ନୂଆଦିଲ୍ଲୀ: ଟ୍ରମ୍ପ ସରକାରରୁ ବାହାରିଗଲେ ଏଲନ ମସ୍କ। ଭାଙ୍ଗିଗଲା ଟ୍ରମ୍ପ-ମସ୍କ ଯୋଡି। ଆମେରିକା ପ୍ରଶାସନରୁ ଅଲଗା ହେବାକୁ ମସ୍କଙ୍କ ଘୋଷଣା। ଟ୍ରମ୍ପଙ୍କ ସାଥ୍ ଛାଡିଦେଲେ ଏଲନ ମସ୍କ। ପୁଣି ଆମେରିକା ରାଜନୀତିକୁ ହଲଚଲ କରିଛନ୍ତି ଟେସଲା ତଥା ସ୍ପେସେକ୍ସର ସିଇଓ ଏଲନ ମସ୍କ। ଏଥର ଚର୍ଚ୍ଚାର କେନ୍ଦ୍ରରେ ରହିଛି ତାଙ୍କ ବୟାନ। ଡୋନାଲଡ ଟ୍ରମ୍ପଙ୍କ ଟିମର ଅଂଶ ନଥିବା କହିଛନ୍ତି ମସ୍କ। ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଟ୍ରମ୍ପ ପ୍ରଶାସନରୁ ବିଦାୟର ପୂରା ପ୍ରକ୍ରିୟା ଅନୌପଚାରିକ ରହିଥିଲା। ଏପରିକି ନିଜ ବିଦାୟ ଖବର ସାର୍ବଜନୀନ କରିବା ପୂର୍ବରୁ ଟ୍ରମ୍ପଙ୍କୁ ସାକ୍ଷାତ କରିନଥିଲେ ମସ୍କ। ଗତ ଜାନୁଆରୀ 20ତାରିଖରେ ମସ୍କଙ୍କୁ ଡିଓଜିଇର ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରିଥିଲେ ଟ୍ରମ୍ପ।
କାହିଁକି ଟ୍ରମ୍ପ ଓ ମସ୍କ ମଧ୍ୟରେ ଦୂରତା?
ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ କ୍ଷମତାଶାଳୀ ବ୍ୟକ୍ତିିବିଶେଷ ଭାବେ ନଜର ଆସିଥିଲେ ମସ୍କ। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ସମୟରେ ଡିଓଜିଇ ସରକାରଙ୍କ ଖର୍ଚ୍ଚ ଅତିକମରେ 2 ଟ୍ରିଲିୟନ ଡଲାର କମ୍ କରିପାରିବ ବୋଲି ମସ୍କ କହିଥିଲେ। ତେବେ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ବିବାଦର କାରଣ ଏକ ବିଲ୍। ଏଥିରେ ଅବୈଧ ଅନୁପ୍ରବେଶ ରୋକିବା ନିୟମକୁ କଡାକଡି ଲାଗୁ କରିବା ସହ ସୀମା ସୁରକ୍ଷା ବଢାଇବାର ବ୍ୟବସ୍ଥା ରହିଛି। ମସ୍କ ଏହାକୁ ଅଧିକ ଖର୍ଚ୍ଚ ଥିବା ବିଲ୍ କହିଥିଲେ। ତାଙ୍କ ମତରେ ବିଲ୍ ଡିଓଜିଇର ଦକ୍ଷତାକୁ ଦୁର୍ବଳ କରୁଛି। ଅଧିକ ଖର୍ଚ୍ଚର ବ୍ୟବସ୍ଥା ଥିବା ଏହି ବିଲକୁ ଦେଖି ମସ୍କ ନିରାଶ ହୋଇଥିବା ସିବିଏସ ଟିଭିକୁ ସାକ୍ଷାତକାରରେ କହିଥିଲେ।
କାହିଁକି ଅସନ୍ତୁଷ୍ଟ ମସ୍କ?
ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରରେ 250ମିଲିୟନ ଡଲାର ଖର୍ଚ୍ଚ କରିଥିବା ଏଲନ ମସ୍କ ଗତ କିଛିଦିନ ହେଲା ଟ୍ରମ୍ପଙ୍କ ମନ୍ତ୍ରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଟ୍ରମ୍ପଙ୍କ ମନ୍ତ୍ରୀମାନେ ମସ୍କଙ୍କୁ ପ୍ରଥମେ ସ୍ବାଗତ ତ କରିଥିଲେ, ହେଲେ ପରେ ନୀତିଗତ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ମସ୍କଙ୍କ ଆକ୍ରାମକ ନୀତିକୁ ଗ୍ରହଣ କରିବା କଷ୍ଟକର ହୋଇଥିଲା। ବଡ଼ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ ସହ ସେମାନଙ୍କ କର୍ତ୍ତବ୍ୟନିଷ୍ଠାର ଯାଞ୍ଚ ଯୋଗୁଁ ବିବାଦ ଦେଖା ଦେଇଥିଲା। ଏହାକୁ ନେଇ କର୍ମଚାରୀ ସଂଘ ମାମଲା ବି ଦାଏର କରିଥିଲେ। ଫଳରେ ଟ୍ରମ୍ପଙ୍କୁ ବାଧ୍ୟ ହୋଇ ଚାକିରି କ୍ଷେତ୍ରରେ ବିଭାଗର ନିଷ୍ପତି ହିଁ ଠିକ୍ ବୋଲି କହିବାକୁ ପଡିଥିଲା। ଟ୍ରମ୍ପଙ୍କର ତିନି ବରିଷ୍ଠ କ୍ୟାବିନେଟ୍ ସଦସ୍ୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ, ପରିବହନ ମନ୍ତ୍ରୀ ସିନ ଡଫି ଓ ଅର୍ଥମନ୍ତ୍ରୀ ଷ୍ଟକ ବେସେଣ୍ଟଙ୍କ ସହ ମସ୍କଙ୍କ ବିବାଦ ହୋଇଥିଲା।
ମସ୍କଙ୍କ ଉପରେ ବ୍ୟବସାୟିକ ଚାପ
ଡିଓଜିଇରେ ମସ୍କଙ୍କ ଭୂମିକା ତାଙ୍କର ଓ ଟେସଲାର ଲୋକପ୍ରିୟତାକୁ ପ୍ରଭାବିତ କରୁଥିଲା। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଟେସଲାର ଲାଭାଂଶରେ 71ପ୍ରତିଶତ ହ୍ରାସ ହୋଇଛି। ଟେସଲା ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଟେସଲା ଟେକଡାଉନ୍ ଆନ୍ଦୋଳନ ମସ୍କଙ୍କ ଉପରେ ଚାପ ପକାଇଥିଲା। ତେଣୁ ନିଜ ବ୍ୟବସାୟ ବିଶେଷ କରି ଟେସଲା ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଫେରିଯିବାକୁ ଚାହୁଁଥିବା ମସ୍କ କହିଥିଲେ।
ଡୋନାଲଡ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ବାଣିଜ୍ୟ ନୀତି ବିଶେଷ କରି ଟାରିଫକୁ ନେଇ ଅସହମତି ରହିଥିଲା। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଟାରିଫକୁ କମ୍ କରିବାକୁ ଯୁକ୍ତି ବାଢିଥିଲେ ମସ୍କ। କାରଣ ଏହା ତାଙ୍କ ନିଜ ବ୍ୟବସାୟ ଟେସଲା ଓ ସ୍ପେସେକ୍ସକୁ ପ୍ରଭାବିତ କରିବାର ଆଶଙ୍କା ଥିଲା। ଏପ୍ରିଲ 8ତାରିଖରେ ପ୍ରଥମ ଥର ପାଇଁ ହ୍ବାଇଟ୍ ହାଉସ୍ ସାର୍ବଜନୀନ ଭାବେ ଟାରିଫ ଓ ବାଣିଜ୍ୟ ନୀତିକୁ ନେଇ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ମତଭେଦ ଥିବା ସ୍ବୀକାର କରିଥିଲା।
Comments are closed.