Latest Odisha News

ନିର୍ବାଚିତ ବିଜେପି ପ୍ରତିନିଧି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁ ନାହାନ୍ତି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିବା ରାଜ୍ୟ ବିଜେପି ନେତା ମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷାକରିବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି । ମାଟି ପାଇଁ ପାଟି ନ ଖୋଲି କେବଳ ନିଜ ପାର୍ଟିର ସ୍ୱାର୍ଥ କଥା ଭାବୁଛନ୍ତି ଏବଂ ମିଛ ସଫଳତାର କାହାଣୀ କହି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଣି ବିଜେପି ନେତାମାନଙ୍କ ବିରୋଧରେ ଖୁବ୍‌ ବର୍ଷିଛି ବିଜେଡି। ବିଜେପି ଯେତେବେଳେ ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ନେତାମାନେ ଜନସଂପର୍କ ଯାତ୍ରା କରୁଛନ୍ତି ଏହି ସମୟରେ ବିଜେଡି ଏଭଳି ଏକ ଅଭିଯୋଗ ଆଣିଛି।

ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ଏବଂ ରାଜଧାନୀ ସହ ଯୋଡ଼ୁଥିବା କଟକ-ସମ୍ୱଲପୁର ଜାତୀୟ ରାଜପଥ-୫୫ ଉପରେ ଦେଢ଼ କୋଟିରୁ ଅଧିକ ଲୋକ ନିର୍ଭର କରନ୍ତି । ପଶ୍ଚିମ ଓଡ଼ିଶାର ଜୀବନରେଖା କୁହାଯାଉଥିବାଏହି ଏନ୍‌ଏଚ୍‌-୫୫ର ସଂପ୍ରସାରଣ କାର୍ଯ୍ୟ ୨୦୧୭ରେ ଆରମ୍ଭ ହୋଇ ତିନି ବର୍ଷ ମଧ୍ୟରେ ଶେଷ ହେବାର ଥିଲା । ମାତ୍ର ୬ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହି କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି । ୨୬୩ କିମି ରାସ୍ତାର ଚାରି ଥାକିଆ ସଂପ୍ରସାରଣ ପାଇଁ ପ୍ରଥମେ ୨୩୬୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ତାହା ଏବେ ପ୍ରାୟ ଦୁଇ ଗୁଣ ବଢ଼ି ୪୪୮୨ କୋଟି ଟଙ୍କାରେ ପହଞ୍ଚିଲାଣି । କାମ ଶେଷ କରିବାକୁ ତିନି ଥର ଡେଡ୍‌ଲାଇନ୍ ଦିଆଯିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟସାରି ପାରୁନାହାନ୍ତି ଏନ୍‌ଏଚ୍‌ କର୍ତ୍ତୃପକ୍ଷ ବୋଲି ବିଜେଡି କହିଛି ।

ଏହି ଜାତୀୟ ରାଜପଥରେ ୨୦୧୬ରୁ ୨୦୨୨ ଅର୍ଥାତ ଗତ ୬ ବର୍ଷ ମଧ୍ୟରେ ୧୩୧୫ଟି ଦୁର୍ଘଟଣା ଘଟି ୬୦୩ ଜଣକ ଜୀବନ ଯାଇଛି ବୋଲି ବିଜେଡି କହିଛି ।ସେଥିରୁ ଶେଷ ୨ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଦୁର୍ଘଟଣାଘଟି ପ୍ରାୟ ୨୦୦ ମୁଣ୍ଡଗଡ଼ିଲାଣି । ତଥାପି ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବାଏବଂ ଓଡ଼ିଶାରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ବିଜେପି ନେତାମାନେ ଏଥିପାଇଁ କେନ୍ଦ୍ର ଆଗରେ ପାଟି ଫିଟାଉ ନାହାନ୍ତି ବୋଲି ଶାସକ ଦଳ କହିଛି ।

Comments are closed.