ନବରଙ୍ଗପୁର: ଟାଣ ଖରାରେ ଖାଲି ପାଦରେ ଚାଲି ଚାଲି ବୃଦ୍ଧା ଗଲେ ପେନସନ ଆଣିବାକୁ। ଚେୟାରକୁ ଆଶାବାଡି କରି ବ୍ୟାଙ୍କ ଆସିଥିଲେ ନବରଙ୍ଗପୁରର ସୂର୍ଯ୍ୟ ହରିଜନ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ଦେଶର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ମାମଲାକୁ ଗୁରୁତର ସହ ନେଇଛନ୍ତି ଆଉ ଉଦବେଗ ପ୍ରକାଶ କରିଛନ୍ତି। ଏଥିସହ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ପ୍ରଶ୍ନ କରି କଣ ସବୁ ପଦକ୍ଷେପ ନିଆଯାଇଛି ପଚାରିଛନ୍ତି।
ବୃଦ୍ଧା ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ସୂର୍ଯ୍ୟ ହରିଜନ। ତାଙ୍କ ଗୋଡର ଆଙ୍ଗୁଳିରେ ସମସ୍ୟା ରହିଛି। ଚାଲିବାରେ ସମସ୍ୟା ରହିଛି। ହେଲେ ପେନସନ ଆଣିବାକୁ ତାଙ୍କର କେହି ବିଶ୍ୱସ୍ତ ନାହାନ୍ତି। ତେଣୁ କଷ୍ଟ ହେଉ ପଛେ ଚେୟାରକୁ ଆଶାବାଡି କରି ବ୍ୟାଙ୍କ ଆସିଥିଲେ।
Can see the manager of the @TheOfficialSBI responding but yet wish @DFS_India and @TheOfficialSBI take cognisance of this and act humanely. Are they no bank Mitra? @FinMinIndia https://t.co/a9MdVizHim
— Nirmala Sitharaman (@nsitharaman) April 20, 2023
ଏହି ଭିଡିଓକୁ ଦେଖିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିଥିଲେ। ପରେ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଏସବିଆଇ ଟ୍ବିଟର ଜବାବ ଦେଇ କହିଛି, ବ୍ୟାଙ୍କ ମ୍ୟାନେଜର ତୁରନ୍ତ ତାଙ୍କର ପେନସନ ଟଙ୍କା ପୈଠ କରିଥିଲେ । ଆଗାମୀ ଦିନରେ ବୃଦ୍ଧାଙ୍କୁ ବ୍ୟାଙ୍କ ଆସିବାକୁ ପଡ଼ିବ ନାହିଁ। ବ୍ୟାଙ୍କ ତରଫରୁ ତାଙ୍କୁ ଘରେ ଯାଇ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୀତାରମଣଙ୍କୁ ଟ୍ୱିଟରରେ ଅବଗତ କରାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବୃଦ୍ଧାଙ୍କ ବଡପୁଅ ସୀତାରାମ ବାହାର ରାଜ୍ୟରେ କାମ କରନ୍ତି। ସେହିପରି ସାନ ପୁଅ ମଶୁରାମ ଗାଈ ଚରାନ୍ତି। ତେଣୁ ବୃଦ୍ଧା ଜଣଙ୍କ ଚେୟାରକୁ ଆଶାବାଡି କରି ଝରିଗାଁ ଏସବିଆଇ ବ୍ୟାଙ୍କ ଆସିଥିଲେ। ଯଦିଓ ବୃଦ୍ଧାଙ୍କ ଟିପ ଚିହ୍ନକୁ ନେଇ ସମସ୍ୟା ରହିଥିଲା କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ପେନସନ୍ ପୈଠ କରିଛନ୍ତି।
ଅନ୍ଯପଟେ ଏହି ଘଟଣା ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ସତର୍କ ହୋଇଛି। ବୃଦ୍ଧାଙ୍କ ପାଖରେ ଆବାସ ଯୋଜନାରେ ଘର ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ରହିଛି କି ନାହିଁ ବିଡିଓ ତଦାରଖ କରୁଥିବା ସୂଚନା ରହିଛି।
Comments are closed.