Latest Odisha News

BREAKING NEWS

ଏମିତି ଏକ ଗାଁ ଯେଉଁଠି ଗ୍ରାମବାସୀଙ୍କ ଛାତ୍ରଛାୟାରେ ଅଛନ୍ତି ହଜାର ହଜାର ବାଦୁଡି  

ଯାଜପୁର: କିଚିରି ମିଚିରି ଶଦ୍ଦରେ ଫାଟି ପଡୁଛି ପରିବେଶ । ଗଛ ଡାଳରେ ମୁଣ୍ଡ ତଳକୁ ଗୋଡ ଉପରକୁ କରି ଝୁଲି ରହିଛନ୍ତି ବିରଳ ପ୍ରାଣୀ ବାଦୁଡି । ଗ୍ରାମବାସୀ ଦେଉଛନ୍ତି ଏମାନଙ୍କୁ ସୁରକ୍ଷା । ଏଭଳିି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ଗାଁରେ । ଗାଁ ନିକଟ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀ ବନ୍ଧରେ ୪ଟି ବଡ ବଡ ଗଛରେ ବାସ କରୁଛନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡି । କାହିଁ କେତେ କାଳରୁ ଏମାନେ ଏଠାରେ ବାସ କରିଆସୁଛନ୍ତି । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ ଆଉ କେତେବେଳେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଏମାନଙ୍କ ପାଇଁ ସାଜୁଛି କାଳ । ଏଣୁ ଏମାନଙ୍କ ସୁରକ୍ଷା ପାଇଁ ଅଂଟା ଭିଡିଛନ୍ତି ସ୍ଥାନୀୟ ଲୋକେ ।

ପାଣିପାଗ ପରିବର୍ତନ ପାଇଁ ବାଦୁଡି ବଂଶ ଧୀରେଧିରେ ଲୋପ ପାଇବାକୁ ବସିଥିବା ବେଳେ ଯାଜପୁର ଜିଲ୍ଲା କବାଟବନ୍ଧ ଗାଁରେ କାହିଁ କେଉଁ ଆଦିମ କାଳରୁ ବ୍ରାହ୍ମଣୀ ନଦୀ କୁଳର ଏହି ୪ଟି ବଡ ଗଛରେ ରହି ଆସୁଛନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡି । ଦିନ ବେଳା ଏମାନେ ଏହି ଗଛରେ ଲଟକି ରହୁଥିବା ବେଳେ ରାତି ହେଲେ କେଉଁ ଆଡେ ଚାଲିଯାନ୍ତି । ପୁଣି ସକାଳ ହେବା ପୂର୍ବରୁ ଫେରି ଆସନ୍ତି ଏଠାକୁ । ଏଥିସହ ଏହି ଅଂଚଳକୁ କୌଣସି ବିପଦ ଆସିବାକୁ ଥିଲେ ଏମାନେ କେଉଁଆଡେ ଚାଲିଯାନ୍ତି। ବୋଲି କହିଛନ୍ତି ଗ୍ରାମବାସୀ । ଏବଂ ବିପଦ ଟଳିଗଲେ ଏମାନେ ପୁଣି ଫେରି ଆସନ୍ତି । ତେଣୁ ଏମାନେ କେଉଁଆଡେ ଚାଲିଗଲେ କିଛି ବିପଦ ଆସୁଥିବା ଜଣାପଡେ ବୋଲି ଗ୍ରାମବାସୀ କହିଛନ୍ତି ।

ବାଦୁଡି ମାଂସରେ ଅନେକ ଔଷଧିୟ ଗୁଣ ରହିଥିବାରୁ ଶିକାରୀମାନେ ଏମାନଙ୍କୁ ଶିକାର କରି ଏହାର ମାଂସକୁ ଚଢା ଦରରେ ବିକ୍ରି କରିଥାନ୍ତି । ଏଥିପାଇଁ ପୃଥିବୀ ପୃଷ୍ଟରେ ଦିନକୁ ଦିନ ବାଦୁଡିଙ୍କ ସଂଖ୍ୟା କମିବାରେ ଲାଗିଛି । ହେଲେ କାହିଁ କେତେ କାଳରୁ ଏଠାରେ ସେହି ବାଦୁଡି ମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି କବାଟବନ୍ଧ ଗ୍ରାମବାସୀ । ଏହି ବିରଳ ପ୍ରାଣୀର ଦେଖାରେଖା ପାଇଁ ଗଠନ କରାଯାଇଛି ବାଦୁଡି ସୁରକ୍ଷା ମଂଚ । ଶିକାରୀ ଦାଉରୁ ରକ୍ଷା କରିବା ସହ ପ୍ରବଳ ଖରା ଓ ଗରମ ଯୋଗୁଁ ପାଣି ସିଂଚନ କରାଯାଇ ଏମାନଙ୍କୁ ବଂଚାଇ ରଖିବାକୁ ଉଦ୍ୟମ ଜାରି ରଖିଛି ଏହି ମଂଚ । ବେଳେ ବେଳେ ଅଗ୍ନିଶମ ବିଭାଗ ଓ ନିକଟସ୍ଥ ଶିଳ୍ପସଂସ୍ଥା ମାନେ ମଧ୍ୟ ଏଥିପାଇଁ ସହଯୋଗର ହାତ ବଢାଇଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ମାତ୍ର ବନବିଭାଗ ପକ୍ଷରୁ ଏମାନଙ୍କ ସୁରକ୍ଷା ପାଇଁ ସେଭଳି କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିବାରୁ ଏଥିପାଇଁ ଏବେ ବାଜିରେ ଲାଗିଛି ଏହି ବିରଳ ପ୍ରାଣୀଙ୍କ ଜୀବନ । କେବଳ ଗ୍ରାମବାସୀ ହିଁ ଏମାନଙ୍କ ଯତ୍ନ ନେବା ସହ ବାଦୁଡି ମାନଙ୍କୁ ଯୋଗାଉଛନ୍ତି ସୁରକ୍ଷା ।

Leave A Reply

Your email address will not be published.