Latest Odisha News

BREAKING NEWS

ବାରଙ୍ଗରେ ହାତୀ ଆତଙ୍କ, ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ

କଟକ: ବଢ଼ୁଛି ହାତୀପଲଙ୍କ ଉପଦ୍ରବ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । କଟକ ବାରଙ୍ଗ ଅଞ୍ଚଳ ଚନ୍ଦକା ଡ଼ମପଡ଼ା ରେଞ୍ଜ ଅଧୀନ ରତାଗଡ଼ ପାହାଡ଼ରେ ହାତୀପଲ ପଶିଛନ୍ତି । ହାତୀପଲ ଚାଷ ଜମି ସହ ଫସଲ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ରତାଗତ ପାହାଡ଼ ନିକଟ ଚାଷଜମିକୁ ହାତୀପଲ ନଷ୍ଟ କରିଦେଇଛନ୍ତି । ଏହାସହ କଦଳୀ ଗଛ, କୋବି, ଧାନ ଆଦି ବିଭିନ୍ନ ଫସଲକୁ ନଷ୍ଟ କରିଦେଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଚନ୍ଦକା ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଙ୍ଗଲ ଭିତରକୁ ପ୍ରବେଶ କରାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ହାତୀପଲକୁ ଘଉଡ଼ାଇବା ପାଇଁ ବନ ବିଭାଗର ୨ଟି ଟିମ୍ ନିୟୋଜିତ ଅଛନ୍ତି ।

ହାତୀମାନେ ଯେପରି ଜନବସତି ମୁହାଁ ନହେବେ ସେଥିପ୍ରତି ସଜାଗ ରହିଛି ବନ ବିଭାଗ ଟିମ୍ । ୨ଟି ଦନ୍ତା ଓ ଦୁଇଟି ମାଈ ହାତୀ ରହିଥିବା ସ୍ପଷ୍ଟ କରିଛି ବନ ବିଭାଗ । ସନ୍ଧ୍ୟା ସୁଦ୍ଧା ଦୁଇ ହାତୀଙ୍କୁ ଚନ୍ଦକା ଜଙ୍ଗଲ ମଧ୍ୟକୁ ପ୍ରବେଶ କରାଯିବା ପାଇଁ ଚେଷ୍ଟା ଜାରି ରଖିଛି ସୂଚନା ଦେଇଛନ୍ତି ଚନ୍ଦକା ରେଞ୍ଜ ଏସିଏଫ ହିମାଂଶୁ ମହାନ୍ତି । ଏପଟେ ହାତୀପଲ ନଷ୍ଟ କରିଦେଇଥିବା ଫସଲର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ।

Comments are closed, but trackbacks and pingbacks are open.