Latest Odisha News

ବାଜିରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ: ଡେଥ୍ ପଏଂଟ ପାଲଟିଛି ବିଦ୍ୟୁତ୍ ଟ୍ରାନ୍ସଫରମର୍

ଯାଜପୁର: ବାଜିରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ । ପ୍ରତି ମୁହୁର୍ତରେ ମୃତ୍ୟୁ ସହ ଆମ୍ନାସାମ୍ନା ହେଉଛନ୍ତି ସହରବାସୀ । ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ଶହ ଶହ ବିଦ୍ୟୁତ୍ ଟ୍ରାନ୍ସଫରମର୍ । ସହରରେ ଥିବା ପାଖାପାଖି ୯୯ ପ୍ରତିଶତ ବିଦ୍ୟୁତ୍ ଟ୍ରନ୍ସଫରମର୍ ରେ ନାହିଁ ସୁରକ୍ଷା ବାଡ । କେଉଁଠି ହାତ ପାହାନ୍ତାରେ ତ ଆଉ କେଉଁଠି ତଳେ ଲାଗିଛି ଟ୍ରାନ୍ସଫରମର୍ । ଫ୍ୟୁଜ୍ ବକ୍ସ ଖୋଲା ପଡିଥିବା ବେଳେ ତଳକୁ ଝୁଲି ରହିଛି ହାଇ ଭୋଲଟେଜ ବିଦ୍ୟୁତ୍ ତାର । ତାସହ ଅନେକ ସ୍ଥାନରେ ସର୍ଭିସ୍ ଖୁଂଟରେ ଲାଗିଛି ହେଭି ଟ୍ରାନ୍ସଫରମର୍ । ଯାହା ସହରବାସୀଙ୍କ ପାଇଁ ଘୋର ବିପଦ ସୃଷ୍ଟି କରିଛି । ମୁଖ୍ୟ ରାସ୍ତା କଡ ହେଉ ଅବା ଜନଗହଳିପୁର୍ଣ୍ଣ ଛକ ବଜାର, ସବୁଠି ସମାନ ଅବସ୍ଥା । ମୁକୁଳା ପଡିଛି ସବୁ ଟ୍ରାନ୍ସଫରମର । ପ୍ରତିଦିନ ହଜାର ହଜାର ଲୋକ ଓ ଯାନବାହାନ ଏହା ନିକଟରେ ଯାତାୟତ କରୁଛନ୍ତି । ଏହି ସମୟରେ ଟିକେ ଅସାବଧାନ ହେଲେ ଚାଲିଯିବ ଜୀବନ । ତେବେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରବାସୀ ।

ଗୋଟିଏ କି ଦୁଇଟି ନୁହେଁ, ୫ ଶହରୁ ଅଧିକ ବିଦ୍ୟୁତ୍ ଟ୍ରାନ୍ସଫରମର ରହିଛି ଯାଜପୁର ରୋଡ ସହରାଂଚଳରେ । ଦଳା ଛକ, ନହକା ବାଇପାସ, ଗୋପବନ୍ଧୁ ଛକ, ବ୍ୟାଙ୍କ୍ ଷ୍ଟ୍ରିଟ୍, ବାଇପାସ୍ ରୋଡ, କଲେଜ ଛକ, ଟାଉନହଲ୍ ଛକ ଓ ଧବଳଗିରି ଆଦି ପ୍ରମୁଖ ଛକ ମାନଙ୍କ ସହିତ ସମସ୍ତ ପ୍ରମୁଖ୍ୟ ରାସ୍ତା କଡରେ ମୁକୁଳା ପଡିଛି ଟ୍ରାନ୍ସଫରମର । ନିକଟରେ କଳିଙ୍ଗନଗର ଶିଳ୍ପାଂଚଳ ରହିଥିବାରୁ ଏହି ସହର ଉପରେ ଅନେକ ଲୋକ ନିର୍ଭର କରନ୍ତି । ଏଥିସହ ଏଠାରେ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବଡ ବଡ ସପିଂ ମଲ ରହିଥିବାରୁ ପ୍ରାୟ ସବୁ ସମୟରେ ଏଠାରେ ଜନଗହଳି ଲାଗି ରହେ । ହେଲେ ମୁକୁଳା ପଡିଥିବା ଏହି ସବୁ ଟ୍ରାନ୍ସଫରମର ଗୁଡିକ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ପୂର୍ବରୁ ଅନେକଥର ଦୁର୍ଘଟଣା ବି ଘଟିଛି । ହେଲେ ଏଥି ପ୍ରତି ଆଖି ବୁଜି ଦେଇଛି ବିଦ୍ୟୁତ୍ ବିଭାଗ । ତେବେ ଏହି ଅଂଚଳ ନେସ୍କୋ ଅଧିନରେ ରହିଛି । ବିପଦର ଆଶଙ୍କା ଥିଲେ ବି ଏହାକୁ ନେସ୍କୋ ଅଣଦେଖା କରୁଥିବା ସହରବାସୀ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ନେସ୍କୋ କତୃପକ୍ଷ । ବିଭାଗକୁ ଏହାର ତଥ୍ୟ ଦିଆଯାଇଥିବା ବେଳେ ଯଥାଶିଘ୍ର ଏହାର ସମାଧାନ ହେବ ବୋଲି ନେସ୍କୋ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.