Latest Odisha News

BREAKING NEWS

୨୦୧୯ ନିର୍ବାଚନ : ବିକଳ୍ପ ରାଜନୀତିର ବାଟ ଶେଷ

ଭୁବନେଶ୍ୱର : ରାଜନୀତିର ରୂପ, ରଙ୍ଗ ପ୍ରତିମୁହୂର୍ତ୍ତରେ ବଦଳୁଛି । ଏଠାରେ ଭବିଷ୍ୟତ ନେଇ ସମସ୍ତ ଆକଳନ ଭୁଲସାବ୍ୟସ୍ତ ହୋଇଛି । ଯେଉଁ ନେତାମାନେ ରାଜନୀତିର ମୋଡ଼ ବଦଳେଇବାକୁ ଆଗେଇ ଆସିଥିଲେ, ଆଜି ସେଇ ନେତାମାନେ ନିଜ ମୋଡ଼ ବଦଳାଇ ଦେଇଛନ୍ତି । ସେମାନଙ୍କୁ ନେଇ ଲୋକେ ଦେଖିଥିବା ସ୍ୱପ୍ନ ବି ସେମିତି ଅଧାରେ ପଡ଼ିରହିଛି ।

ପୁଣି ରାଜନୀତିର ଭାଷା ବଦଳିଛି । କ୍ଷମତା କେନ୍ଦ୍ରୀଭୂତ ହୋଇଛି । କିଛି ଲୋକଙ୍କ ହାତ ମୁଠାରେ ରହୁଛି କ୍ଷମତା । ରାଜନୀତି ଜନସେବା ପରିବର୍ତ୍ତେ କ୍ଷମତା ଲାଳସା, ସୁବିଧାବାଦ, ପରିବାରବାଦ ଓ ରୋଜଗାରର ମାଧ୍ୟମ କେବେଠାରୁ ହୋଇସାରିଲାଣି । ଏହାକୁ ଶେଷକରିବା ପାଇଁ ମଧ୍ୟ ବହୁ ପ୍ରୟାସ ହେଲାଣି ।

ଅନେକ ନେତା ବିକଳ୍ପ ରାଜନୀତି କରିବାକୁ ଦୀର୍ଘବର୍ଷ ଧରି ହୁଙ୍କାର ଦେଇ ଆସୁଛନ୍ତି । ହେଲେ ଜନସାଧାରଣ ଏହାକୁ ଗ୍ରହଣକରିବା ପୂର୍ବରୁ ଓଡି଼ଶାରେ ସେହି ନେତାମାନେ ପଛଘୁଞ୍ଚା ଦେଇ କ୍ଷମତା ରାଜନୀତିରେ ନିଜ ଆସନକୁ ଆଗ ସୁଦୃଢ କରୁଛନ୍ତି । ସେମାନେ ହିଁ ଆଗ ନିଜକୁ ସୁରକ୍ଷିତ କରୁଛନ୍ତି । ଭୁଲି ଯାଉଛନ୍ତି ଲୋକଙ୍କୁ । ଫଳରେ ଲୋକେ ଏମାନଙ୍କୁ ବିଶ୍ୱାସ କରିବେକି ନାହିଁ ବୋଲି ବଡ଼ ପ୍ରଶ୍ନ ଏବେ ଛିଡ଼ା ହୋଇଛି ।
ଏହି ନେତାମାନଙ୍କ ମଧ୍ୟରେ ପ୍ରଥମେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କଥା ମନକୁ ଚାଲି ଆସେ । ରାଜ୍ୟରେ ବହୁଳ ପ୍ରସାରିତ ଖବରକାଗଜର ସମ୍ପାଦକ, ଟେଲିଭିଜନର ମାଲିକ ଭାବେ ଶ୍ରୀ ପଟ୍ଟନାୟକ ଯେତିକି ପରିଚିତି, ଜଣେ ରାଜନେତା ଭାବେ ମଧ୍ୟ ଜନସାଧାରଣଙ୍କ ନିକଟରେ ସେତିକି ପରିଚିତ ।

ପ୍ରଥମେ ବିଜେପି ଓ ପରେ କଂଗ୍ରେସ ଛାଡି଼ ସେ ରାଜ୍ୟରେ ବିକଳ୍ପ ରାତନୀତିର ଭାଷା କହୁଥିଲେ । ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ଚାଲିଆସୁଥିବା ଆନ୍ଦୋଳନର ନେତୃତ୍ୱ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନରେ ଆଗରେ ରହିବା, ଭାଷା ଆନ୍ଦୋଳନର ଜଣେ ପରିଚିତ ମଣିଷ ଭାବେ ପଟ୍ଟନାୟକ ଲୋକଙ୍କ ମଧ୍ୟରେ ଆଦୃତ ହୋଇଥିଲେ । ତା’ରି ମଧ୍ୟରେ ସୁବିଧାବାଦ ଓ ପରିବାରବାଦ ଅନ୍ତର ନାରା ଦେଇ ‘ଆମଓଡି଼ଶା ଦଳ’ ଗଠନ କରି ଓଡି଼ଶା ରାଜନୀତିରେ ଏକ ନୂତନ ଅଧ୍ୟାୟ ଯୋଡିଥିଲେ । ଯଦିଓ ୨୦୧୪ ନିର୍ବାଚନରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ମାତ୍ର ୬୦୧ ଭୋଟ ବ୍ୟବଧାନରେ ହାରିଥିଲେ, ହେଲେ ନିଜର ଖବରକାଗଜ ମାଧ୍ୟମରେ ବିରୋଧୀ ଦଳର ଭୂମିକା ନିଭାଇ ଆସୁଥିଲେ । ଏମିତିକି ଗଲା କିଛି ବର୍ଷ ଧରି ତାଙ୍କ ଖବରକାଗଜ ହିଁ ଓଡ଼ିଶାରେ ବିରୋଧୀ ଦଳର ଭୂମିକା ନିଭେଇ ଆସୁଥିଲା ବୋଲି ସାମ୍ବାଦିକତା ଛାତ୍ର ଆଲୋକ କୁମାର କହିଛନ୍ତି । ଶେଷରେ କିନ୍ତୁ ଏ ସବୁକୁ ଆୟୁଧ କରି ରାଜ୍ୟର କ୍ଷମତାଶାଳୀ ଦଳରେ ମିଶିବା ସହ ରାଜ୍ୟସଭା ସାଂସଦ ହୋଇଥିଲେ । ଏହାସଙ୍ଗେ ଶ୍ରୀ ପଟ୍ଟନାୟକଙ୍କୁ ନେଇ ଓଡି଼ଶାରେ ଯେଉଁ ବିକଳ୍ପ ରାଜନୀତିର ଆଶା କରାଯାଉଥିଲା ତା’ର ଅନ୍ତ ହେଲା ।

ଆଉ ଜଣେ ନେତା ହେଲେ ଖାରବେଳ ସ୍ୱାଇଁ । ବାଲେଶ୍ୱର ଲୋକସଭା କ୍ଷେତ୍ରରୁ ବିଜେପିରୁ ଦୁଇଥର ସାଂସଦ ରହିଥିଲେ । ପରେ ବିଜେପି ସହ ସମ୍ପର୍କ ଛିନ୍ନକରି ‘ଉକ୍ରଳ ଭାରତ’ ନାମରେ ଦଳ ଗଢ଼ି ସାରା ରାଜ୍ୟରେ ନିଜବାର୍ତ୍ତା ପହଞ୍ଚାଉଥିଲେ । ପଥପ୍ରାନ୍ତ ସଭାକରି ଶିକ୍ଷାର ବିକାଶ, କୃଷକଙ୍କ ସମସ୍ୟା, ଦୁର୍ନୀତିର ମୂଳତ୍ପାଟନ କରିବା ପାଇଁ ଯେଉଁ ସ୍ୱରଉତ୍ତୋଳନ କରୁଥିଲେ । ଲୋକେ ଶୁଣୁଥିଲେ ମଧ୍ୟ । ଚିତ୍ରକୋଣ୍ଡାରୁ ଆରମ୍ଭ କରି ଖଇରା ପର‌୍ୟ୍ୟନ୍ତ ପ୍ରତି ଛକରେ ସେ ସଭା କରୁଥିଲେ । ଏହାକୁ ଆଧାର କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର‌୍ୟ୍ୟକୁ ଲୋକମାନେ ତଉଲୁଥିଲେ । ଗୋଟେ ଖଦି ଫୁଲକୁର୍ତ୍ତା ଓ ସାଧାରଣ ମାଇକ ସାମ୍ନାରେ ଭାଷଣ ଦେବା ତାଙ୍କର ପରିଚୟ ହୋଇଥିଲା । ଏମିତିକି ଯେତେବେଳେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ହେଲା- ସାରା ଓଡ଼ିଶା ଏହାର ପ୍ରତିବାଦ କରିଥିଲା । ହେଲେ ନିକଟରେ ବିଜେପିରେ ମିଶିବା ଓ ଦଳ ପକ୍ଷରୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବା ପରେ ତାଙ୍କୁ ନେଇ ଜନସାଧାରଣଙ୍କ ମନରେ ଥିବା ଅନ୍ୟ ସମସ୍ତ ଭାବନାରେ ପୂର୍ଣ୍ଣଚ୍ଛେଦ ପଡିଛିା

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ମଧ୍ୟ ଓଡି଼ଶାରେ ଏକ ବିକଳ୍ପ ରାଜନୀତିର ଆଭାସ ମିଳିଥିଲା । ୨୦୦୦ ମସିହାରେ ବିଜେଡିରୁ ଟିକେଟ ନ ମିଳିବା ପରେ ନିଜେ ଗୋଟିଏ ଦଳ ‘ଓଡ଼ିଶା ଗଣ ପରିଷଦ’ ଗଢି଼ଥିଲେ । ଏକଦା ବିଜୁବାବୁଙ୍କ ପାଖଲୋକ ଥିବା ବିଜୟ ମହାପାତ୍ରଙ୍କ ବିଚାରଧାରା ଓ ରାଜନୀତିର ଅଭିଜ୍ଞତା ପାଇଁ ରାଜ୍ୟବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲେ । ହେଲେ ଏନସିପି ଓ ପରେ ବିଜେପିରେ ମିଶିବା ପରେ ରାଜ୍ୟରେ ବିକଳ୍ପ ରାଜନୀତି ସୃଷ୍ଟି କରିବାର ପ୍ରଚେଷ୍ଟା ଫେଲ ମାରିଥିଲା । ପୁଣି ବିଜେପି ଛାଡି଼ ଏବେ ଦଳଛଡ଼ା ଥିବା ଶ୍ରୀମହାପାତ୍ର ବିଜେଡିକୁ ଫେରିବା କିମ୍ବା ବିଜେପିକୁ ଫେରିବା ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ସେ ଦେଉଁ ଦଳରେ ବି ମିଶନ୍ତୁ, ରାଜ୍ୟରେ କୌଣସି ଦଳ ବି କ୍ଷମତା ହାସଲ କରୁ, ହେଲେ ଅନେକ ସମୟରେ ଯେଉଁ ବିକଳ୍ପ ରାଜନୀତିର ବାଟ ଖୋଲୁଥିଲା, ତାହା ଏବେ ଶେଷ ବୋଲି ଆଲୋଚନା ହେଉଛି । ଲୋକେ ବି ଧୀରେ ଧୀରେ ଏଥରୁ ମୁହଁ ଫେରେଇ ନେବାକୁ ଆରମ୍ଭ କରୁଛନ୍ତି ବୋଲି ଜଣେ ରାଜନୈତିକ ବିଶ୍ଳେଷକ କହିଛନ୍ତି ।

Leave A Reply

Your email address will not be published.