ନୂଆଦିଲ୍ଲୀ: ଆମେରିକାରେ ତୃତୀୟ ରାଜନୈତିକ ଦଳ ଗଠନ କରିବା ଚର୍ଚ୍ଚାର ଘଟିଲା ଅନ୍ତ । ରାଜନୈତିକ ଦଳ ଗଠନ କଲେ ଟେସଲା ଓ ସ୍ପେସଏକ୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଏଲନ ମସ୍କ । ‘ଆମେରିକା ପାର୍ଟି’ ନାଁରେ ରାଜନୈତିକ ଦଳ ଗଠନ କଲେ ମସ୍କ । ଆଜି ଏହାକୁ ସେ ସରକାରୀ ଭାବେ ଘୋଷଣା କରିଛନ୍ତି ।
ଏହି ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାମ୍ପ୍ରତିକ ବିବାଦ ପରେ ଆସିଛି, ଯେଉଁଥିରେ ମସ୍କ ଟ୍ରମ୍ପଙ୍କ ‘ଓାନ ବିଗ ବ୍ୟୁଟିଫୁଲ ବିଲ’କୁ ତୀବ୍ର ବିରୋଧ କରିଥିଲେ ।
ଟେସଲାର ସିଇଓ ଏଲୋନ ମସ୍କ ସୋସିଆଲ ମିଡିଆରେ ଏହି ଧାରଣା ପାଇଁ ମିଳିଥିବା ବିପୁଳ ପ୍ରତିକ୍ରିୟା ଏବଂ ସମର୍ଥନ ପରେ ଏହି ନିଷ୍ପତ୍ତି ନେଇଛନ୍ତି । ସେ ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି, “୨ ରୁ ୧ ଭୋଟରଙ୍କ ମତରେ ଆପଣ ଏକ ନୂତନ ରାଜନୈତିକ ଦଳ ଚାହୁଁଛନ୍ତି ଏବଂ ଆପଣଙ୍କୁ ତାହା ମିଳିବ! ଆଜି, ଆପଣଙ୍କୁ ଆପଣଙ୍କର ସ୍ୱାଧୀନତା ଫେରାଇ ଆଣିବା ପାଇଁ ‘ଆମେରିକା ପାର୍ଟି’ ଗଠନ କରାଯାଇଛି।”
ଏଲନ ମସ୍କ ପୂର୍ବରୁ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପ୍ରଚାର ପାଇଁ ୨୭୭ ମିଲିୟନ ଡଲାରରୁ ଅଧିକ ଦାନ କରିଥିଲେ ଏବଂ ଟ୍ରମ୍ପଙ୍କ ଦିତୀୟ କାର୍ଯ୍ୟକାଳ ଆରମ୍ଭରେ ସେ ‘ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି’ (DOGE)ର ନେତୃତ୍ୱ ନେଇଥିଲେ। କିନ୍ତୁ ମେ ମାସରେ ସେ ଏହି ପଦ ଛାଡ଼ିଥିଲେ, ଯେତେବେଳେ ସେ ଟ୍ରମ୍ପଙ୍କ ବଜେଟ ଯୋଜନାକୁ ତୀବ୍ର ବିରୋଧ କରିବା ଆରମ୍ଭ କରିଥିଲେ। ମସ୍କ ଏହି ବିଲକୁ ‘ଅସାଧାରଣ ଅପଚୟ’ ବୋଲି ଅଭିହିତ କରିଛନ୍ତି ଏବଂ ଏହାର ବିରୋଧରେ ଥିବା ଲମପିମାନଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି।
Comments are closed.