Latest Odisha News

BREAKING NEWS

‘ପାଣ୍ଡିଆନ୍ ପାଇଁ ବିଜେଡି ନିର୍ବାଚନରେ ହାରିଗଲା କି, ଦଳରେ ଆଲୋଚନା ହେବ’

ଭୁବନେଶ୍ୱର: ବିଜେଡି କାହିଁକି ହାରିଲା ଏହାର କାରଣ ଖୋଜାଯିବ ବୋଲି ଦଳର ନେତା କହି ଆସୁଛନ୍ତି। କିନ୍ତୁ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଥିବା ଭି.କେ ପାଣ୍ଡିଆନ୍ ବିପର୍ଯ୍ୟୟ କାରଣ କି ଏଯାବତ ବିଜେଡିର ପ୍ରମୁଖ ନେତା ଖୋଲି କରି କହି ନାହାନ୍ତି। ଏହାରି ଭିତରେ ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ପାଣ୍ଡିଆନ ପାଇଁ ଦଳ ହାରିଛି କି ନାହିଁ ଏହାର କାରଣ ଖୋଜାଯିବ। କିଛି ଦିନ ପୂର୍ବରୁ କିନ୍ତୁ ପାଣ୍ଡିଆନ୍ ଦଳ ଭିତରେ ଏପରି ସର୍ବେସର୍ବା ଥିଲେ ଯେ ତାଙ୍କ ନାମ ତୁଣ୍ଡରେ ନେବାକୁ ଦଳୀୟ ନେତା କୁଣ୍ଠାବୋଧ କରୁଥିଲେ।

କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦ୍ବାରା ଆଜି ବିଧାୟକ ମାନେ ଶପଥ ଗ୍ରହଣ କରିଛନ୍ତି। ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଏହି ଶପଥ ଗ୍ରହଣ ସମାରୋହ ଚାଲିବ। ଏହାପରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବ। ଏହାପୂର୍ବରୁ ଅର୍ଥାତ ଆସନ୍ତାକାଲି ବିଜେଡିର ବିଧାୟକ ଦଳ ବୈଠକ ବସିବ ବୋଲି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି. ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ସ୍ଥିର କରାଯିବ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ହେବେ ନା ଆଉ କିଏ ସେ ବାବଦରେ ଆଲୋଚନା ହେବ। ବିଜେଡି ହାରିଯିବାର ଅନେକ କାରଣ ରହିଛି। ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ବିଜେଡି ବିରୋଧରେ ଫଳପ୍ରଦ ହୋଇଛି ବୋଲି ଜନାଦେଶରୁ ଜଣାପଡ଼ିଛି। ତେବେ ପାଣ୍ଡିଆନ୍ ହିଁ ପରାଜୟର କାରଣ କି ବୋଲି ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ପ୍ରଶ୍ନ କରିଛନ୍ତି, ଜବାବରେ ବଦ୍ରି କହିଛନ୍ତି ଏ ବାବଦରେ ବି ଆଲୋଚନା ହେବ। ସମସ୍ତ ଦଳରେ ଅସନ୍ତୋଷ ରହିଛି, ବିଜେଡିରେ ବି ରହିଛି। କିନ୍ତୁ ଏହାର ସମାଧାନ କରି କିଭଳି ଆଗକୁ ବଢ଼ିହେବ ସେ ଦିଗରେ ଦଳ କାମ କରିବ ବୋଲି ବଦ୍ରି କହିଛନ୍ତି। ନିର୍ବାଚନ ବେଳେ ବିଜେଡି ଅଧିକ ଆତ୍ମବିଶ୍ବାସୀ ହୋଇପଡ଼ିଥିଲା ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେଡି ନିର୍ବାଚନରେ ହାରିବା ପରେ ପାଣ୍ଡିଆନ୍ ଭିଡିଓ ଜାରି କରି ରାଜନୀତିରୁ ସନ୍ୟାସ ନେଉଛନ୍ତି ବୋଲି ଘୋଷଣା କରିଥିଲେ। ଆଇଏଏସ ଚାକିରିରୁ ଅବସର ନେଇ ୨୦୨୩ରେ ସେ ବିଜେଡିରେ ଯୋଗ ଦେଇଥିଲେ। ୮ ମାସ ହେବ ଦଳରେ ଯୋଗଦେଇଥିଲେ। ଏହାପରେ ସେ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଛନ୍ତି।

Leave A Reply

Your email address will not be published.