ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଟେସଲା ମାଲିକଙ୍କ ସଂପର୍କ ଏବେ ନୂଆ ମୋଡ ନେଲାଣି । ଲାଗୁଛି ଦୁହିଁଙ୍କ ମଧ୍ୟରେ ବଢୁଥିବା ତିକ୍ତ ସମ୍ପର୍କ ଏବେ ପୁଣିଥରେ ଟ୍ରାକକୁ ଫେରୁଛି । କାରଣ ଏଲୋନ ମସ୍କ ନିଜେ ସମ୍ପର୍କକୁ ସୁଧାରିବା ପାଇଁ ପଦକ୍ଷେପ ନେଇଥିବା ଭଳି ମନେ ହେଉଛି । କାରଣ ଟ୍ରମ୍ପଙ୍କ ସହ ବିତର୍କ ପରେ, ମସ୍କ ଏବେ ଏଥିପାଇଁ ଅନୁତାପ କରୁଛନ୍ତି । ସେ ସୋସିଆଲ ମିଡିଆରେ ତାଙ୍କ କଥା ପାଇଁ ଦୁଃଖ ପ୍ରକାଶ କରି ଟ୍ରମ୍ପଙ୍କ ବିଷୟରେ ଲେଖିବା ସମୟରେ ସେ ସୀମା ଅତିକ୍ରମ କରିଛନ୍ତି ବୋଲି ଲେଖିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା, କ’ଣ ବାସ୍ତବରେ ଏବେ ଦୁହିଁଙ୍କ ମଧ୍ୟରେ କିଛି ବୁଝାମଣା ହୋଇଯାଇଛି, ନା ଟ୍ରମ୍ପଙ୍କ ସାଙ୍ଗେ ପଙ୍ଗା ନେବା ମହଙ୍ଗା ପଡିପାରେ ଭାବି ନିଜ ଆଡୁ ମୁଣ୍ଡ ନୁଆଁଇଛନ୍ତି ମସ୍କ ?
ତେବେ ଆଜି ଏଲନ ମସ୍କ ନିଜ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ମୋର କିଛି ପୋଷ୍ଟ ପାଇଁ ମୁଁ ଦୁଃଖିତ । ମୁଁ ସୀମା ଅତିକ୍ରମ କରିଥିଲି। ଯାହାକୁ ନେଇ ଏବେ ଦୁହିଁଙ୍କ ମଧ୍ୟରେ ଉତ୍ତେଜନା ନୂଆ ମୋଡ ନେଇଛି ।
କହିରଖୁଛୁ, ସାମ୍ପ୍ରତିକ ସମୟରେ, ଏଲୋନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା। ଟ୍ରମ୍ପଙ୍କ ଦ୍ୱାରା ଆଗତ ଏକ ବିଲ୍ କୁ ମସ୍କ ସାର୍ବଜନୀନ ଭାବରେ ବିରୋଧ କରିବାରୁ ବିବାଦ ଆରମ୍ଭ ହୋଇଥିଲା। ପରସ୍ପରର ଅତି ନିକଟତର ବୋଲି ବିବେଚିତ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ମଧ୍ୟ ବାକ୍ ଯୁଦ୍ଧ ଦେଖାଯାଇଥିଲା । ଉଭୟ ପକ୍ଷରୁ ଅଭିଯୋଗ ଏବଂ ପ୍ରତି-ଆରୋପର ଏକ ଲମ୍ବା ପର୍ଯ୍ୟାୟ ଚାଲିଥିଲା । ସୋସିଆଲ ମିଡିଆରେ ଦୁହେଁ ଦୁହିଁଙ୍କୁ ଆରୋପ ପ୍ରତ୍ୟାରୋପ କରୁଥିବା ବେଳେ ଏହି ନିକଟରେ ଏକ ସାକ୍ଷାତକାରରେ ମସ୍କଙ୍କୁ ଖୋଲା ଧମକ ଦେଇଥିଲେ ଟ୍ରମ୍ପ । ଯଦି ମସ୍କ ବିରୋଧୀ ଦଳକୁ ସାହାଯ୍ୟ କରିବାକୁ ଚିନ୍ତା କରନ୍ତି ତାହେଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିପାରେ । ଏମିତିକି ତାଙ୍କୁ ସରକାରୀ ପାଣ୍ଠି ମଧ୍ୟ ବନ୍ଦ କରିବା ନେଇ ଚେତାବନୀ ଦେଇଥିଲେ ଟ୍ରମ୍ପ । କୁହାଯାଉଛି ଏବେ ମସ୍କ ଟ୍ରମ୍ପଙ୍କ ଚେତାବନୀରେ ପଛଘୁଞ୍ଚା ଦେଇଥାଇପାରନ୍ତି ।
ସେପଟେ ଏଲୋନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରୁ ସେହି ପୋଷ୍ଟକୁ ହଟାଇ ଦେଇଛନ୍ତି ଯେଉଁଥିରେ ସେ ଦାବି କରିଥିଲେ ଯେ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସହ ଜଡିତ ଫାଇଲରେ ଅଛି। ପୋଷ୍ଟକୁ ଡିଲିଟ୍ କରିବା ପାଇଁ ମସ୍କଙ୍କ ପଦକ୍ଷେପକୁ ଟ୍ରମ୍ପଙ୍କ ସହ ସମ୍ଭାବ୍ୟ ବୁଝାମଣାର ସଙ୍କେତ ଭାବରେ ଦେଖାଯାଉଛି । ପୂର୍ବରୁ, ମସ୍କ ସରକାରୀ ଦକ୍ଷତା ବିଭାଗ ଡିଓଜିଇରୁ ଇସ୍ତଫା ଦେଇଥିଲେ।
୨୦୨୪ ଜୁଲାଇରେ ପେନସିଲଭାନିଆରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯିବା ପରେ ଡୋନାଲ୍ଡ ଟ୍ରମ୍ପ ଏବଂ ଏଲୋନ୍ ମସ୍କଙ୍କ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଥିଲା। ଏହା ପରେ, ମସ୍କ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ପୂର୍ଣ୍ଣ ସମର୍ଥନ ଘୋଷଣା କରିଥିଲେ। ଏହି ଘଟଣାର କିଛି ମିନିଟ୍ ପରେ, ମସ୍କ ଇନଷ୍ଟାଗ୍ରାମରେ ଲେଖିଥିଲେ, ମୁଁ ଟ୍ରମ୍ପଙ୍କୁ ପୂର୍ଣ୍ଣ ସମର୍ଥନ କରେ ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରେ । ଏହା ପରେ, ମସ୍କ ଏବଂ ଟ୍ରମ୍ପଙ୍କୁ ନିର୍ବାଚନ ପ୍ରଚାରରେ ଏକାଠି ଦେଖାଯାଇଥିଲା । ଏହାବି ମଣାଯାଏ ଯେ ଟ୍ରମ୍ପଙ୍କ ଜିତିବା ପଛରେ ଏକ ମସ୍କ ଫ୍ୟାକ୍ଟର ବି ରହିଥିଲା । ଯାହା ନିଜେ ମସ୍କ ତିକ୍ତତା ପରେ ଦାବି ମଧ୍ୟ କରିଥିଲେ ।
Comments are closed.