Latest Odisha News

BREAKING NEWS

ବାରହା ଧରିବାକୁ ବସାଇଥିବା ଜାଲରେ କିଭଳି ହାତୀ ପଡି ପ୍ରାଣ ହରାଇଥିଲା, ଅଭିଯୁକ୍ତ ଖୋଲିଲେ ଗୁମର

କେନ୍ଦୁଝର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟଣାରେ ୫ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି ବନବିଭାଗ କର୍ମଚାରୀ। ଜିଲ୍ଲାର ତେଲକୋଇ ରେଞ୍ଜ ଅନ୍ତର୍ଗତ ସାଲିକିନା ଗ୍ରାମର ଗଦିମେରା ଜୁଆଙ୍ଗ ସାହି ନିକଟ ଜଙ୍ଗଲରେ ଜଙ୍ଗଲୀ ବାରହାକୁ ମାରିବା ପାଇଁ ୧୧ କେଭି ଲାଇନରେ ହୁକ ସହିତ ବିଦ୍ୟୁତ ତାର ଲଗାଇ ଶିକାରୀମାନେ ଏହି ଜାଲ ବିଛାଇ ଥିଲେ। କିନ୍ତୁ ଗତ ଶୁକ୍ରବାର ଦିନ ଏହି ଅଞ୍ଚଳରେ ପଶି ଯାଇଥିବା ୪୦ ବର୍ଷୀୟ ଦନ୍ତାହାତୀ ଜାଲରେ ପଡ଼ି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲା।

ହାତୀର ମୃତ୍ୟୁ ପରେ ଶିକାରୀମାନେ ଜାଲକୁ ନଷ୍ଟ କରିବାକୁ ଉଦ୍ୟମ କରିବା ସହ ବିଦ୍ୟୁତ ତାରକୁ ରୁଗୁଡି କଲୋନୀ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଥିଲେ।

ପଚରାଉଚରା ବେଳେ ଏହି ପାଞ୍ଚ ଜଣ ଶିକାରୀଙ୍କ ସମ୍ପୃକ୍ତି ନେଇ ବନ ବିଭାଗ ଅଧିକାରୀମାନେ ଜାଣିବାକୁ ପାଇଥିଲେ। ସେମାନେ ଚାରି ଜଣଙ୍କୁ ଅଟକ ରଖିଥିଲେ। ସନ୍ଦିଗ୍ଧଙ୍କ ସୂଚନା ଆଧାରରେ ବନ ବିଭାଗ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ଗିରଫ ଶିକାରୀମାନେ ହେଲେ ଜନସନପୁର ଗ୍ରାମର ଚିତ୍ରସେନ ମୁଣ୍ଡା, ଜିତୁ ମୁଣ୍ଡା, ମିଠୁ ପ୍ରଧାନ ଓ ପୁଟୁରା ପ୍ରଧାନ ଏବଂ ତେଲକୋଇ ବ୍ଲକ ରୁଗୁଡି ଗ୍ରାମର ସତ୍ୟସ ମୁଣ୍ଡ। ବନ୍ୟଜନ୍ତୁଙ୍କ ପାଇଁ ଜାଲ ବିଛାଇବା ପାଇଁ ବ୍ୟବହୃତ ବିଦ୍ୟୁତ ତାର, କାଠ ଫାଳିଆ, ବୋତଲ ଆଦି ଜବତ କରିଛି ବନ ବିଭାଗ।

ପରେ ବନବିଭାଗ କର୍ମଚାରୀମାନେ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇଯାଇଥିଲେ। ଅଭିଯୁକ୍ତମାନେ କିଭଳି ଜାଲ ବିଛାଇ ବ୍ୟବହାର ହୋଇଥିବା କାଚ ବୋତଲ ଜରିଆରେ ବରାହ ଶିକାର କରୁଥିଲେ ତାର ଡେମୋ ଦେଖାଇଥିଲେ।

Comments are closed.