Latest Odisha News

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେଇଥିବାରୁ ଆପ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଆମ ଆଦମୀ ପାର୍ଟିକୁ ନିର୍ବାଚନ କମିଶନର ନୋଟିସ ଜାରି କରିଛନ୍ତି । ଏହା ବ୍ୟତୀତ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମଧ୍ୟ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅସତ୍ୟ ବୟାନ ଦେଇଥିବା ଅଭିଯୋଗରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ବିଜେପି ଅଭିଯୋଗ କରିଥିଲା ଯେ, ମଧ୍ୟ ପ୍ରଦେଶର  ଏକ ନିର୍ବାଚନ ରାଲିରେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମିଛ ବୟାନ ଦେଇଥିଲେ । ଏହି ଅଭିଯୋଗ ଉପରେ ନିର୍ବାଚନ  କମିଶନର ପ୍ରିୟଙ୍କାଙ୍କୁ  ଗୁରୁବାର ରାତି ୮ଟା ପର୍ଯ୍ୟନ୍ତ ନିଜ ବୟାନ ଉପରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି । ଭାଜପା ଅଭିଯୋଗ ଆଣିଛି ଯେ, ପ୍ରିୟଙ୍କା ଗାନ୍ଧି ଏକ ଜନସଭାରେ ନରେନ୍ଦ୍ର ମୋଦି ସରକାର ସରକାରୀ କ୍ଷେତ୍ରକୁ ଘରୋଇକରଣ କରିଛନ୍ତି ବୋଲି କହିଛନ୍ତି। ହେଲେ ଏସବୁ ‘ଭିତ୍ତିହୀନ ଏବଂ ମିଥ୍ୟା’ ବୋଲି ଦାବି କରିଛି  ବିଜେପି।

ସେହିପରି ସୋଶିଆଲ ମିଡିଆରେ ଆମ ଆଦମୀ ପାର୍ଟି ପକ୍ଷରୁ ପୋଷ୍ଟ କରାଯାଇଥିବା ଭିଡିଓ ଉପରେ ବିଜେପି ଅଭିଯୋଗ ଆଣିଛି । ଏହି ଅଭିଯୋଗ ଆଧାରରେ ନିର୍ବାଚନ ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି ଇସି । ଆମ ଆଦମୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ନୋଟିସ ଜାରି କରିଛନ୍ତି ଇସି । କମିଶନର ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ପାଇଁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ବିଷୟରେ ସ୍ପଷ୍ଟୀକରଣ ରଖିବା ପାଇଁ ନିର୍ବାଚନ ଅଧିକାରୀ କହିଛନ୍ତି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ରଖନ୍ତି ତେବେ ନିର୍ବାଚନ ଅଧିକାରୀ ଉଚିତ ନିଷ୍ପତ୍ତି ନେବେ ।

Comments are closed.