Latest Odisha News

ନନ୍ଦନକାନନରେ ହାତୀ ‘ହୀରା’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ହାତୀ ‘ହୀରା’ ଅସୁସ୍ଥ। ପ୍ରାଣୀ ଉଦ୍ୟାନର ହାତୀ ସଫାରୀରେ ରହୁଥିବା ୨୭ବର୍ଷର ମାଈ ହାତୀ ‘ହୀରା’ ଏବେ ଅସୁସ୍ଥ ଥିବା ଖବର ଆସିଛି। ହୀରାର ବାମ ପଟ ଆଗ ଗୋଡ଼ ଦିନକୁ ଦିନ ଫୁଲିବାରେ ଲାଗିଛି। ପାଦରେ ଭାର ବହନ କରିବାକୁ ସକ୍ଷମ ହୋଇପାରୁନାହିଁ ।

OUATର ଏକ ଟିମ୍, ନନ୍ଦନକାନନ ଏବଂ ବିଶେଷଜ୍ଞମାନେ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଗତ ମାସରେ ଥଣ୍ଡା ଯୋଗୁଁ ତାର ନାହି ଫୁଲି ଆବୁ ପରି ହୋଇଥିଲା। ଏହାକୁ ନିରାକରଣ ପାଇଁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକ ଗତ ୧୭ରେ ତା’ର ଦୁଇ ଆଗ ଗୋଡ଼ରେ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ। ଫଳରେ ନାହି ଫୁଲା କମିବା ପରିବର୍ତ୍ତେ ବାମ ପଟ ଆଗ ଗୋଡ଼ ଦିନକୁ ଦିନ ଫୁଲିବାରେ ଲାଗିଛି।

ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷ ‘ହୀରା’ର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ପରେ ଭୁବନେଶ୍ବର ଓୟୁଏଟିର ବିଶେଷଜ୍ଞଙ୍କ ସହ ଡାକ୍ତରୀ ଦଳ ଆସି ତା’ର ଚିକିତ୍ସା ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି, ହେଲ୍‌ଥ କମିଟି ପରାମର୍ଶକ୍ରମେ ‘ହୀରା’ର ଚିକିତ୍ସା ଜାରି ରହିଛି। ଏଥିପାଇଁ ସର୍ତକତା ଅବଲମ୍ବନ କରାଯାଇଛି।

Comments are closed.