ସରିନି । କାହା ହାତକୁ ଯିବ ମହାରାଷ୍ଟ୍ର ଶାସନ? ସେନେଇ ଏବେ ବି ଚର୍ଚ୍ଚା ଜାରି ରହିଛି । ଦେବେନ୍ଦ୍ର ଫଡନାଭିସ୍ ନା ଏକନାଥ ସିନ୍ଦେ, କାହାକୁ ବାଛିବ ମେଣ୍ଟ । ଏହାକୁ ନେଇ କସରତ ଚାଲିଥିବା ବେଳେ ଏହାରି ଭିତରେ ବଡ ବୟାନ ରଖିଛନ୍ତି ସିନ୍ଦେ ସମର୍ଥକ । ଏକନାଥ ସିନ୍ଦେଙ୍କ ବଳରେ ବିଜେପି ମହାରାଷ୍ଟ୍ର ଜିତିଥିବା ଦାବି କରିବା ସହିତ ଉପମୁଖ୍ୟମନ୍ତ୍ରୀ ପଦ ଏକନାଥ ସିନ୍ଦେ ଗ୍ରହଣ କରିବେ ନାହିଁ ବୋଲି ସିଧା ସିଧା କହିଛନ୍ତି ଶିବସେନା ବରିଷ୍ଠ ନେତା ସଂଜୟ ସିରସାଟ୍ ।

ଏନେଇ ସଂଜୟ କହିଛନ୍ତି, ବିଧାନସଭା ନିର୍ବାଚନ ସିନ୍ଦେ ସରକାରଙ୍କ ନାଁରେ ହିଁ ଲଢାଯାଇଥିଲା । ଜନତା ତାଙ୍କ ମୁହଁକୁ ଦେଖି ଭୋଟ ଦେଇଛନ୍ତି । ତେଣୁ ତାଙ୍କର ପୁରା ହକ୍ ଅଛି ଯେ, ସେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ସରକାରକୁ ଫେରିବେ । ଯଦି ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବ କରାଯାଏ ତାହାଲେ ସେ ଗ୍ରହଣ କରିବେ ନାହିଁ ।

ଏଥିସହିତ ସେ ଏହା ବି କହିଛନ୍ତି, ଏଥିପାଇଁ ଆମେ କୌଣସି ଚେତାବନୀ ଦେଉନାହୁଁ । ସରକାରକୁ କିଏ ଆସିବ ତାହା ତ ବରିଷ୍ଠ ନେତାମାନେ ନିଶ୍ଚିତ କରିବେ । କିନ୍ତୁ ଆମେ କେବଳ ପ୍ରସ୍ତାବ ରଖୁଛୁ । ଯଦି ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ଆମର ଦାବି ପୂରଣ କରନ୍ତି, ତାହା ହେଲେ ଲୋକଙ୍କ ପାଖକୁ ଏକ ଭଲ ବାର୍ତ୍ତା ଯିବ । ଯଦି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତାହେଲେ ଆଗାମୀ ନିର୍ବାଚନ ମଧ୍ୟ ଆମ ସପକ୍ଷରେ ଯିବ ବୋଲି ଦାବି କରିଛନ୍ତି ସଞ୍ଜୟ ।

ତେବେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ନିର୍ବାଚନରେ ୨୩୫ ଆସନ ଜିତିଛି ମହାୟୁତି ମେଣ୍ଟ । ଯେଉଁଥିରେ ବିଜେପି ୧୩୨ ଟି, ଶିବସେନା ୫୭ ଏବଂ ଏନସିପି ୪୧ ଆସନ ଜିତିଛି । ବିରୋଧୀ ମହା ବିକାଶ ଅଘାଡି (ଏମଭିଏ) ମାତ୍ର ୪୬ ଟି ଆସନ ସହ ଶିବସେନା (ୟୁବିଟି) ୨୦, କଂଗ୍ରେସ ୧୦ ଏବଂ ଶରଦ ପାୱାର ନେତୃତ୍ୱାଧୀନ ଏନସିପି ୧୦ ଟି ଆସନ ହାସଲ କରିଛି।

ଯାହାକୁ ନେଇ ବିଜେପି ପକ୍ଷରୁ ବର୍ତ୍ତମାନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ରହିଥିବା ଦେବେନ୍ଦ୍ର ଫଡନାଭିସଙ୍କ ନାଁ ପ୍ରସ୍ତାବିତ ହେବା ନେଇ ଚର୍ଚ୍ଚା ରହିଛି । କିନ୍ତୁ ଶିବସେନା ପକ୍ଷରୁ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଦାବି ରହିଥିବା ବେଳେ ଏନସିପି ପକ୍ଷରୁ କୌଣସି କାରଣ ବଶତଃ ଅଜିତ୍ ପାଓ୍ବାର ମୁଖ୍ୟମନ୍ତ୍ରୀ ରେସରେ ନଥିବା ଏକପ୍ରକାର ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.