ରାଉରକେଲା: ଦନ୍ତା ଆତଙ୍କରେ ଥରହର ହେଉଛି ଓଡ଼ିଶା-ଝାଡ଼ଖଣ୍ଡ ସୀମା। ରାତିକରେ ହାତୀ ନେଲାଣି ୬ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ବାପା-ମାଆ, ପୁଅ-ଝିଅ। ଏହି ପରିବାର ବ୍ୟତୀତ ଅନ୍ୟ ଦୁଇଜଣଙ୍କର ଜୀବନ ଯାଇଛି। ଦନ୍ତା ଆକ୍ରମଣରେ ଅନ୍ୟ ୬ଜଣ ଲହୁଲୁହାଣ ହୋଇଛନ୍ତି। ସପ୍ତାହକ ମଧ୍ୟରେ ଉକ୍ତ ଗୋଠଛଡ଼ା ଦନ୍ତା ଆକ୍ରମଣରେ ୧୫ଜଣଙ୍କ ମୃତ୍ୟୁ ଘଟିଲାଣି।
ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ବବାଡ଼ିଆ ଗ୍ରାମର ମୁଣ୍ଡାସାହିଟୋଲାରେ ରୁହନ୍ତି ସନାତନଙ୍କ ପରିବାର। ମଙ୍ଗଳବାର ରାତିରେ ପରିବାର ସଦସ୍ୟ ଘର ଅଗଣାରେ ଶୋଇଥିବାବେଳେ ଦନ୍ତା ପଶି ଆକ୍ରମଣ କରିଥିଲା। ସନାତନ, ଜୋଲେକା, ଦମୟନ୍ତୀ ଏବଂ ମୁଗତ ଜୀବନ ବଞ୍ଚାଇବାକୁ ସୁଯୋଗ ପାଇ ନଥିଲେ। ପୁଅ ଜୟପାଲ ଓ ସୁଶୀଲା ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଜୀବନ ବଞ୍ଚାଇ ଦୌଡ଼ି ପଳାଉଥିବା ବେଳେ ପଡ଼ି ଯାଇ ସୁଶୀଲା ଆହତ ହୋଇଛନ୍ତି।
ଏହାପରେ ହାତୀ ଉଲିସାହିଟୋଲରେ ପଶିଥିଲା । ଘରେ ଶୋଇଥିବା ଗୁରୁଚରଣଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ହାତୀ ଆକ୍ରମଣରେ ଅଞ୍ଚଳର ଗୋମିଆ ଲାଗୁରୀ (୧୧) ଓ ହିନ୍ଦୁ ଲାଗୁରୀ (୮) ଗୁରୁତର ହୋଇଛନ୍ତି। ମୁଣ୍ଡାସାହିଟୋଲା ଏବଂ ଉଲିସାହିଟୋଲାରେ ଉପଦ୍ରବ ସୃଷ୍ଟି କରିବା ପରେ ବଡ଼ାପାସିଆ ଗ୍ରାମର ଡୁଡୁଡବାସାଟୋଲାରେ ପଶିଥିଲା ଦନ୍ତା । ମଙ୍ଗଲ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଜଗନ୍ନାଥପୁର ରେଞ୍ଜର କାଲାଇସାହିରେ ହାତୀ ପହଞ୍ଚିଥିଲା । ସେଠାରେ ଦୁଇଟି ଘର ଭାଙ୍ଗି ଦେଇଥିଲା ।
ଗ୍ରାମବାସୀ ନିଆଁହୁଳା ଦେଖାଇବା ସହ ପାଟି କରିବାରୁ ଦନ୍ତା ସିଆଲଯୋଡ଼ା ଗାଁକୁ ଯାଇ ଟିପରିଆ ୨ ଜଣଙ୍କୁ ଆକ୍ରମଣ କରିଥିଲା । ସେମାନେ ଗୁରୁତର ହୋଇଛନ୍ତି । ଊଭୟଙ୍କୁ ଚିକିତ୍ସା ଲାଗି ନୂଆମୁଣ୍ଡା ସ୍ଥିତ ଟିସ୍କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ବନ ବିଭାଗ ଏବଂ ପଶ୍ଚିମବଙ୍ଗରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ଦନ୍ତାକୁ ଟ୍ରାଙ୍କୁଲାଇଜ କରିବାରେ ଫେଲ୍ ମାରିଛି । ହାତୀ ଦିନ ତମାମ ଘଞ୍ଚ ଜଙ୍ଗଲରେ ଲୁଚି ରହୁଛି । ରାତି ୧୦ଟା ପରେ ଜଙ୍ଗଲରୁ ବାହାରି ବିଭିନ୍ନ ଗାଁରେ ପଶି ଉତ୍ପାତ କରୁଛି । ଏହାକୁ ନେଇ ସୀମାବର୍ତ୍ତୀ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।