ନୂଆଦିଲ୍ଲୀ: ଯଦି କେହି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ କୌଣସି ଅବୈଧ କଣ୍ଟେଣ୍ଟ ଅପଲୋଡ କରିବେ। ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କର ଆକାଉଣ୍ଟ ମଧ୍ୟ ବନ୍ଦ କରାଯିବ ବୋଲି ଏଲନ ମସ୍କ ରବିବାର ଦିନ ଘୋଷଣା କରିଛନ୍ତି।
AI ସେବା “ଗ୍ରୋକ” ବ୍ୟବହାର କରି ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ସୃଷ୍ଟି କରୁଥିବା ୟୁଜର୍ସଙ୍କ ପାଇଁ ଏହା ଏକ କଡା ଚେତାବନୀ ବୋଲି ମସ୍କ କହିଛନ୍ତି।
ତେବେ ଭାରତ ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ୨ ରେ ଇଲେକ୍ଟ୍ରୋନିକ୍ସ ଏବଂ IT (MeitY) ଏକ ନୋଟିସ ଜାରି କରାଯିବା ପରେ ଏହି ମାମଲା ସାମ୍ନାକୁ ଆସିଛି। ଭାରତ ସରକାର X ପ୍ଲାଟଫର୍ମରୁ ସମସ୍ତ ଅଶ୍ଳୀଳ, ଅଶାଳୀନ ଏବଂ ଅବୈଧ ବିଷୟବସ୍ତୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ ସିଧାସଳଖ ଭାବେ ମହିଳାଙ୍କୁ ଅପମାନିତ କରାଯାଉଥିଲା। ଏଥିସହିତ ସରକାର କମ୍ପାନୀକୁ ୭୨ ଘଣ୍ଟା ମଧ୍ୟରେ ଏକ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ATR) ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଯାହାପରେ Grok ର ଅପବ୍ୟବହାର ବିରୁଦ୍ଧରେ ମସ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଏହିପରି ବିଷୟବସ୍ତୁ ଅପଲୋଡ କରୁଥିବା ଲୋକଙ୍କୁ ଏଥିପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି।” ତେବେ ଶିଶୁ ଯୌନ ନିର୍ଯାତନା ସାମଗ୍ରୀ (CSAM) ଭଳି ବିଷୟବସ୍ତୁ ବିରୁଦ୍ଧରେ ଏହାର ଶୂନ୍ୟ-ସହିଷ୍ଣୁତା ନୀତି ରହିଛି। ଆବଶ୍ୟକ ହେଲେ ସ୍ଥାନୀୟ ସରକାର ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ସହିତ ମିଶି ଏହିପରି କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି X ର ଗ୍ଲୋବାଲ୍ ଗଭର୍ଣ୍ଣମେଣ୍ଟ୍ ଆଫେୟାର୍ସ ଆକାଉଣ୍ଟ୍ ତରଫରୁ କୁହାଯାଇଛି।
ଯଦି X ଏହି ନିର୍ଦ୍ଦେଶଗୁଡ଼ିକୁ ପାଳନ ନ କରେ, ତେବେ ଏହା IT ଆଇନ ଅନୁଯାୟୀ ଉପଭୋଗ କରୁଥିବା ଆଇନଗତ ସୁରକ୍ଷା (ସେଫ୍ ହାର୍ବର) ହରାଇପାରେ ବୋଲି IT ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଅର୍ଥାତ୍ ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ଯେକୌଣସି ବେଆଇନ ବିଷୟବସ୍ତୁ ପାଇଁ କମ୍ପାନୀ ଏବଂ ଏହାର ଅଧିକାରୀମାନେ ସିଧାସଳଖ ଦାୟୀ ରହିବେ। ଅପରପକ୍ଷରେ ଭାରତୀୟ ଆଇନ (BNS ଏବଂ IT ଆଇନ) ଅନୁଯାୟୀ ମାମଲା ମଧ୍ୟ ରୁଜୁ କରାଯିବ।