Latest Odisha News

ଇସ୍ରାଏଲ ସେନା କବ୍ଜାରେ ଗାଜା ସଂସଦ ଭବନ: ବନ୍ଧକଙ୍କୁ ଛାଡିବା ପାଇଁ ହମାସ ଦେଲା ଅଫର

ଗାଜା:ଇସ୍ରାଏଲ ଏବଂ ପାଲେଷ୍ଟାଇନ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଆଜି ୪୧ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ଇସ୍ରାଏଲି ସେନାକୁ ବଡ ସଫଳତା ମିଳିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସର ସେନା ଗାଜାରେ ହମାସର ସଂସଦ ସମେତ ଅନ୍ୟ ପ୍ରତିଷ୍ଠାନକୁ ନିଜ କବ୍ଜାକୁ ନେଇ ଯାଇଛନ୍ତି ବୋଲି ଦାବି କରିଛନ୍ତି ।

ନ୍ୟୁଜ ଏଜେନ୍ସି ଏଏଫପି ରିପୋର୍ଟ ଅନୁସାରେ, ଇସ୍ରାଏଲ ପକ୍ଷରୁ କୁହାଯାଇଛି, ହମାସ ଗାଜା ପଟ୍ଟି ଉପରେ ନିଜ ନିୟନ୍ତ୍ରଣ ହରାଇଛି । ଇସ୍ରାଏଲି ସେନା ସଂସଦ ସମେତ ଅନ୍ୟ ହମାସ ପରିଚାଳିତ ଅନୁଷ୍ଠାନକୁ ନିଜ କବ୍ଜାକୁ ନେଇଛନ୍ତି । ଏପରିକି ଇସ୍ରାଏଲି ସେନା ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋର ଇସ୍ରାଏଲ ସେନା ହମାସ ସଂସଦରେ ନିଜ ପତାକା ଉଡାଉଥିବା ଦେଖିବାକୁ ମିଳିଛି । ସେତିକି ନୁହେଁ, ଇସ୍ରାଏଲି ସେନାର ଜବାନ ସଂସଦରେ ସ୍ପିକରଙ୍କ ଆସନରେ ବସିଥିବା ମଧ୍ୟ ଦେଖାଯାଇଛି ।

ଅନ୍ୟପକ୍ଷେ ଇସ୍ରାଏଲି ସେନା ଏକ ବୟାନ ଜାରି କରି କହିଛି, ଆମ ସେନା ହମାସ ସଂସଦ ସହ ସରକାରୀ ଭବନ, ହମାସ ପୋଲିସ ମୁଖ୍ୟାଳୟ, ଏକ ଇଞ୍ଜିନିୟରିଂ ଫାକଲ୍ଟିକୁ ନିଜ କବ୍ଜାକୁ ନେଇଛନ୍ତି । ଏହି ଫାକଲ୍ଟି ଅସ୍ତ୍ରଶସ୍ତ୍ର ନିର୍ମାଣ ଏବଂ ବିକାଶ ପାଇଁ ଏକ ଅନୁଷ୍ଠାନ ଭାବେ କାମ କରୁଥିଲା ।

ତେବେ ଗାଜାରେ ସ୍ୱାସ୍ଥ୍ୟାବସ୍ଥା ଶୋଚନୀୟ ହୋଇପଡିଛି । ଡାକ୍ତରଖାନା ଏବଂ କ୍ଲିନିକରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ମିଳୁନି । ଗାଜାର ସବୁଠାରୁ ବଡ ଡାକ୍ତରଖାନା ଅଲ ଶିଫାର ଗେଟ ସାମ୍ନାରେୂ ଏକ ଇସ୍ରାଏଲି ଟ୍ୟାଙ୍କ ଛିଡା ହୋଇଛି । ବୋମା ମାଡ ବି କରାଯାଉଛି । ଡାକ୍ତରଖାନାରେ ଫୁଏଲ ବି ଶେଷ ହୋଇଗଲାଣି । ରୋଗୀଙ୍କ ପାଇଁ ଖାଦ୍ୟପାନୀୟ ବି ଠିକ ଭାବେ ମିଳୁନି । ବିଶେଷ କରି ଆଇସିୟୁରେ ଥିବା ରୋଗୀ ଏବଂ ନବଜାତକଙ୍କ ଅବସ୍ଥା ଉଦବେଗଜନକ ହୋଇପଡିଛି ।

ଇସ୍ରାଏଲି ସେନା ଅଲ-ଶିଫା ଡାକ୍ତରଖାନାରେ ୩୦୦ ଲିଟର ଫୁଏଲ ପହଞ୍ଚାଇଛି । ଇସ୍ରାଏଲ ସେନା ଅଭିଯୋଗ କରିଛି ଯେ, ଏହି ଫୁଏଲ ପହଞ୍ଚାଇବା ସମୟରେ ହମାସ ସେନା ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲା ।

ଅନ୍ୟପକ୍ଷେ ହମାସ-ଇସ୍ରାଏଲ ମଧ୍ୟରେ କତାର ମଧ୍ୟସ୍ଥତାରେ ଆଲୋଚନା ଚାଲିଛି । ନ୍ୟୁଜ ଏଜେନ୍ସ ଏପିଏଫ ରିପୋର୍ଟ ଅନୁସାରେ, ହମାସ କତାର ଅଧିକାରୀଙ୍କୁ କହିଛି, ଯଦି ୫ ଦିନ ଭିତରେ ଯୁଦ୍ଧ ବନ୍ଦ ହୁଏ ତେବେ ସେ ୭୦ ବନ୍ଧକଙ୍କୁ ଛାଡି ଦେବ ।

ସୂଚନାଥାଉ କି, ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ୨୫୦ ଜଣଙ୍କୁ ବନ୍ଧକ ରଖିଥିଲା । ଏମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ଥିଲେ । ବନ୍ଧକ ଥିବା ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବା ଖବର ବି ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.