ମୟୂରଭଞ୍ଜ: କେରଳର ପଲକ୍କଡ଼ ଜିଲ୍ଲାରେ ବିସ୍ଫୋରକ ଭର୍ତ୍ତି ସପୁରି ଖାଇ ଏକ ଗର୍ଭବତୀ ହାତୀ ଆଖିବୁଜିଥିବା ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ବେତନଟୀ ରେଞ୍ଜରେ । ଖାଦ୍ୟରେ ଥିବା ବୋମା ଖାଇଦେବାରୁ ଗୋଟିଏ ମାଈହାତୀର ମୁହଁରେ ଗଭୀର କ୍ଷତ ହୋଇଛି । ତା’ପାଟିରୁ ପ୍ରବଳ ରକ୍ତ ଝରିବା ସହ ସେ ଖାଦ୍ୟ ଖାଇ ନପାରିବାରୁ ଏଣେତେଣେ ଦୌଡ଼ି ବୁଲୁଥିଲା । ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରାଙ୍କୁଲାଇଜ୍ କରି ହାତୀଟିକୁ ଉଦ୍ଧାର କରିଥିଲେ । ପରେ ତାକୁ ଶିମିଳିପାଳ ଜାତୀୟ ଉଦ୍ୟାନରେ ଥିବା ତାଳବନ୍ଧ ରେଞ୍ଜ କାନଛିଣ୍ଡା ପ୍ରାଣୀ ଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଛି । ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛି ।
୮ ଦିନ ତଳେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଭିମୁଖେ ଯାଇଥିଲେ । ଗତ ୧୧ ତାରିଖରେ ୨୫ଟି ହାତୀ ଫେରିଥିବା ବେଳେ ୨ଟି ହାତୀ ୧୨ ତାରିଖରେ ବେତନଟୀ ରେଞ୍ଜ ଚୁଆପଦା ଜଙ୍ଗଲରେ ପହଞ୍ଚଥିଲେ । ସେଥିମଧ୍ୟରୁ ଏକ ୭ରୁ ୮ ବର୍ଷୀୟା ମାଈହାତୀ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି, ହାତୀଟିର ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଜିଭର ଏକ ତୃତୀୟାଂଶ ଛିଣ୍ଡିଯାଇଛି । ତଦନ୍ତ କରି ଦୋଷୀଙ୍କ ବିରୋଧରେ ନିଶ୍ଚିତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।